ଭୁବନେଶ୍ବର: କୁଖ୍ୟାତ ଅପରାଧୀ ହାଇଦରର ଏନକାଉଣ୍ଟରରେ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମାମଲା ରୁଜୁ କରିବା ସହ ମାନବାଧିକାର କମିଶନ ପକ୍ଷରୁ ନୋଟିସ୍ ମଧ୍ୟ ଜାରି କରାଯାଇଛି। ଗୃହ ବିଭାଗ ଏସିଏସ୍, ପୁଲିସ ଡ଼ିଜି, ଜେଲ ବିଭାଗ ଡ଼ିଜିଙ୍କ ସହ ଟ୍ବିନ୍ ସିଟି ପୁଲିସ କମିଶନରଙ୍କୁ ମଧ୍ୟ ନୋଟିସ୍ ହୋଇଛି । ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନୋଟିସ୍ ଦିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ଶନିବାର ହାଇଦରକୁ ବାରିପଦା ସ୍ଥାନାନ୍ତର କରାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ସେ ପରିସ୍ରା ଯିବା ବାହାଏକ୍ରେ ଜଣେ ସୁରକ୍ଷାକର୍ମୀଙ୍କଠାରୁ ଏକେ-୪୭ ଛଡ଼ାଇ ନେଇ ଫେରାର ହେବାକୁ ଉଦ୍ୟମ କରିଥିଲା। ପୁଲିସ୍ ତାକୁ ବୁଝାଇବାକୁ ପ୍ରୟାସ କରିଥିଲା। କିନ୍ତୁ ହାଇଦର ବୁଝି ନଥିଲା। ଏହାପରେ ପୁଲିସ୍ କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ତା’ ଉପରକୁ ଗୁଳି କରାଯାଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ କିଛି ସମୟ ପରେ ତା’ର ମୃତ୍ୟୁ ଘଟିଥିଲା।



