ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ଘଟଣା, କିଏ ସତ କହୁଛି? ବ୍ଲକ ଶିକ୍ଷାଧିକାରୀ ନା ଥାନାଧିକାରୀ

ଦେବଗଡ଼: ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଜିଲାଗୁଡ଼ିକ ପରି ଦେବଗଡ଼ରେ ମଧ୍ୟ ୫ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ପରୀକ୍ଷା ଆରମ୍ଭ ହେବାର ୧ଘଣ୍ଟା ନପୂରୁଣୁ ଉତ୍ତର ସହ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାରୁ ପ୍ରକାଶ ଯେ ପ୍ରଥମ ସିଟିଂ ପରୀକ୍ଷା ନିର୍ଦ୍ଧାରିତ ସମୟ ସକାଳ ୮ଟାରେ ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରାୟ ୪୦ମିନିଟ ପରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରୁ ଉତ୍ତର ସହ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୂରିବୁଲିଥିଲା। ପର୍ଯ୍ୟବେକ୍ଷକ ତିଲେଇବଣି ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ଓ କେନ୍ଦ୍ର ଅଧିକ୍ଷକ କୁମୁଦବନ୍ଧୁ ପୃଷ୍ଟିଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବାରୁ ଜଣେ ପରୀକ୍ଷାର୍ଥୀ ମୋବାଇଲରେ ପ୍ରଶ୍ନପତ୍ରର ଫଟୋ ଉଠାଇଯାଇଥିବା ଜଣା ପଡ଼ିଥିଲା। ଏ ସମ୍ପର୍କରେ ସୂଚନା ପାଇ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଉକ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଉକ୍ତ ପରୀକ୍ଷାର୍ଥୀଙ୍କୁ ମାଲପ୍ରାକ୍ଟିସରେ ବୁକ କରିଥିଲେ ଏବଂ ଏ ନେଇ ଥାନାରେ ଏତଲା ଦେବାକୁ ନିର୍ଦେଶ ଦେବା ସହ କେନ୍ଦ୍ର ଅଧିକ୍ଷକ ଶ୍ରୀ ପୃଷ୍ଟିଙ୍କୁ ହଟାଇ ଦ୍ବିତୀୟ ସିଟିଂ ପାଇଁ ସୁଗୁଡ଼ାସ୍ଥିତ ଅପୂର୍ବ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମେଶ୍ଵର ନାୟକଙ୍କୁ ଦାୟିତ୍ଵ ଦେଇଥିଲେ। ଶ୍ରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ତଥା କେନ୍ଦ୍ର ଅଧିକ୍ଷକ ଶ୍ରୀ ପୃଷ୍ଟି ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ଏ ସଂକ୍ରାନ୍ତରେ ଜିଲା ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କ ସହିତ ଯୋଗାଯୋଗ କରାଯିବାରୁ ଉକ୍ତ ପରୀକ୍ଷାର୍ଥୀଙ୍କଠାରୁ ମୋବାଇଲ ଜବତ କରାଯିବା ସହ ଯାଞ୍ଚ ପାଇଁ ତାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦିଆଯାଇଛି। ଯାଞ୍ଚ ପରେ ସେଇ ମୋବାଇଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି। ତେବେ ଏ ସମ୍ପର୍କରେ ଆଦର୍ଶ ଥାନା ଆଇଆଇସି ସୁରେନ୍ଦ୍ର ନାୟକଙ୍କ କହିବା ହେଲା, ଥାନାରେ ଦିଆଯାଇଥିବା ଏତଲାରେ ସମ୍ପୃକ୍ତ ପରିକ୍ଷାର୍ଥୀଙ୍କ ବିରୋଧରେ କୌଣସି ଅଭିଯୋଗ ହୋଇ ନାହିଁ। ଜଣେ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଯାଞ୍ଚ ବେଳେ ତାଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲଟି ପ୍ରଧାନଶିକ୍ଷକଙ୍କ ହେପାଜତରେ ରଖାଯାଇଛି ଏବଂ ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଅଯାଇଥିବା ଉଲ୍ଲେଖ ରହିଛି। ସେହିପରି ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ମାଲ ପ୍ରାକ୍ଟିସ କରାଯାଇଥିବା ନେଇ ମଧ୍ୟ କୌଣସି ସୂଚନା ନାହିଁ। ଉଭୟଙ୍କ ବକ୍ତବ୍ୟରେ ବିରୋଧାଭାସ ଥିବାରୁ ଏହାର ନିରପେକ୍ଷ ତଥା ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Comments are closed.