ଟ୍ରାନ୍ସମିସନ୍ ଭିତ୍ତିଭୂମି କ୍ଷେତ୍ରରେ ଓପିଟିସିଏଲ୍‌ର ଭୂମିକା ଉଲ୍ଲେଖନୀୟ : ମୁଖ୍ୟମନ୍ତ୍ରୀ

୫୫ କୋଟିରେ ନିର୍ମିତ କର୍ପୋରେଟ୍ କାର୍ଯ୍ୟାଳୟ ଓପିଟିସିଏଲ୍ ଟେକ୍ ଟାୱାର ଉଦ୍‌ଘାଟିତ

ଭୁବନେଶ୍ବର : ଭୁବନେଶ୍ବରର ସହିଦ ନଗରଠାରେ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ୍) ଟେକ୍‌ ଟାୱାରକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ଏହି ବହୁତଳ କୋଠା ଓପିଟିସିଏଲ୍‌ର କର୍ପୋରେଟ୍ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍‌ ଉପସ୍ଥିିତ ଥିଲେ।
କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଅତ୍ୟାଧୁନିକ ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମିତ ହୋଇଛି। ଏହା ଏକ ଶକ୍ତି-ପ୍ରଭାବୀ କୋଠା। ଓଡ଼ିଶାବାସୀଙ୍କୁ ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବା ଦିଗରେ ଓପିଟିସିଏଲ୍ କାର୍ଯ୍ୟ କରୁଛି। ଶକ୍ତି କ୍ଷେତ୍ରର ଅଗ୍ରଗତିରେ ଏହାର ଏକ ବଡ଼ ଭୂମିକା ରହିଛି। ରାଜ୍ୟର ଟ୍ରାନ୍ସମିସନ୍ ଭିତ୍ତିଭୂମିରେ ଓପିଟିସିଏଲ୍‌ର ଭୂମିକା ଉଲ୍ଲେଖନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୨୦୦୦ ମସିହାରେ ରାଜ୍ୟରେ ୧୦ ଲକ୍ଷ ଉପଭୋକ୍ତା ଥିଲେ। ଏବେ ଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ସେ ସମୟ‌େ‌ର କେବଳ ୮୦ ଗ୍ରୀଡ୍ ଥିବାବେଳେ ଆଜିର ଦିନରେ ୧୯୪ ଗ୍ରୀଡ୍ ସବ୍‌ଷ୍ଟେସନ୍ କାର୍ଯ୍ୟକ୍ଷମ। ସଞ୍ଚାରଣ କ୍ଷମତା (ଟ୍ରାନ୍ସମିସନ୍ କାପାସିଟି) ୬,୧୨୫ ଏମ୍‌ଭିଏରୁ ୨୫,୮୦୦ ଏମ୍‌ଭିଏ ଏବଂ ଟ୍ରାନ୍ସମିସନ୍ ଲାଇନ୍ ୯୪୦୦ ସର୍କିଟ୍ କି.ମି.ରୁ ୧୬,୩୦୦ ସର୍କିଟ୍ କି.ମି.କୁ ବୃଦ୍ଧି ପାଇଛି। ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ଏବଂ ରାଜ୍ୟର ଯୁବବର୍ଗଙ୍କ ନିମନ୍ତେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ଓପିଟିସିଏଲ୍‌ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି। ଅାୟୋଜିତ କାର୍ଯ୍ୟକ୍ରମରେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ୍ ସିଏମ୍‌ଡି ସଞ୍ଜୟ କୁମାର ମିଶ୍ରଙ୍କ ସମେତ ଓପିଟିସିଏଲ୍‌ର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

Comments are closed.