ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଆନ୍ଦୋଳନ ଆଜିଠାରୁ

0

ଭୁବନେଶ୍ୱର:ପେଟ୍ରୋଲ ଓ ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ବିରୋଧରେ ବିଜୁ ଜନତା ଦଳ ସୋମବାର ଠାରୁ ରାଜ୍ୟବ୍ୟାପୀ ତିନିଦିନିଆ ଆନ୍ଦୋଳନର ଡାକରା ଦେଇଛି। ଏହା ବିରୋଧରେ ଜନ ଆନ୍ଦୋଳନ ଗଢ଼ିତୋଳିବା ସହ ତୈଳ ଦର ବୃଦ୍ଧି ପ୍ରତ୍ୟାହାର ନେଇ ରାଜଧାନୀ ସମେତ ପ୍ରତି ବ୍ଲକରେ ଧାରଣା ବିକ୍ଷୋଭ କାର୍ଯ୍ୟକ୍ରମ ହାତକୁ ନେଇଛି। ସୋମବାର ପୂର୍ବାହ୍ନ ୯.୩୦ରୁ ୧୧.୩୦ ପର୍ଯ୍ୟନ୍ତ ବିଜେଡିର କାର୍ଯ୍ୟକର୍ତ୍ତା, ସାଂସଦ, ବିଧାୟକ ଓ ସଦସ୍ୟମାନେ ରାଜଭବନ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ। ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା କରାଯିବା ସହ ଜନସଚେତନତା ସୃଷ୍ଟି ପାଇଁ ସେଠାରେ ଦଳର ନେତା ଓ କର୍ମୀମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବେ। ରାଜଭବନ ସମ୍ମୁଖରେ ଆୟୋଜିତ ହେଉଥିବା ଧାରଣା କାର୍ଯ୍ୟକ୍ରମରେ ପ୍ରାୟ ୫ହଜାର ଦଳୀୟ ନେତା ଓ କର୍ମୀଙ୍କ ସମାବେଶ ହେବ ବୋଲି ଦଳର ସାଧାରଣ ସମ୍ପାଦକ ସଞ୍ଜୟକୁମାର ଦାସବର୍ମା ଓ ଅରୁଣକୁମାର ସାହୁ କହିଛନ୍ତି।
ଶ୍ରୀ ଦାସବର୍ମା କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିରେ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାରେ ଡିଜେଲ ମୂଲ୍ୟ ଲିଟର ପିଛା ୭୩ଟଙ୍କା୨୬ ପଇସା ଓ ପେଟ୍ରୋଲ ୭୫ଟଙ୍କା ୯୮ ପଇସାରେ ପହଞ୍ôଚଛି। ଦରବୃଦ୍ଧି ପଛରେ ବିଶେଷ କିଛି ଯୁକ୍ତି ନଥିବା ବେଳେ କେନ୍ଦ୍ର ସରକାର ଏହି କ୍ଷେତ୍ରରୁ ଅଧିକ ରାଜସ୍ୱ ଆଦାୟ ଲକ୍ଷ୍ୟ ରଖି ମୂଲ୍ୟ ବୃଦ୍ଧି କରୁଛନ୍ତି। କେନ୍ଦ୍ର ଏ କ୍ଷେତ୍ରରୁ ପ୍ରାୟ ୩ଲକ୍ଷ ୨୦ ହଜାର କୋଟି ଟଙ୍କା ଆଦାୟ ଲକ୍ଷ୍ୟ ରଖିଛନ୍ତି। ଏହାକୁ ପ୍ରତ୍ୟାହାର କରିବା ଓ ତୈଳ ଦର କମାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ତୈଳଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ସ୍ପଷ୍ଟ ମତ ନରଖି ଲୋକମାନଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି। ନିଜ ଅପାରଗତାକୁ ଲୁଚାଇବାକୁ ବିଭିନ୍ନ ବାହାନା କରୁଛନ୍ତି। ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଖେଳକୁ ଆଉ ବିଜେଡି ବରଦାସ୍ତ କରିବ ନାହିଁ। ତୈଳଦର ବୃଦ୍ଧି ବିରୋଧରେ ବିଜେଡି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଦଳର ସମ୍ପାଦକ ବିଜୟ ନାୟକ ଚେତାବନୀ ଦେଇଛନ୍ତି।

Leave A Reply