ପୁଣି ତେଜିବ ପାରଦ, ୪୫ ଟପିବ

ଭୁବନେଶ୍ବର: ରାଜ୍ୟର ପଶ୍ଚିମାଞ୍ଚଳ ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳେର ତାପମାତ୍ରା ବୃଦ୍ଧି ପାଇଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ହୀରାକୁଦ ସବୁଠୁ ଉତ୍ତପ୍ତ ରହିଛି। ମଙ୍ଗଳବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୩.୮ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୪୩.୬ ଏବଂ ହୀରାକୁଦରେ ୪୩.୩ ଡିଗ୍ରୀ ରହିଛି। ୧୬ ସହରରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ; କିନ୍ତୁ ଏହି ସମୟ ମଧ୍ୟରେ କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକରୁ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ। ୮ ଓ ୯ ତାରିଖରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇପାରେ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ତୋଫାନ ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଇବ। ୯ରୁ ୧୧ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣର କେତେକ ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ଟପିବ। ଭୁବନେଶ୍ବର ସହିତ ଉପକୂଳରେ ଆଂଶିକ ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
Comments are closed.