ଲାଞ୍ଜିଗଡ: ଓଡ଼ିଶାର କୋରାପୁଟ ଜିଲ୍ଲା ସୁନାବେଡା ଠାରେ ମାର୍ଚ୍ଚ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ରାଜ୍ୟ ରେଂକିଙ୍ଗ ତିରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ସଂସ୍ଥା ଓ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼୍ ମିଳିତ ଆନୁକୂଲ୍ୟରେ ଏଥିରେ ଜିଲ୍ଲାର ଲାଞ୍ଜିଗଡ ବ୍ଳକ ଏସଏସଡି ସ୍କୁଲ ଓ ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ସ୍କୁଲର ୧୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଏହି ପ୍ରତିଯୋଗୀତାରେ ବିଭିନ୍ନ ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଲାଞ୍ଜିଗଡ ଏସଏସଡି ସ୍କୁଲର ସଞ୍ଜୟ ମାଝୀ ସିନିୟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜୁନିୟର ବର୍ଗରେ ବିକ୍ରମ ମାଝୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଉକ୍ତ ସ୍କୁଲର ଶୀମାଞ୍ଚଳ ମାଝୀ ସବ୍ ଜୁନିୟର ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଏହି ପ୍ରଥମ ସ୍ଥାନ ଅଧିକାର କରିଥିବା ୩ ପ୍ରତିଯୋଗୀଙ୍କୁ ମାନପତ୍ର, ମେଡାଲ ଓ ୭ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗୀ ମାନେ ଗତ ୨୦୨୨ ମସିହା ଅକ୍ଟୋବର ମାସରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଠାରେ ହୋଇଥିବା ରାଜ୍ୟ ସ୍ତରୀୟ ତିରନ୍ଦାଜ୍ ପ୍ରତିଯୋଗିତାରେ ଭାଗ ନେଇ ୧୩ ପଦକ ହାସଲ କରିବା ସହିତ ଏହି କୋରାପୁଟ ଠାରେ ହେଉଥିବା ଦ୍ୱିତୀୟ ରାଜ୍ୟ ରେଂକିଙ୍ଗ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଖେଳାଳିଙ୍କ ସହିତ ତିରନ୍ଦାଜ୍ କୋଚ୍ ଶୀମାଞ୍ଚଳ କାଟ୍ରାକା, ମ୍ୟାନେଜର ଭାବେ ବିଳାସିନୀ ସେଠ୍ ଓ ଲାଞ୍ଜିଗଡ ବେଦାନ୍ତ ଲିମିଟେଡ଼ ସିଏସଆର ବିଭାଗର ଅଭିନଭ ପ୍ରତାପ ମଧ୍ୟ କୋରାପୁଟର ସୁନାବେଡାକୁ ଗସ୍ତ କରିଥିଲେ। ଏହି ଦ୍ଵିତୀୟ ରାଜ୍ୟ ରେଂକିଙ୍ଗ ତୀରନ୍ଦାଜ ପ୍ରତିଯୋଗୀତାରେ ଭାଗ ନେଇ ଜିଲ୍ଲା ପାଇଁ ଗୌରବ ଆଣିଥିବା ଯୋଗୁଁ ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ବେଦାନ୍ତ ଲିମିଟେଡ଼୍ ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାଏ, ଲାଞ୍ଜିଗଡ ଏସଏସଡି ସ୍କୁଲ ପ୍ରଧାନଶିକ୍ଷକ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ଡିଏଭି ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା ପ୍ରମୁଖ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି।



