ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଥିବାବେଳେ ବିଭିନ୍ନ କଟକଣା ଲାଗୁ ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନ ବାହାରିବାକୁ ନିର୍ଦେଶ ଦିଆଯାଇଛି। ତେବେ ସେମାନେ ଯେକୌଣସି କାର୍ଯ୍ୟ ଅନ୍ଲାଇନ୍ରେ କରିପାରିବେ ବୋଲି ପରାମର୍ଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଅନେକ ଅନ୍ଲାଇନ୍ରେ କଥାବାର୍ତ୍ତା କରିବାରେ ଆଗ୍ରହ ଦେଖାଇଥିଲେ। ବିଭିନ୍ନ ଅନୁଷ୍ଠାନ ଲୋକଙ୍କୁ କିଭଳି ଅନ୍ଲାଇନ୍ରେ ସେବା ଯୋଗାଇ ଦିଆଯାଇପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କଲେ। ସରକାରୀ କାର୍ଯ୍ୟାଳୟ ଓ କର୍ପୋରେଟ୍ ହାଉସ୍ ସମେତ ଘରୋଇ ଶିଳ୍ପଦ୍ୟୋଗ ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଭିନ୍ନ ବୈଠକ ଆୟୋଜନ କଲେ। ସେହିପରି ଗେମିଂ, ଭିଡିଓ କଲିଂ ଓ ଅନ୍ଲାଇନ୍ ଚାଟିଂ ଆଦିରେ ମଧ୍ୟ ଅନେକ ଆଗ୍ରହ ଦେଖାଇଲେ। ସେହିପରି ଦେଶରେ ହଠାତ୍ ସ୍କୁଲକଲେଜ ବନ୍ଦ ହୋଇଯିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାହତ ସୃଷ୍ଟି ହେଲା। ଏଥିପାଇଁ ଅନେକ ଶିକ୍ଷାନୁଷ୍ଠାନ ଭର୍ଚୁଆଲ୍ ଟ୍ୟୁଟରିଆଲ୍ ଏବଂ ଅନ୍ଲାଇନ୍ ଏଜୁକେସନ୍ ଦିଆଯିବା ନେଇ ପ୍ରସ୍ତୁତି ଚଳାଇଲେ। ଏହାର ସଫଳ କାର୍ଯ୍ୟାନ୍ବୟନ ପାଇଁ ସେମାନେ ଆଇଟି କ୍ଷେତ୍ର ସହିତ ଜଡ଼ିତ ଏକ୍ଜ୍ୟୁକୁଟିଭ୍ଙ୍କ ସହାୟତା ଲୋଡ଼ିଥିଲେ। ଭିଡ଼ିଓ କନ୍ଫରେନ୍ସିଂ ଆୟୋଜନ, ଭର୍ଚୁଆଲ୍ ଟ୍ୟୁଟୋରିଆଲ୍ ଓ ଅନ୍ଲାଇନ୍ ଏଜୁକେସନ୍ ପାଇଁ ଭିଡିଓ ରେକଡିଂ, ଭିଡିଓ କଲିଂ, ଗେମିଂ, ଲାଇଭ୍ ଚାଟିଂ ଆଦି ପାଇଁ ଅଧିକରୁ ଅଧିକ ସଂଖ୍ୟକ ଆଇଟି ଏକ୍ଜିକ୍ୟୁଟିଭ୍ ନିୟୋଜିତ ହେଲେ। ଫଳରେ ଦିନକୁ ଦିନ ଆଇଟି କ୍ଷେତ୍ରର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇବରେ ଲାଗିଛି।
ଲକ୍ଡାଉନ୍ ଯୋଗୁ ବିଭିନ୍ନ ଡାଟା ଏଣ୍ଟ୍ରି ସେଣ୍ଟରଗୁଡ଼ିକ ସକ୍ରିୟ ହୋଇଉଠିଲେ। ଉପଭୋକ୍ତାଙ୍କୁ କିଭଳି ଆଇଟି ସେବା ପ୍ରଦାନ କରାଯାଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଥିଲେ। ଆଗାମୀ ଦିନରେ ମଧ୍ୟ ଆଇଟି କ୍ଷେତ୍ର ଚାହିଦା ଜାରି ରହିବ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି।



