କିଟ ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ କମ, ରାଜନୀତି ଅଧିକ

ଡେସ୍କ: କିଟ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ମାତ୍ର ୩ ଦିନ ବିତିଥିବା ବେଳେ ଏଥିରେ ରାଜନୀତି ହେଉଥିବା ସ୍ପଷ୍ଟ ବାରି ହୋଇପଡିଲାଣି। ଗୋଟିଏ ପଟେ ଘଟଣାର ପ୍ରକୃତ ଖିଅ କାଢ଼ିବା ଲାଗି ରାଜ୍ୟ ସରକାର ଗୃହ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆସନ୍ତାକାଲି (୨୧ ଫେବୃଆରୀ) ସନ୍ଧ୍ୟା ୬.୩୦ ମିନିଟରେ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। କେବଳ ହାଜର ନୁହେଁ, ସମସ୍ତ ଦସ୍ତାବିଜ ସହ ତଥ୍ୟ ଅନୁସନ୍ଧାନକାରୀ କମିଟି ସମ୍ମୁଖରେ ଉପସ୍ଥିତ ରହିବା ଲାଗି କୁହାଯାଇଥିବା ଜଣାପଡିଛି।

ରାଜ୍ୟରେ ଥିବା ଅଧିକାଂଶ ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ଗୁଡିକରେ ପୂର୍ବରୁ ଏଭଳି ଘଟଣା ଘଟିଥିବା ବେଳେ କେବେ ପ୍ରତିଷ୍ଠାତାଙ୍କୁ କୌଣସି କମିଟି ଆଗରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ନଜିର ନାହିଁ। ଗୋଟିଏ ଅନୁଷ୍ଠାନ ଚଳାଇବା ପାଇଁ କମିଟି ରହିଥାଏ ଓ ସେହି କମିଟି ଆଡ଼ମିସନ ଠାରୁ ଆରମ୍ଭ କରି ସମସ୍ତ ବିଷୟରେ ନିଷ୍ପତ୍ତି ନେଇଥାନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ନ ଡାକି, ପ୍ରତିଷ୍ଠାତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ କାହିଁକି ଦିଆଗଲା, ତାହା ବୁଝା ପଡୁନାହିଁ।

ପ୍ରାଥମିକ ତଥ୍ୟ ଅନୁଯାୟୀ, ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ପୁରୁଷ ବନ୍ଧୁ ଆଦ୍ବିକ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ଘଟଣା ସତ୍ୟ ଓ କେଉଁଠି ନା କେଉଁଠି ପୁଲିସ ମଧ୍ୟ ଏକଥା ଜାଣିଛି ତେଣୁ ଆଦ୍ବିକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର କର୍ମଚାରୀ ଯେଉଁମାନେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟ ନିଲମ୍ବନ କରିସାରିଛି। କିନ୍ତୁ ପ୍ରତିଷ୍ଠାତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Comments are closed.