ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା କଲେଜର ଏନଏସଏସ ଓ ଯୁବ ରେଡକ୍ରସ ପକ୍ଷରୁ ଏକ ହିମୋଗ୍ଲୋବିନ୍ ପରୀକ୍ଷା ଏବଂ ରକ୍ତ ବର୍ଗୀକରଣ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ସ୍ନେହଲତା ତ୍ରିପାଠୀ ଉଦ୍ଘାଟନ କରିବା ସହ ସ୍ୱାସ୍ଥ୍ୟ ହିଁ ପ୍ରକୃତରେ ସଂପଦ, ତେଣୁ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ ବୋଲି ଛାତ୍ରୀମାନଙ୍କୁ ଉଦ୍ବୋଧନ ଛଳରେ କହିଥିଲେ। ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ସ୍ମିତା ମହାପାତ୍ର ଓ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପମଞ୍ଜରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ଏନଏସଏସ ଓ ଯୁବ ରେଡକ୍ରସର ୧୦୦ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଛାତ୍ରୀଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ଯେଉଁମାନଙ୍କର ହିମୋଗ୍ଲୋବିନ୍ ସ୍ତର ଆବଶ୍ୟକତା ଠାରୁ କମ୍ ରହିଛି ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାପାଇଁ କୁହାଯାଇଥିଲା। ଆଠଗଡ଼ ଡାକ୍ତରଖାନାର ଲାବୋରେଟୋରୀ ଟେକ୍ନିସିଆନ୍ ସୁକାନ୍ତ କୁମାର ସେଠୀ, ଶ୍ରୀକାନ୍ତ ମହାନ୍ତି, ସହଯୋଗୀ ସର୍ବେଶ୍ୱର କଅଁର ଏବଂ ସ୍ୱାସ୍ଥ୍ୟମିତ୍ର ଦିଲ୍ଲୀପ କୁମାର ମହାରଣା ରକ୍ତ ପରୀକ୍ଷା କରିଥିଲେ। ଏହି ଶିବିର ପରିଚାଳନାରେ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ।
Popular Categories



