ଚାନ୍ଦିପୁଟ: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ସ୍ଥିତ ହାଟପଦା ପୋଲ ଉପରେ ଅଟୋ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଭାରସାମ୍ୟ ହରାଇ ଅଟୋଟି ୧୫ ଫୁଟ୍ ତଳକୁ ଖସି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଛଅ ଜଣ ଶ୍ରମିକ ଆହତ ହେବା ସହ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇଛନ୍ତି। ସମୁଦାୟ ଆଠ ଜଣ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କୁ ବ୍ରହ୍ମପୁର ଏମକେସିଜିକୁ ପଠାଇଯାଇଛି। ଗୁରୁତର ଆହତ ବ୍ୟକ୍ତି ତିନି ଜଣ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଶିରିଷାଗୁଡା ଗ୍ରାମର ଲକିଚନ୍ଦ୍ର ସୋମରାଥ (୫୫), ସିନ୍ଧୁ ବାତ୍ରା (୪୦) ଏବଂ ମୋହନା ଥାନା ବାଘମାରି ଗ୍ରାମର ବୌକୁଣ୍ଠ ଦଳବେହେରା (୨୫)। ଆହତ ବ୍ୟକ୍ତି ମାନେ ହେଲେ ବାଇକ ଆରୋହୀ ବାଘମାରୀ ଅଞ୍ଚଳର ଗୋରାସାଙ୍ଗ ଦଳବେହେରା (୨୨), ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଶିରିଷାଗୁଡାର ଚୈତନ୍ୟ ସୋମରଥ (୪୫), କେଶବ ସୋମରଥ (୨୩), ଚିଣ୍ଟୁ ବାତ୍ରା(୧୮) ଓ ଦିବାକର ବାତ୍ରା (୩୨)।
ଗଜପତି ଜିଲ୍ଲା ଶିଆଳିଲଟି ଅଞ୍ଚଳର ଲୁହାଖମ୍ବ ରାଇବାଡରେ ଚାଲିଥିବା ରାସ୍ତା କାମରେ କାମ କରୁଥିବା ଛଅ ଜଣ ଶ୍ରମିକ ନିଜ ଗ୍ରାମ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ଶିରିଷିପଦା ଗ୍ରାମକୁ ଯିବାପାଇଁ ବାହାରିଥିଲେ। ଶିଆଳିଲଟିରୁ ଏକ ଅଟୋ ଭଡାରେ ନେଇ ମୋହନା ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଜି ଅପରାହ୍ନରେ ଚାନ୍ଦିପୁଟ ଗ୍ରାମର ହାଟପଦା ପୋଲୋ ଠାରେ ମୋହନାରୁ ବାଘମାରି ଅଭିମୁଖେ ଯାଉଥିବା ହୋଣ୍ଡାସାଇନ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ୧୫ଫୁଟ ତଳକୁ ଓଲଟି ପଡିଥଲା।



