‘ସପ୍ତଧାରା’କୁ ମାରିଦେଲେ ସରକାର ଓ ସମୟ

ଖଇରପୁଟ: ମାଲକାନଗିରି ଜିଲା ଦେଇ ପ୍ରବାହିତ ସପ୍ତଧାରା ନଦୀ ସତ୍ତା ହରାଇବାକୁ ବସିଛି। ନଦୀଶଯ୍ୟା ଶୁଷ୍କ ହୋଇଯାଇଛି। ଗ୍ରୀଷ୍ମରେ ଭୟଙ୍କର ଜଳସଙ୍କଟ ଆଶଙ୍କା କରାଯାଉଛି। ରକ୍ଷଣାବେକ୍ଷଣ ଅଭାବ ସହ ସରକାରଙ୍କ ଅବହେଳାରୁ ଲୋକେ ପାଣି ପାଇପାରୁ ନାହାନ୍ତି। ମାଲକାନଗିରି ଜିଲାର ପ୍ରବେଶ ପଥ ଗୋବିନ୍ଦାପାଲ୍ଲୀ। ସେହିଠାରୁ ୬ କିମି ଆଗରୁ ବଣ, ପାହାଡ଼ ଦେଇ ଜିଲାର ପାଦ ଧୋଇ କେଉଁ ଆବହମାନ କାଳରୁ ପାହାଡ଼ି କନ୍ୟା ସାତଧାରର ସମାହାର ସପ୍ତଧାରା ନଦୀ ବୋହି ଚାଲିଛି। ସେହି ସପ୍ତଧାରା ଆଜି ସୁପ୍ତ ହୋଇଯାଇଛି। ବିଗତ ଦିନରେ ସପ୍ତଧାରାର କରାଳ ରୂପ ଅନେକ ଥର ମାଲକାନଗିରି ଜିଲାକୁ ବାହ୍ୟଜଗତରୁ ବିଚ୍ଛିନ୍ନ କରି କିଛି ଘଣ୍ଟା ପରେ ପୁଣିଥରେ ନିଜ ରାସ୍ତାରେ ପାହାଡ଼ି କନ୍ୟା ଚାଲିଯାଏ। ନଦୀର ଉଭୟ ପାର୍ଶ୍ୱ ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ପରିପୂର୍ଣ୍ଣ। ସୁମଧୁର ଜଳରେ ବନ୍ୟଜନ୍ତୁ ବର୍ଷସାରା ନିଜର ତୃଷା ମେଣ୍ଟାଉ ଥିଲେ। ସପ୍ତଧାରା ଉପରେ ଧୂଙ୍ଗିଆପୁଟ, ପାତ୍ରପୁଟ ପରି ଅନେକ ଗ୍ରାମର ଚାଷୀ ନିର୍ଭର କରନ୍ତି। ଖରାଟିଆ ପରିବା ଚାଷ ହୋଇଥାଏ। କିନ୍ତୁ ଆଜି ସେହି ପାହାଡ଼ି କନ୍ୟା ସପ୍ତଧାରା ଶୋଇପଡ଼ିଛି। ଚିରସ୍ରୋତା ଆଜି ଆଉ ନାହିଁ। କେବଳ ପଥର ଗର୍ତ୍ତ ଓ ନଦୀ ଶଯ୍ୟାର ଗଭୀର ସ୍ଥାନ ଛାଡି ଦେଲେ ପାଣି ଆଉ କୁଳୁକୁଳୁ ହୋଇ ବୋହି ଯାଉନାହିଁ। ସପ୍ତଧାରା ନଦୀର ସୁନ୍ଦର ବାଲୁକା ଶଯ୍ୟାକୁ ଲୋକେ ଗୋଆ ବିଚ୍ ବୋଲି କହନ୍ତି।
ସେଠାରେ ଆଉ ପିକ୍ନିକ୍ର କୋଳାହଳ ଶୁଭୁନାହିଁ। ବସନ୍ତ ଋତୁ ପ୍ରାରମ୍ଭରୁ ଶୁଷ୍କ ନଦୀଶଯ୍ୟା ଗ୍ରୀଷ୍ମର ଭୟଙ୍କର ଜଳକଷ୍ଟକୁ ଦର୍ଶାଉଛି। ନଦୀର ଉପକୂଳରେ ପର୍ଯ୍ୟଟନ ପାଇଁ ଭିଡ ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତଧାରାର ଉନ୍ନତି ପାଇଁ ବହୁ ଯୋଜନା ଘୋଷଣା କରିଥିଲେ। ଯାହା ନିର୍ବାଚନୀ ଘୋଷଣା ଥିଲା ବୋଲି କୁହାଯାଉଛି। ୨୦ ବର୍ଷରୁ ଊର୍ଦ୍ଧ୍ବ ହେବ ସପ୍ତଧାରା ଜଳସେଚନ ପ୍ରକଳ୍ପ ସ୍ଥଗିତ ରହିଛି। ସେହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜଳଧାର ବଞ୍ଚି ରହିବା ସହିତ କୃଷି ପାଇଁ ସହାୟକ ହୋଇଥାନ୍ତା। ସରକାରଙ୍କ ନିଦରଦ ପଣିଆ ଓ ବଦଳୁଥିବା ପରିବେଶ ସପ୍ତଧାରାକୁ ଶୁଷ୍କ କରିବାରେ ଲାଗିଛି। ଗୋବିନ୍ଦପାଲ୍ଲୀ ଘାଟି ଉପରେ ସପ୍ତଧାରାର କ୍ଷତ କିଞ୍ଚିତ କ୍ଷୀଣ ଜଳଧାରାକୁ ଆନ୍ଧ୍ରର ଏକ ବେସରକାରୀ ଜଳବିଦ୍ୟୁତ୍ ପ୍ରକଳ୍ପ ଅଟକାଇ ଦେଇଛି। ପ୍ରକଳ୍ପ ସବୁଦିନ ଚାଲୁ ନ ଥିବା ପ୍ରକଳ୍ପ କର୍ମକର୍ତ୍ତା କହିଛନ୍ତି। ଯେଉଁ ଦୁଇରୁ ଚାରି ଘଣ୍ଟା ଚାଲୁଛି, ତାହା କେବଳ ଏକ ମୁଖ୍ୟସ୍ରୋତକୁ କିଛି ଦୂର ପର୍ଯ୍ୟନ୍ତ ବ୍ୟବହାର କରିବା ପରେ ପୁଣି ପ୍ରାକୃତିକ ସ୍ରୋତରେ ଛାଡି ଦିଆଯାଉଥିବା ଜଣେ ପ୍ରକଳ୍ପ ଅଧିକାରୀ କହିଛନ୍ତି। ସପ୍ତଧାରାର ଏପରି ସ୍ଥିତି ପାଇଁ ଉକ୍ତ ପ୍ରକଳ୍ପ ଦାୟୀ ନା’ ସରକାରଙ୍କ ଅବହେଳା ଦାୟୀ ବୋଲି ପ୍ରଶ୍ନ ଉଠୁଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ନଦୀର ଠିକ ଭାବେ ପରିଚାଳନା ହେଲେ ପୂର୍ବରୁ ଚିରସ୍ରୋତା ଥିବା ଜିଲାର ଜଳସ୍ରୋତକୁ ବଞ୍ଚେଇ ହୁଅନ୍ତା। ନଦୀର ଦୁଇକୂଳରେ ୧୦୦ ମିଟର ପର୍ଯ୍ୟନ୍ତ ଜଙ୍ଗଲ ସୃଷ୍ଟି ସହିତ ଭୁତଳ ଜଳସ୍ତରକୁ ନିଜ ପୂର୍ବ ଗଭୀରତାରେ ଧରି ରଖି ପାରିଲେ ସପ୍ତଧାରା ତାର ଗୌରବ ଫେରି ପାଇଥାନ୍ତା। ଜଙ୍ଗଲରେ ରହୁଥିବା ଅସଂଖ୍ୟ ବନ୍ୟଜନ୍ତୁ ଓ ଆଖପାଖର ଗ୍ରାମବାସୀ ଉପକୃତ ହୋଇପାରନ୍ତେ। ଏନେଇ ସରକାରଙ୍କ ପଦକ୍ଷେପକୁ ଲୋକେ ଅପେକ୍ଷା କରିଛନ୍ତି।
Comments are closed.