ଅପରେସନ୍ ଅଲ୍ ଆଉଟ୍: ୧୮୦ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ପିଡିପି-ବିଜେପି ମେଣ୍ଟ ସରକାର ଭାଙ୍ଗିବା ମାତ୍ରେ ସୁରକ୍ଷା ବାହିନୀ ଆତଙ୍କବାଦ ନିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କାଶ୍ମୀର ଘାଟିରେ ସକ୍ରିୟ ୧୮୦ ଜଣ ପ୍ରମୁଖ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ଆତଙ୍କବାଦୀମାନଙ୍କ ମଧ୍ୟରୁ ୧୦୭ ଜଣ ହିଜବୁଲ ମୁଜାହିଦ୍ଦିନ ସହିତ ସମ୍ପୃକ୍ତ ବୋଲିି ଜଣାପଡିଛି। ଏଥିସହ ତାଲିକାରେ ୫୦ ଜଣ ସୀମାପାର ଆତଙ୍କବାଦୀଙ୍କ ନାମ ମଧ୍ୟ ରହିଛି। ଏତଦ୍ଭିନ୍ନ ୪୦ ଜଣ ନୂତନ ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷା ବାହିନୀକୁ ସୂଚନା ମିଳିଛି। ଏହି ଆତଙ୍କବାଦୀମାନେ ରାମ୍ଜାନ୍ ମାସରେ ଆତଙ୍କବାଦ ଚଳାଇଥିଲେ। ସୁରକ୍ଷା ବାହିନୀ ଏହାର ‘ଅପରେସନ୍ ଅଲ୍-ଆଉଟ୍’ କ୍ରମେ ଏହି ୧୮୦ ଜଣ ଆତଙ୍କବାଦୀଙ୍କୁ ଠାବ କରିବା ଲାଗି ବ୍ୟାପକ ଅନୁସନ୍ଧାନ ଆରମ୍ଭ କରିଛି। ଏମାନଙ୍କୁ ନିପାତ କରିବା ଲାଗି ସେନା ପକ୍ଷରୁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାକ୍ରମେ ଦକ୍ଷିଣ ଏବଂ ଉତ୍ତର କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କ ଅନୁସନ୍ଧାନ ଆରମ୍ଭ ହୋଇଛି। ସେହିଭଳି ଆତଙ୍କବାଦୀଙ୍କ କଥାରେ ପ୍ରଭାବିତ ହୋଇ ଆତଙ୍କବାଦର ପଥ ଅବଲମ୍ବନ କରିଥିବା କାଶ୍ମୀର ଯୁବପିଢିକୁ ସୁରକ୍ଷାବାହିନୀ ପୁନଃ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଉଦ୍ୟମ କରୁଛି। ଏହି ଆତଙ୍କବାଦୀଙ୍କୁ ଆତଙ୍କର ପଥ ଦେଖାଇଥିବା ସୀମାପାର ଆତଙ୍କବାଦୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦୃଢ ଯୋଜନା କରିଛି ସେନା।
୫ ମାସରେ ୧୫୦ ଯୁବକ ନିଖୋଜ
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଗତ ୫ ମାସ ମଧ୍ୟରେ ଜାମ୍ମୁ କାଶ୍ମୀରର ବିଭିନ୍ନ ଗ୍ରାମରୁ ପ୍ରାୟ ୧୫୦ ଜଣ ଯୁବକ ନିଖୋଜ ଅଛନ୍ତି। କାଶ୍ମୀର ଘାଟିରୁ ଆହୁରି ଅଧିକ ସଂଖ୍ୟକ ଯୁବକ ନିଖୋଜ ଅଛନ୍ତି ବୋଲି ଗୁଇନ୍ଦା ବିଭାଗ ରିପୋର୍ଟ ପ୍ରଦାନ କରିଛି। ଆତଙ୍କବାଦୀମାନେ ଏମାନଙ୍କୁ ଉସ୍କାଇ ସେମାନଙ୍କ ଦଳରେ ସାମିଲ କରିନେଇଥିବା ଆଶଙ୍କା କରାଯାଉଛି। ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ୧୫୦ ନିଖୋଜ ଯୁବକଙ୍କ ମଧ୍ୟରୁ କେବଳ ୬୦-୭୦ ଜଣଙ୍କ ପରିବାର ଲୋକେ ଥାନାରେ ନିଖୋଜ ମାମଲା ରୁଜୁ କରିଛନ୍ତି। ନିଖୋଜ ଯୁବକମାନେ କେଉଁଠାରେ ଅଛନ୍ତି ତାହା ନିଖୋଜ ମାମଲା ରୁଜୁ କରି ନ ଥିବା ପରିବାର ଲୋକେ ଜାଣନ୍ତି ବୋଲି ସୁରକ୍ଷା ବାହିନୀ ସନ୍ଦେହ କରୁଛି। ଏହି ପରିବାରଗୁଡିକ ସହିତ ଯୋଗାଯୋଗ କରି ଭାବାତ୍ମକ ଆଲୋଚନା ଦ୍ୱାରା ସେମାନଙ୍କଠାରୁ ସୂଚନା ହାସଲ କରିବାକୁ ସୁରକ୍ଷାବାହିନୀ ଉଦ୍ୟମ କରୁଛି।
ସର୍ବାଧିକ ଯୁବକ ନିଖୋଜ ହୋଇଥିବା ଅଞ୍ଚଳ
ବାରାମୂଳା, ସୋପିଆନ୍, ବାନ୍ଧିପୁରା, ପୁଲୱାମା ଏବଂ ଅନନ୍ତନାଗ ଜିଲାର ଅଧିକାଂଶ ଯୁବକ ନିଖୋଜ ଥିବା ସୂଚନା ମିଳିଛି। ସୁରକ୍ଷାବାହିନୀ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅପରେସନ୍ ଅଲ୍-ଆଉଟ୍’ କ୍ରମେ ଏଯାବତ୍ ଏହି ଅଞ୍ଚଳଗୁଡିକରେ ବ୍ୟାପକ ଅନୁସନ୍ଧାନ କରାଯାଉଛି। ଏହି ଅନୁସନ୍ଧାନ ବେଳେ ସୁରକ୍ଷାବାହିନୀ ୩୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଏମାନଙ୍କ ମଧ୍ୟରୁ ୨୧ ଜଣ କେବଳ ସୋପିଆନ୍ରେ ପ୍ରାଣ ହରାଇଥିବା ବେଳେ ବାରମୁଳାରେ ୫ ଏବଂ ଅନନ୍ତନାଗରେ ୭ ଜଣ ଆତଙ୍କବାଦୀଙ୍କ ଏନ୍କାଉଣ୍ଟର କରାଯାଇଛି। ରମ୍ଜାନ ଲାଗି କେନ୍ଦ୍ର ସରକାରଙ୍କ ଯୁଦ୍ଧବିରତି ଘୋଷଣାର ସୁଯୋଗ ନେଇ ଆତଙ୍କବାଦୀମାନେ ନିଜ ସଂଗଠନରେ ନୂତନ ଯୁବକଙ୍କୁ ସାମିଲ କରି ପ୍ରଶିକ୍ଷଣ ଦେଇଛନ୍ତି।
ପ୍ରତି ଗ୍ରାମରୁ ଦୁଇ ଜଣ ଯୁବକଙ୍କୁ ଆତଙ୍କବାଦରେ ସାମିଲ କରିବାର ଷଡ଼ଯନ୍ତ୍ର
ସୁରକ୍ଷାବାହିନୀର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଏନ୍କାଉଣ୍ଟରରେ ନିହତ ଆତଙ୍କବାଦୀଙ୍କୁ କବର ଦିଆଯିବା ମଧ୍ୟରେ ଆତଙ୍କବାଦୀ ସଂଗଠନଗୁଡିକ ସେମାନଙ୍କ ଗ୍ରାମରେ ପହଞ୍ଚି ମୃତ ଆତଙ୍କବାଦୀଙ୍କୁ ସମ୍ମାନ ଦେବାର ଅଭିନୟ କରନ୍ତି। ଏଥିନିମନ୍ତେ ସେମାନେ ଗ୍ରାମରେ ସାର୍ବଜନିକ ସଭା ଡକାଇ ଆଖିବୁଜା ଗୁଳିମାଡ଼ କରିଥାଆନ୍ତି। ପରେ ଗ୍ରାମର ଦୁଇ ଜଣ ଯୁବକଙ୍କୁ ଆତଙ୍କବାଦରରେ ସାମିଲ ହେବା ନିମନ୍ତେ ସେମାନଙ୍କ ସହିତ ପଠାଇବାକୁ ଭୟଭୀତ ଗ୍ରାମବାସୀଙ୍କ ଉପରେ ଚାପ ପକାନ୍ତି। ଏଭଳି ଅନେକ ଉଦ୍ୟମରେ ଆତଙ୍କବାଦୀ ସଂଗଠନଗୁଡିକ ସଫଳ ହୋଇଛନ୍ତି।
ଅନୁପ୍ରବେଶର ରାସ୍ତା
ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ନିମନ୍ତେ ପାକିସ୍ତାନ ୧୦ଟି ଲଞ୍ଚିଂ ପ୍ୟାଡ୍ ପ୍ରସ୍ତୁତ କରିଛି। ଗୁରେଜ୍ ସେକ୍ଟରରୁ ୨୦ ଜଣ, ମାଛିଲ ସେକ୍ଟରରୁ ୫୦ ଜଣ, କୈରାନ ସେକ୍ଟରରୁ ୫୫, ତଂଗଧାରରୁ ଲସ୍କର-ଇ-ତୋଏବା ଏବଂ ଜୈସ୍-ଇ-ମହମ୍ମଦର ୬୫, ନୌଗାମରୁ ୭ ଜଣ, ଉରି ସେକ୍ଟରରୁ ୫୦, ପୁଞ୍ଚରୁ ୩୫, ଭୀମ୍ବରରେ ୧୨୦, ନୌସେରା ୩୦ ଏବଂ ରାମପୁରରୁ ୩ ଜଣ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଥିବା ସୂଚନା ମିଳିଛି।