www.samajalive.in
Sunday, December 14, 2025
23.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା – ବିଦ୍ୟୁତ୍‌ ଆଘାତରେ ୪୦ ମୃତ୍ୟୁ ସନ୍ଦେହ

ବାଲେଶ୍ବର/ବାହାନଗା/ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ଦେଇଛି ଅନେକ ଦୁଃଖ ଓ ଅଲିଭା ଯନ୍ତ୍ରଣା। ଶୁକ୍ରବାରର କାଳ ସନ୍ଧ୍ୟାର ରୋମଟାଙ୍କୁରା ଦୃଶ୍ୟର ଦୁଃଖଦ ସ୍ମୃତିକୁ ଦୋହରାଉଛନ୍ତି ଜୀବନ ବଞ୍ଚାଇଥିବା ଭାଗ୍ୟବାନ। ଦୁର୍ଘଟଣାର କାରଣ ଓ ଭିନ୍ନ ଭିନ୍ନ ଦିଗକୁ ନେଇ ଆରମ୍ଭ ହୋଇଛି ତଦନ୍ତ ଓ ଯାଞ୍ଚ। କେଉଁଥିପାଇଁ ଦୁର୍ଘଟଣା ଘଟିଲା, ଏଥିରେ ବୈଦ୍ୟୁତିକ ବିଚ୍ୟୁତି ଅଛି ନା କିଛି ମାନବୀୟ ତ୍ରୁଟି ରହିଛି ତାହାକୁ ନେଇ ଚାଲିଛି ଅନୁସନ୍ଧାନ। ସରକାରୀ ରେଳ ପୁଲିସ (ଜିଆରପି)ଠାରୁ ମାମଲା ନେବା ସହିତ ନିଜେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମଧ୍ୟ ମାମଲା ରୁଜୁ କରି ସୋମବାର ମଧ୍ୟାହ୍ନଠାରୁ ଯାଞ୍ଚ ଆରମ୍ଭ କରିଛି। ତା ସହିତ ରେଳ ସୁରକ୍ଷା ଆୟୁକ୍ତ ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ଇତିମଧ୍ୟରେ ଏହି ଦୁର୍ଘଟଣା ପଛରେ ଅନ୍ତର୍ଘାତୀ କାର୍ଯ୍ୟର ସନ୍ଦେହ ସୃଷ୍ଟି ହେବାରେ ଲାଗିଛି। ଅନ୍ୟପକ୍ଷରେ ଉଭୟ ଡାଉନ୍‌ ଓ ଅପ୍‌ ଲାଇନ୍‌ ସଜଡା ଯିବା ପରେ ଏବେ ଏହି ଦୁଇ ରେଳ ଧାରଣାରେ ଟ୍ରେନ୍ ଚଳାଚଳ ସ୍ବାଭାବିକ ହୋଇଛି।

ସିବିଆଇ ସୋମବାର ମଧ୍ୟାହ୍ନରୁ ମଙ୍ଗଳବାର ଦ୍ବିପ୍ରହର ଯାଏ ଯାଞ୍ଚକୁ ଜୋରଦାର କରିଛି। ରେଳ ମନ୍ତ୍ରଣାଳୟର ସୁପାରିସ ଓ ରେଳମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ସିବିଆଇ ତଦନ୍ତ କରୁଛି। ମଙ୍ଗଳବାର ସିବିଆଇ ଦଳ ପ୍ରଥମେ ବାହାନଗା ଦୁର୍ଘଟଣା ସ୍ଥଳକୁ ଯାଇଥିଲେ। ରେଳ ଧାରଣା ଯାଞ୍ଚ ସହ ସିଗ୍‌ନାଲ ରୁମ୍‌ ଓ ରିଲେ ରୁମ୍‌ ମଧ୍ୟ ଯାଞ୍ଚ କରିଥିଲେ। କାହିଁକି ମେନ ଲାଇନ୍‌ରେ ସବୁଜ ସଙ୍କେତ (ଗ୍ରୀନ ସିଗନାଲ) ଥିବା ସତ୍ତ୍ବେ ଲୁପ୍‌ ଲାଇନକୁ କରମଣ୍ଡଳ ଦ୍ରୁତଗତିରେ ଯାଇ ଦୁର୍ଘଟଣା ଘଟାଇଲା, ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେଉଛି। ଦୁର୍ଘଟଣା ଦିନ କେଉଁମାନେ ଷ୍ଟେସନରେ ଉପସ୍ଥିତ ଥିଲେ, ଦୁର୍ଘଟଣା ପୂର୍ବରୁ କେଉଁ କେଉଁ ଟ୍ରେନ୍‌ ସେହି ଟ୍ରାକ୍‌ ଦେଇ ଗତି କରିଛି, ସେତେବେଳେ ଲୁପ୍‌ ଲାଇନ ଓ ମେନ୍‌ ଲାଇନର ଅବସ୍ଥା କ’ଣ ରହିଥିଲା, କରମଣ୍ଡଳ ପୂର୍ବରୁ ସିଗ୍‌ନାଲ କେତେବେଳେ ବଦଳା ଗଲା ଓ କିଏ ତାହା କରିଥିଲା ଓ ଦୁର୍ଘଟଣା ପୂର୍ବରୁ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ସିଷ୍ଟମ) ପାଳନ କରାଯାଇଥିଲା କି ନାହିଁ ତାହା ଯାଞ୍ଚ କରାଯାଇଥିଲା। ଷ୍ଟେସନର ରେକର୍ଡ ଲଗ୍‌ ବୁକ୍‌ ଯାଞ୍ଚ ସହିତ ତାହାକୁ ଅଧିକ ଅନୁସନ୍ଧାନ ପାଇଁ ନିଆଯାଇଛି। ସ୍ଥାନୀୟ କିଛି ଲୋକଙ୍କୁ ମଧ୍ୟ ପଚରା ଉଚରା କରିଛନ୍ତି ସିବିଆଇ ଦଳ। ପରବର୍ତ୍ତୀ ସମୟରେ ଲୋକୋ ପାଇଲଟ୍‌ ଓ ସହକାରୀ ଲୋକୋ ପାଇଲଟଙ୍କ ସହ ଷ୍ଟେସନ ମାଷ୍ଟରଙ୍କୁ ପଚରା ଉଚରା କରାଯିବ। ସିବିଆଇ ଅଧିକାରୀ, ରେଳ ବିଭାଗର ଅଧିକାରୀ ଓ ରେଳ ଷ୍ଟେସନ କର୍ମଚାରୀମାନଙ୍କ ସହ ଆଲୋଚନା କରି ଇଣ୍ଟରଲକ ସିଷ୍ଟମ ବାବଦରେ ମଧ୍ୟ ଆଲୋଚନା କରିଥିଲେ। ସିବିଆଇ ଦଳ ଅଢ଼େଇ ଘଣ୍ଟା ଧରି ଦୁର୍ଘଟଣାସ୍ଥଳ ବୁଲି ପରେ ରେଳ ଷ୍ଟେସନରେ ଆଲୋଚନା ପରେ ଫେରିଯାଇଥିଲେ।

- Advertisement -

ଦୁର୍ଘଟଣାର ପ୍ରକୃତ କାରଣ ବାହାର କରିବା ପାଇଁ ସିବିଆଇ ତନାଘନା ଆରମ୍ଭ କରିଥିବା ବେଳେ ଅନ୍ତର୍ଘାତୀ କାର୍ଯ୍ୟ ନେଇ ମଧ୍ୟ ସନ୍ଦେହ ଉପୁଜିଛି। ଜାଣିଶୁଣି ଇଣ୍ଟରଲକିଂ ସିଷ୍ଟମକୁ ଟ୍ୟାମ୍ପରିଂ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ଖୋର୍ଦ୍ଧାରୋଡ ଡିଆରଏମ ରିଙ୍କେଶ ରାୟ। ଅନ୍ତର୍ଘାତୀ କାର୍ଯ୍ୟ ବିନା କୌଣସି ଉପାୟରେ ବି ଇଣ୍ଟରଲକିଂ ସିଷ୍ଟମ ଭୁଲ କରିବାର ସମ୍ଭାବନା ନାହିଁ ବୋଲି କହିଥିଲେ। କେହି ଜାଣିଶୁଣି ଏହାକୁ ଟ୍ୟାମ୍ପରିଂ କରିଛି ବୋଲି ସେ କହିଛନ୍ତି। ଏହାକୁ ଅଧିକ ସନ୍ଦେହଜନକ କରିଛି ବାହାନଗା ଷ୍ଟେସନର କିଛି କର୍ମଚାରୀ ଫେରାର ହେବା ଘଟଣା। ସେଦିନ ଦାୟିତ୍ୱରେ ଥିବା ଅତିରିକ୍ତ ଷ୍ଟେସନ ମାଷ୍ଟର ଏସବି ମହାନ୍ତି ଫେରାର ଥିବାରୁ ରେଳବାଇ ପୁଲିସ ଏକ ମାମଲା ରୁଜୁ କରିଛି। ଏନେଇ ମଙ୍ଗଳବାର ଦାୟିତ୍ୱରେ ଥିବା ଷ୍ଟେସନ ମାଷ୍ଟର ପି.କେ ପଣ୍ଡା କହଛନ୍ତି ଯେ, ସେ ବର୍ତ୍ତମାନ ଏଠାରେ ନାହାନ୍ତି, ହୁଏତ ସେ ଖୋର୍ଦ୍ଧାରେ ଥାଇପାରନ୍ତି।

ଏହାରି ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଯେଉଁମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କୁ ତ ସହଜରେ ଚିହ୍ନଟ କରି ହେଉଛି। ତେବେ ୪୦ରୁ ଅଧିକ ମୃତ ଶରୀରରେ କୌଣସି ଆଘାତର ଚିହ୍ନ ନଥିବା ବେଳେ ଟୋପାଏ ବି ରକ୍ତ କେଉଁଠି ଦେଖିବାକୁ ମିଳି ନଥିଲା। ପରନ୍ତୁ ସେମାନଙ୍କ ଶରୀର କଳା ପଡ଼ି ଯାଇଥିଲା ବେଳେ ପୋଷାକ ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣା ପରେ ୧୧ କେଭି ବିଦ୍ୟୁତ ତାର ଛିଡ଼ି ଯିବାରୁ ଏହି ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବିଦ୍ୟୁତ ତାର ଛିଡ଼ିବା ଯୋଗୁ ଡବାରେ ବିଦ୍ୟୁତ ସରବରାହ ହୋଇଥିବା ଓ କିଛି ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଏନେଇ ରେଳ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ସରକାରୀ ସୂଚନାରେ ଏଯାଏ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରାଯାଇଛି। ସେଥିରୁ ୧୯୩ଟି ମୃତ ଦେହ ଭୁବନେଶ୍ବର ପହଞ୍ଚିଛି। ବାଲେଶ୍ବର ଓ ଭଦ୍ରକର ବିଭିନ୍ନ ଡାକ୍ତରଖାନାରୁ ମୃତକଙ୍କ ସଂଖ୍ୟା ମିଶିବା ପରେ ଏହା ୨୮୮ ବୋଲି କୁହାଯାଇଛି। ସେଥିରୁ ୨୦୫ ଶବ ଚିହ୍ନଟ କରାଯାଇଛି ଓ ତାହାକୁ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବାଲେଶ୍ବରର ୧୪, ମୟୂରଭଞ୍ଜର ୯, ଭଦ୍ରକର ୮, କଟକର ୩, ଯାଜପୁରର ୨, ଖୋର୍ଦ୍ଧାର ୨ ଓ କେଉଁଝର ଜିଲାର ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶାର ମୋଟ ୩୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରୁ ୩୧ ଜଣ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୩ଟି ମୃତଦେହ ସଂରକ୍ଷିତ କରି ରଖାଯାଇଛି। ଯଦି ଏହାର ଦାବିଦାର କେହି ନ ମିଳନ୍ତି, ତେବେ ସମସ୍ତଙ୍କର ଡିଏନଏ ରିପୋର୍ଟ ରଖାଯିବ, ଯାହା ପରବର୍ତ୍ତୀ ସମୟରେ ଆଇନଗତ ଭାବେ ଚିହ୍ନଟ ପାଇଁ ସହଜ ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତ କରି କଟକରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କୁ ଦେଖିବା ସହିତ ଏଯାଏ ତାଙ୍କ ରାଜ୍ୟର ୩୧ ଜଣ ଯାତ୍ରୀ ନିଖୋଜ ଥିବା କହିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories