ତାମିଲନାଡୁ ବିଜେପି ରାଜ୍ୟ ସଭାପତି ନିର୍ବାଚନ ଦୌଡରୁ ଓହରିଲେ ଆନ୍ନାମଲାଇ

କୋଏମ୍ବାଟୁର: ତାମିଲନାଡୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ଦୌଡରୁ କେ ଆନ୍ନାମଲାଇ ଓହରି ଯାଇଛନ୍ତି। ଆନ୍ନାମଲାଇ ଏବେ ରାଜ୍ୟ ବିଜେପି ସଭାପତି ଥିବାବେଳେ ନିକଟରେ ହେବାକୁ ଯାଉଥିବା ସଭାପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। କୋଏମ୍ବାଟୁରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଆନ୍ନାମଲାଇ କହିଛନ୍ତି ଯେ ସେ ସଭାପତି ନିର୍ବାଚନରେ ଲଢିବେ ନାହିଁ। ତେବେ ସଭାପତି ପାଇଁ ଦଳରେ କୌଣସି ନିର୍ବାଚନ ହେବ ନାହିଁ। ନିର୍ବାଚନ ପରିବର୍ତ୍ତେ ସର୍ବସମ୍ମତି କ୍ରମେ ରାଜ୍ୟ ସଭାପତି ମନୋନୟନ କରାଯିବ। ରାଜ୍ୟରେ ବିଜେପିର ଉଜ୍ବଳ ଭବିଷ୍ୟତ ରହିଛି। ତେବେ ରାଜ୍ୟର ରାଜନୈତିକ ପରିସ୍ଥିତି ବାବଦରେ ସେ କିଛି କହିବାକୁ ମନା କରିଛନ୍ତି। ଆନ୍ନାମଲାଇଙ୍କ ଏପରି ଘୋଷଣା ପରେ ସେ ରାଜ୍ୟ ବିଜେପି ସଭାପତି ପଦରୁ ହଟିବା ନିଶ୍ଚିତ ହୋଇଛି। ତାମିଲନାଡୁରେ ଏଆଇଏଡିଏମ୍କେ ସହିତ ବିଜେପି ମେଣ୍ଟ କରିବାକୁ ଯୋଜନା କରୁଥିବାବେଳେ ଆନ୍ନାମଲାଇ ଏଥିପ୍ରତି ଆଗ୍ରହୀ ନାହାନ୍ତି। କାରଣ ୨୦୨୩ରେ ଆନ୍ନାମଲାଇ ଏଆଇଏଡିଏମ୍କେର ପୂର୍ବତନ ନେତ୍ରୀ ଜୟଲଳିତା ଓ ସିଏନ ଆନ୍ନାଦୁରାଇଙ୍କୁ କଡା ସମାଲୋଚନା କରିଥିଲା। ଆନ୍ନାମଲାଇଙ୍କ ଏହି ସମାଲୋଚନା ପରେ ଏଆଇଏଡିଏମ୍କେ ବିଜେପି ଠାରୁ ମେଣ୍ଟ ସମ୍ପର୍କ ଛିନ୍ନ କରିଥିଲା। ଏବେ ବିଜେପି ପୁନର୍ବାର ଏଆଇଏଡିଏମ୍କେ ସହ ମେଣ୍ଟ କରିବାକୁ କଥାବାର୍ତ୍ତା ଚଳାଇଛି। ଏଥିପାଇଁ ଗତମାସରେ ଏଆଇଏଡିଏମ୍କେର ସାଧାରଣ ସମ୍ପାଦକ ଇକେ ପଲାନିସ୍ବାମୀ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଶାହା ଓ ପଲାନିସ୍ବାମୀଙ୍କ ସାକ୍ଷାତ ରାଜ୍ୟରେ ଆଗାମୀ ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ମେଣ୍ଟ ସମ୍ଭାବନାକୁ ଉଜ୍ଜୀବିତ କରିଛି। ଆନ୍ନାମଲାଇଙ୍କ ଯୋଗୁଁ ମେଣ୍ଟ ଭାଙ୍ଗିଥିବାରୁ ବିଜେପି ତାଙ୍କୁ ସଭାପତି ପଦରୁ ହଟାଇବାର ଯୋଜନା କରିଛି। ୨୦୧୧ ମସିହାର କର୍ଣ୍ଣାଟକ ବ୍ୟାଚ ଆଇପିଏସ୍ ଆନ୍ନାମଲାଇ ୨୦୨୦ ଅଗଷ୍ଟରେ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବାର ୧୦ମାସ ପରେ ସେ ତାମିଲନାଡୁ ରାଜ୍ୟ ବିଜେପିର ସଭାପତି ହୋଇଥିଲେ।
Comments are closed.