କେନ୍ଦୁଝରଗଡ଼଼: ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ପକ୍ଷରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଶୁକ୍ରବାର ଅପରାହ୍ନରେ ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୩ ଉଦ୍ଘାଟିତ ହୋଇଯାଇଛି। ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍ଘାଟନ କରିବା ଅବସରରେ କେନ୍ଦୁଝର ଜିଲାର ଚାଷୀ ଭାଇ ଓ ଭଉଣୀ ଏହି ମେଳାର ସୁଯୋଗ ନେବାସହ ରିଆତି ମୂଲ୍ୟରେ କୃଷି ଯନ୍ତ୍ରପାତି କିଣିପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମେଳା କୃଷକଙ୍କ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିବା ବେଳେ କୃଷି ଯନ୍ତ୍ରପାତି କ୍ରୟ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ରିଆତିର ଲାଭ ଉଠାଇବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ମୁଖ୍ୟ ଯନ୍ତ୍ରୀ ମୁକ୍ତିକାନ୍ତ ମହାପାତ୍ର ସଭାରେ ଅଧ୍ୟକ୍ଷତା କରି ସରକାରଙ୍କ ଏହି ମେଳା ମାଧ୍ୟମରେ କୃଷକଙ୍କୁ ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟ ପାଇଁ ପ୍ରୋତ୍ସାହନ ସୃଷ୍ଟି କରିବା ସହ କୃଷି କାର୍ଯ୍ୟରେ କିଭଳି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ଦ୍ୱାରା ସ୍ୱଳ୍ପ ମୂଲ୍ୟ ଓ ସ୍ୱଳ୍ପ ସମୟରେ ଅଧିକ ଲାଭ ହାସଲ କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି ମେଳାରେ ସରକାରଙ୍କ ପକ୍ଷରୁ ୧୧ଟି, ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ୮ଟି ଏବଂ ଘରୋଇ ଉଦ୍ୟୋଗ ପକ୍ଷରୁ୬୨ଟି ଷ୍ଟଲକୁ ମିଶାଇ ମୋଟ ୮୧ଟି ଷ୍ଟଲ ପ୍ରଦର୍ଶିର୍ିତ ହୋଇଥିବା ବେଳେ ଏହା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ବିଜୟ କୁମାର ସ୍ୱାଇଁ ଏହି ଅବସରରେ ସୂଚନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ମେଳା ମାଧ୍ୟମରେ ଜିଲାର ୧୮୨୪ଜଣ ହିତାଧିକାରୀ ଟ୍ରାକ୍ଟର, ରୋଟାମିଟର, କମ୍ବାଇନ ହାରଭେଷ୍ଟର, ଧାନ କଳ, ଅଟା କଳ ଆଦି ୩୨କୋଟି ୨୪ଲକ୍ଷ ୭ହଜାର ୩୬୫ ଟଙ୍କା ମୂଲ୍ୟର ବହୁ ଉନ୍ନତମାନର ଯନ୍ତ୍ରପାତି ଯୋଗାଣ ନିମନ୍ତେ ପଞ୍ଜିକୃତ ହୋଇସାରିଛନ୍ତି। ସେଥିମଧ୍ୟରୁ ଶୁକ୍ରବାର ସୁଦ୍ଧା ଜିଲାର ୭୧୯ଜଣ ଚାଷୀ ୪କୋଟି ୫୬ଲକ୍ଷ ୫୯ହଜାର ୭୦୮ଟଙ୍କା ରିଆତି ମୂଲ୍ୟରେ ୧୨କୋଟି ୫୮ଲକ୍ଷ ୬୪ହଜାର ୩୦୦ଟଙ୍କା ମୂଲ୍ୟର ଯନ୍ତ୍ରପାତି କ୍ରୟ କରିଥିବା ଜିଲା କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ରାଉତ ଏହି ସୂଚନା ଦେଇଛନ୍ତି।
Popular Categories



