www.samajalive.in
Monday, December 15, 2025
15.1 C
Bhubaneswar

‘ଗେଟ୍’ ସ୍କୋର ଆଧାରରେ ଏଇଇ ନିଯୁକ୍ତି-ପ୍ରଶ୍ନ ଉଠାଇଲେ ଆଶାୟୀ

 

-ବାଦ୍ ପଡ଼ିବେ ହଜାର ହଜାର ପ୍ରାର୍ଥୀ
-ଉଚ୍ଚ ବୟସବର୍ଗ, ଗ୍ରାମାଞ୍ଚଳ ପ୍ରାର୍ଥୀଙ୍କୁ ମିଳିବନି ସୁଯୋଗ
ଭୁବନେଶ୍ବର,୧୯ା୩(ଭୁ.ପ୍ର): ସରକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ)-ସିଭିଲରେ ୩୬୨ ଏବଂ ମେକାନିକାଲ‌େର ୨୯ଟି ପଦରେ ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ବିଜ୍ଞାପନ ପ୍ରକାଶ କରିଛି। ହେଲେ ଏହାର ମନୋନୟନ ପ୍ରକ୍ରିୟାକୁ ନେଇ ବହୁ ଆଶାୟୀ ପ୍ରଶ୍ନ କରିବା ସହ ଗ୍ରାଜୁଏଟ୍ ଆପ୍ଟିଚ୍ୟୁଡ୍ ଟେଷ୍ଟ୍ ଇନ୍ ଇଞ୍ଜିନିୟରିଂ (ଗେଟ୍) ସ୍କୋର ଆଧାରରେ ନିଯୁକ୍ତିକୁ ବିରୋଧ କରିଛନ୍ତି। ଆଶାୟୀଙ୍କ କହିବା କଥା- ଓପିଏସସି ଟେଷ୍ଟ ବଦଳରେ ଗେଟ୍ ସ୍କୋରରେ ମନୋନୟନ କରାଗଲେ ଦୀର୍ଘବର୍ଷ ଧରି ଅପେକ୍ଷା କରି ରହିଥିବା ବହୁ ଆଶାୟୀ ସୁଯୋଗରୁ ବଞ୍ଚିତ ହେବେ। ଗେଟ୍ ସ୍କୋର ଉଚ୍ଚଶିକ୍ଷା ପାଇଁ ଏକ ମାଧ୍ୟମ, ନିଯୁକ୍ତି ପାଇଁ ନୁହେଁ। ଉଚ୍ଚ ବୟସବର୍ଗର ପ୍ରାର୍ଥୀ ଏବଂ ଗ୍ରାମାଞ୍ଚଳ ଆଶାୟୀଙ୍କ ପ୍ରତି ଏହା ଅବିଚାର ହେବ।
ସୂଚନାଯୋଗ୍ୟ ଯେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ନିଯୁକ୍ତି ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରଚଳିତ ପଦ୍ଧତିରେ ସଂଶୋଧନ କରାଯାଇଛି। ଗେଟରେ ଜଣେ ପ୍ରାର୍ଥୀ ପୂର୍ବ ତିନିବର୍ଷରେ ରଖିଥିବା ନମ୍ବର ଆଧାରରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଂଶୋଧନ ୨୦୨୧ ଜାନୁଆରୀ ୨୮ରୁ ଲାଗୁ ହୋଇଛି। ତଦନୁସାରେ, ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇବାଠାରୁ ୩ ବର୍ଷ (ବିଜ୍ଞପ୍ତି ପ୍ରକାଶ ବର୍ଷ ଅନ୍ତର୍ଭୁକ୍ତ)ର ବୈଧ ଗେଟ୍ ସ୍କୋର ଅନୁଯାୟୀ ପ୍ରାର୍ଥୀ ମନୋନୟନ କରାଯିବ। ଆଶାୟୀ ଅଭିଯୋଗ କରିଛନ୍ତି ‌େ‌ଯ ଏହି ମନୋନୟନ ପ୍ରକ୍ରିୟା ପ୍ରତିବର୍ଷ ହୋଇନଥାଏ। ତେଣୁ ପ୍ରତିବର୍ଷ ବର୍ଷେ ପୂର୍ବର ଗେଟ୍ ସ୍କୋରର ବୈଧତା ସମାପ୍ତ ହୋଇଯାଇଥାଏ। ଫଳରେ ପ୍ରାର୍ଥୀଙ୍କୁ ପୁନଃ ଗେଟ୍ ପରୀକ୍ଷା ଦେବାକୁ ପଡ଼ିଥାଏ। ଯେହେତୁ ପ୍ରତିବର୍ଷ ଏଇଇ ମନୋନୟନ ବିଜ୍ଞପ୍ତି ପ୍ରକାଶ ପାଉନାହିଁ; ସେଥିପାଇଁ ପ୍ରାର୍ଥୀମାନେ ଆଶଙ୍କାରେ ରହୁଛନ୍ତି। ଏହି ସଂଶୋଧନ ଯୋଗୁଁ ଅଧିକାଂଶ ଆଶାୟୀ ପ୍ରାର୍ଥୀ ଏଇଇ ପଦ ପାଇଁ ଆବେଦନ କରିବାରୁ ବଞ୍ଚିତ ହେବେ। ଏହାବ୍ୟତୀତ ଉପରୋକ୍ତ ସଂଶୋଧନ ସମ୍ବିଧାନର ବିଭିନ୍ନ ଧାରାକୁ ଉଲ୍ଲଙ୍ଘନ କରୁଥିବା ଆଶାୟୀ ଅଭିଯୋଗ କରିଛନ୍ତି।
ଅନୁରୂପ ଭାବେ ବିହାରରେ ମଧ୍ୟ ଗେଟ୍ ପଦ୍ଧତିରେ ନିଯୁକ୍ତି ପାଇଁ ସଂଶୋଧନ କରାଯାଇଥିଲା। ଯାହାର ଗେଟ୍ ସ୍କୋର ନଥିଲା ବା ଯେଉଁମାନେ ଗେଟ୍ ପରୀକ୍ଷା ଦେଇନଥି‌େ‌ଲ ସେମାନେ ମନୋନୟନ ପ୍ରକ୍ରିୟାରୁ ବଞ୍ଚିତ ହୋଇ ଅଦାଲତର ଆଶ୍ରୟ ନେଇଥିଲେ। ଉକ୍ତ ସଂଶୋଧନକୁ ପାଟନା ଉଚ୍ଚନ୍ୟାୟାଳୟ ବେଆଇନ ବୋଲି କହିବା ସହ ସଂଶୋଧନକୁ ବାତିଲ କରି ସ୍ବତନ୍ତ୍ର ମନୋନୟନ ପ୍ରକ୍ରିୟା ପାଇଁ ଆଦେଶ ଦେଇଥିଲେ। ଏହି ରାୟ ବିରୋଧରେ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରି ପାଟନା ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ବଳବତ୍ତର ରଖିଥିଲେ। ଏହାସତ୍ତ୍ବେ ଓଡ଼ିଶାରେ କିପରି ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିନେଇ ଆଶାୟୀ ପ୍ରଶ୍ନ ଉଠାଇଛନ୍ତି। ଏହି ସଂଶୋଧନ ଉପରେ ପୁନର୍ବିଚାର କରିବାକୁ ସେମାନେ ନିବେଦନ କରିଛନ୍ତି। ଏହା ବିରୋଧରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିବାବେଳେ ଆଗକୁ ଶୁଣାଣି ହେବାର ଅଛି। ହେଲେ ଏହାରି ଭିତରେ ଗେଟ୍ ସ୍କୋର ଆଧାରରେ ମନୋନୟନ କରାଯାଉଥିବା ବହୁ ଆଶାୟୀ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଓପିଏସସିର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି। ଗ୍ରୁପ୍-ଏ ଏବଂ ଅନ୍ୟ ସିଭିଲ ପଦ ଏବଂ ସେବାରେ ଶ୍ରେଷ୍ଠ ମାନବ ସମ୍ବଳ ଯୋଗାଇବା ପାଇଁ ପରୀକ୍ଷା କରିବା ଓପିଏସସିର ଦାୟିତ୍ବ। ଏଇଇରେ ନିଯୁକ୍ତି ଗେଜେଟେଡ୍ ଗ୍ରୁପ୍-ଏ ପଦଗୁଡ଼ିକ ଅଧୀନରେ ଆସେ। ଗ୍ରୁପ୍-ଏ ପଦ ପାଇଁ ଏକ ବ୍ୟକ୍ତିତ୍ବ ପରୀକ୍ଷା ରହିବା ଜରୁରୀ। ଏହା ଗେଜେଟେଡ୍ ଗ୍ରୁପ୍-ଏ ପଦଗୁଡ଼ିକ ପାଇଁ ବାଧ୍ୟତାମୂଳକ। କିନ୍ତୁ ଜଳ ସମ୍ପଦ ବିଭାଗର ଉପରୋକ୍ତ ସଂଶୋଧନ ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ପରୀକ୍ଷା ପଦକ୍ଷେପକୁ ପ୍ରତ୍ୟାହାର କରିସାରିଛି। ପିଏସୟୁ ଏବଂ ଅଣଗେଜେଟେଡ୍ ପଦଗୁଡ଼ିକରେ ଚାକିିରି ପାଇଁ ଗେଟ୍ ସ୍କୋର ଆବଶ୍ୟକ। ଅଧିକ ବୟସବର୍ଗର ବହୁ ପ୍ରାର୍ଥୀ ଗେଟ୍ ପରୀକ୍ଷା ପ୍ରସ୍ତୁତି କରନ୍ତି ନାହିଁ। ତେଣୁ ସେମାନେ ଉକ୍ତ ସଂଶୋଧନ କାରଣରୁ ମନୋନୟନ ପ୍ରକ୍ରିୟାରେ ବଞ୍ଚିତ ହେବେ। ଏପରି ପଦକ୍ଷେପ ଗେଟ୍ ପରୀକ୍ଷା ପାଇଁ କୋଚିଂର ଚାହିଦା ବଢ଼ାଇବ। ସ୍ନାତକୋତ୍ତର ପରେ ଅଧିକାଂଶ ଇଞ୍ଜିନିୟରିଂ ସ୍ନାତକ ଘରୋଇ କମ୍ପାନୀରେ ଯୋଗ ଦିଅନ୍ତି। ଅବକାଶ ସମୟରେ ସେମାନେ ଓପିଏସସି ପାଇଁ ପ୍ରସ୍ତୁତ ହୁଅନ୍ତି। ଗେଟ୍ ପରୀକ୍ଷା ପାଇଁ କୋଚିଂ ନେବାକୁ ସେମାନଙ୍କ ପାଖରେ ସମୟ ନାହିଁ। ସେହିପରି ଛୋଟ ସହର ଓ ଗ୍ରାମାଞ୍ଚଳ ଆଶାୟୀ ମଧ୍ୟ ଏଇଇ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାରୁ ବଞ୍ଚିତ ହେବେ ବୋଲି ଆଶାୟୀ ଆଶଙ୍କା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories