ଛାତ୍ରାବାସ କାର୍ଯ୍ୟକ୍ଷମ ଦାବିରେ ଅଭିଭାବକ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼ : ବାଂଶପାଳ ବ୍ଲକ ତଳଚମ୍ପେଇସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସ କାର୍ଯ୍ୟକ୍ଷମ ଦାବିରେ ଅଭିଭାବକ ସୋମବାର ଜିଲାସ୍ତରୀୟ ମିଳିତ ଅଭିଯୋଗଶୁଣାଣୀରେ ପ୍ରଶାସନର ଦ୍ୱାରସ୍ଥ ହୋଇ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଜକୁ ୨ବର୍ଷରୁ ଉଦ୍ଧ୍ୱର୍ ସମୟଧରି ଛାତ୍ରାବାସ ନିର୍ମାଣ ଶେଷ ସହ ଆବଶ୍ୟକ ସରଞ୍ଜାମ ଯୋଗାଣ ଶେଷ ହୋଇଥିଲେ ହେଁ ଛାତ୍ରାବାସ ପରିଚାଳନା ନିମନ୍ତେ ଆବଶ୍ୟକ ଅର୍ଥ ମଞ୍ଜୁର ନହେବା ଓ କର୍ମଚାରୀ ପଦ ପୂରଣ ନହେବା କାରଣରୁ ଛାତ୍ରାବାସ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ବ୍ଲକର ଦୁର୍ଗମ ଅଞ୍ଚଳରୁ ଉକ୍ତ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରମାନଙ୍କୁ ଅଭିଭାବକ ଅଧିକ ଖର୍ଚ୍ଚାନ୍ତ ହୋଇ ଭଡା ଘରେ ରଖି ପଢ଼ାଇବାକୁ ବାଧ୍ୟ ହେଉଥିବା ଅଭିଭାବକ ବାବୁଲି ବାରିକ, ଯଦୁମଣୀ ଦେହୁରୀ ଓ ପୂର୍ଣ୍ଣଚନ୍ଦ୍ର ପଲେଇ କହିଛନ୍ତି । ସମ୍ପୂର୍ଣ୍ଣ ମାଗଣାରେ ଆବାସିକ ଶିକ୍ଷାଦାନ ମାଧ୍ୟମରେ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଛାତ୍ରାବାସ ନିର୍ମାଣ ଶେଷ ହେବା ୨ବର୍ଷ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇନପାରିବା ପରୋକ୍ଷରେ ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କୁ ନିରାଶ ହେବାକୁ ପଡିଛି । ଏ ଦିଗରେ ଜିଲା ପ୍ରଶାସନ ତ୍ୱରିତ୍‍ ପଦକ୍ଷେପ ଗ୍ରହଣପୂର୍ବକ କିଭଳି ଛାତ୍ରାବାସ ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଅଭିଭାବକଗଣ ସୋମବାର ମିଳିତ ଅଭିଯୋଗଶୁଣାଣୀରେ ଜିଲାପାଳଙ୍କୁ ଭେଟି ଗୁହାରି କରିଛନ୍ତି ।

Comments are closed.