କେନ୍ଦୁଝରଗଡ଼଼: ଜିଲାପାଳ କାର୍ଯ୍ୟାଳୟ ଦରବାରହଲ ଠାରେ ଶୁକ୍ରବାର ଜିଲା ଯୋଜନା କମିଟି ବୈଠକ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଜିଲାପାଳ ଆଶିଷ ଠାକରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କେନ୍ଦୁଝର ଜିଲାରେ ଗଛିତ ପ୍ରାକୃତିକ ସମ୍ପଦ ଓ ମାନସମ୍ବଳର ଭରପୁର ସୁବିନିଯୋଗ କରି ଜିଲା ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଜନସାଧାରଣଙ୍କ ମାନଧାରଣରେ କିଭଳି ଉନ୍ନତି ହୋଇପାରିବ ଏବଂ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିପାରିବ ସେ ଦିଗରେ ଅଧିକାରୀ ଓ ଲୋକ ପ୍ରତିନିଧି ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅଧ୍ୟକ୍ଷ ଶ୍ରୀ ନାଏକ ଆହ୍ୱାନ ଜଣାଇଥିଲେ। ଜିଲାସ୍ତରୀୟ ଅଧିକାରୀଙ୍କ ଠାରୁ ସେମାନଙ୍କ ବିଭାଗ ବାବଦରେ ପ୍ରାପ୍ତ ୨୦୨୨-୨୩ ଚିଠା ପ୍ରସ୍ତାବ ଏକତ୍ରିକରଣ କରାଯାଇ ଜିଲା ପାଇଁ ମୋଟ ୨୭୬୮କୋଟି ୪ଲକ୍ଷ ୬୦ହଜାର ଟଙ୍କାର ବାର୍ଷିକ ଯୋଜନା ଅନୁମୋଦନ ଲାଭ କରିଥିଲା। ଜିଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଗଜେନ୍ଦ୍ର ବେହେରା ବାର୍ଷିକ ଚିଠା ପ୍ରସ୍ତାବ ସମ୍ପର୍କିିତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲାସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ କାର୍ଯ୍ୟକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିଶଦ ଭାବେ ଗୃହରେ ଅବଗତ କରିଥିଲେ। ସବିଶେଷ ଆଲୋଚନା ପରେ ଚିଠା ପ୍ରସ୍ତାବକୁ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭ କରିଥିଲା। ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ, ସହରାଞ୍ଚଳ ବିକାଶ, ଉଦ୍ୟାନ କୃଷି ଓ ମାଛ ଚାଷ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଲୋକସଭା ସଦସ୍ୟା ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଡିଏଫଓ କେନ୍ଦୁଝର ଧନରାଜ ଏଚ.ଡି. ଜିଲାପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ଡିଏଫଓ ଅଜୟ କୁମାର ଦଳାଇ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଜିଲା ଯୋଜନା କମିଟି ସଦସ୍ୟ ସଦସ୍ୟା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ସହକାରୀ ନିର୍ଦ୍ଦେଶକ ଜୟରାମ ଟୁଡୁଙ୍କ ସମେତ ଡିପିଏମୟୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



