ଆନନ୍ଦପୁର ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ 

କେନ୍ଦୁଝରଗଡ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ପାଇଁ ପ୍ରାୟ ୪୨ କୋଟି ଟଙ୍କାର ୧୬ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ  କରିଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରାୟ ୧୧୮ କୋଟି ଟଙ୍କା ବ୍ୟୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶ, ମଲ୍ଟି ପର୍ପୋଜ ହଲ ନିର୍ମାଣ, ସେମିନାର ହଲ ନିର୍ମାଣ, ଖେଳପଡିଆର ଉନ୍ନତିକରଣ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୩ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ କୋଟି ଟଙ୍କା ଏବଂ କେନ୍ଦୁଝର ଡିଏମ୍ଏଫ୍  ପାଣ୍ଠିରୁ ୨ କୋଟି ଟଙ୍କା ଏହି ମହାବିଦ୍ୟାଳୟକୁ ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ଏଥିସହିତ ଆନନ୍ଦପୁର ମହାବିଦ୍ୟାଳୟକୁ ସମୁଦାୟ ୭ କୋଟି ଟଙ୍କାର ଆର୍ଥିକ ସାହାଯ୍ୟ ଯୋଗାଇବା ସହିତ ଏହାକୁ ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପାଇଁ ସମସ୍ତ କାର୍ଯ୍ୟ ସମ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ପାଇଁ ୨ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିବା ବେଳେ ଆନନ୍ଦପୁର ଠାରେ ଷ୍ଟାଡିଅମର ପୂର୍ଣ୍ଣାଙ୍ଗ ପାଇଁ ୨୦ କୋଟି ଟଙ୍କାର ଆର୍ଥିକ ସହାୟକ ଘୋଷଣା କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆନନ୍ଦପୁର ମହାବିଦ୍ୟାଳୟର ଶୈକ୍ଷିକ ପରିବେଶ ଅନନ୍ୟ। ପ୍ରତିବର୍ଷ ଏହି ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବିଭିନ୍ନ ବିଷୟରେ ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଶୀର୍ଷତମ ସ୍ଥାନ ଅଧିକାର କରି ଏହି ଅନୁଷ୍ଠାନର ଗାରିମାକୁ ବହୁଗୁଣିତ କରିଛନ୍ତି l ଏପରି ଏକ ମହାନ ଅନୁଷ୍ଠାନରେ ମୁଁ ଅଧ୍ୟୟନ କରିବାର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେକରେ l
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆନନ୍ଦପୁର ମହାବିଦ୍ୟାଳୟରେ ପଢ଼ୁଥିବା ସମୟର ସ୍ମୃତି ବଖାଣିଥିଲେ। ନିଜ ପୁରାତନ ଶିକ୍ଷକ ଓ ବନ୍ଧୁ ମାନଙ୍କ ବିଷୟରେ କହି ସେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ୧୯୮୭ ମସିହାରେ + ୨ ବିଜ୍ଞାନ ପଢ଼ୁଥିବା ସମୟର ଅନେକ ଘଟଣାକୁ ମନେ ପକାଇବା ସହିତ ବରିଷ୍ଠ ବନ୍ଧୁ ମାନଙ୍କ ସାହାଯ୍ୟ ବିଷୟରେ କହିଥିଲେ।
ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ତୁମ ମାନଙ୍କୁ ଦିନେ ସଫଳ କରାଇବ। ନିଜ ପରିଶ୍ରମ ଉପରେ ଦୃଢ଼ ବିଶ୍ଵାସ ଏବଂ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ହିଁ ତୁମ ମାନଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ  ବୋଲି ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ।
ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ବର୍ତ୍ତମାନ ଶିକ୍ଷା ପାଇବା ଏକ ବଡ ସମସ୍ଯା ନୁହେଁ, ସବୁଠାରୁ ବଡ ସମସ୍ଯା ହେଉଛି ଗୁଣାତ୍ମକ ଶିକ୍ଷା। ଯୁବବର୍ଗଙ୍କୁ ଉତ୍ତମ ଶିକ୍ଷା ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଦକ୍ଷତା ବିକାଶ କରି ସେମାନଙ୍କୁ ଭାରତର ବିକାଶଧାରାରେ ସାମିଲ କରିବା ଲକ୍ଷ୍ୟରେ ଆମେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦କୁ କାର୍ଯ୍ୟକାରୀ କରିଛୁ । ଯୁବପିଢ଼ିଙ୍କୁ ଏକ ସାମଗ୍ରିକ ଏବଂ ଉପାଦେୟ ଶିକ୍ଷା ବ୍ୟବସ୍ଥା ପ୍ରଦାନ କରି ଯୋଗ୍ୟ କରିବା ଲକ୍ଷ୍ୟ ହେଉଛି ଏହି ନୂତନ ଶିକ୍ଷା ନୀତିର ଉଦ୍ଦେଶ୍ୟ। କିନ୍ତୁ, ଦୁଃଖର କଥା ରାଜନୈତିକ କାରଣରୁ ଏହାକୁ ଓଡିଶାରେ କାର୍ଯ୍ୟକରି କରାଯାଇ ନଥିଲା। କିନ୍ତୁ, ଆମ ସରକାର ଆସିବା ମାତ୍ରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ, ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦   କାର୍ଯ୍ୟକାରୀ କରାଯାଇଛି ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚାକୁ ଓଡ଼ିଶା ପାଇଁ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ଭାବରେ ମଧ୍ୟ ଗ୍ରହଣ କରାଯିବ। ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ମହାବିଦ୍ୟାଳୟସ୍ତରରେ ପି.ଏମ୍‍. ଉଷା ଯୋଜନା ଲାଗୁ କରାଯାଉଛି। ଏହି ଯୋଜନାରେ ଗୁଣାତ୍ମକ ଶିକ୍ଷାଦାନ, ଆଇ.ସି.ଟି. ଆଧାରିତ ଭିତ୍ତିଭୂମି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି ବୋଲି ସେ କହିଥିଲେ।
ସେ ପୁଣି କହିଥିଲେ ଯେ, ଉଚ୍ଚ ଶିକ୍ଷାରେ ଆମ ସରକାର ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଆମ ସରକାର ଉଭୟ ଶିକ୍ଷା ଏବଂ ପରୀକ୍ଷାରେ ସଂସ୍କାର ଆଣିଛନ୍ତି। ଶିକ୍ଷାର ମାନ ବୃଦ୍ଧି କରିବା ସହିତ ବିଦ୍ୟାର୍ଥୀମାନେ କିପରି ଭାବେ ମେରିଟ ଅନୁଯାୟୀ ଚାକିରି ଏବଂ ଉଚ୍ଚ ଶିକ୍ଷା ପାଇବେ ସେଥିପାଇଁ ଆମେ କାର୍ଯ୍ୟ କରୁଛୁ। ଏଣିକି, ଚାକିରି କେବଳ ସେମାନେ ପାଇବେ, ଯେଉଁମାନେ ହକଦାର। ସରକାରୀ ଚାକିରି ସେମାନଙ୍କ ପାଇଁ ନୁହେଁ, ଯାହା ପକେଟରେ ପଇସା ଅଛି। ଆପଣମାନ ସମସ୍ତେ ଅଧ୍ୟବସାୟ କରନ୍ତୁ, ପରିଶ୍ରମ କରନ୍ତୁ। ଆଗାମୀ ପାଞ୍ଚ ବର୍ଷରେ ଅତି କମରେ ୨ ଲକ୍ଷ ସରକାରୀ ଚାକିରିର ଦ୍ଵାର ଆପଣଙ୍କ ପାଇଁ ଅପେକ୍ଷା କରି ରହିଛି, ଯାହା ସ୍ଵଚ୍ଛ ଏବଂ ଦୁର୍ନୀତିମୁକ୍ତ ପ୍ରକ୍ରିୟାରେ ହେବ।
ଆମ ରାଜ୍ୟର ଉନ୍ନତିରେ ଶିକ୍ଷା ଏକ ବହୁତ ବଡ ମାଧ୍ୟମ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ବଜେଟରେ କେବଳ ଶିକ୍ଷା ପାଇଁ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରାଯାଇଛି ଯାହା ମୋଟ ବଜେଟର ୧୪.୨ ପ୍ରତିଶତ ଏବଂ ଜିଏସଡିପି ର ୩.୯ ପ୍ରତିଶତ ଯାହା ସାରା ଦେଶରେ ପ୍ରାୟ ସବୁଠାରୁ ଅଧିକ। କେବଳ ଉଚ୍ଚଶିକ୍ଷା ପାଇଁ ୩ ହଜାର ୬୫୫ କୋଟି ଟଙ୍କାର ବ୍ୟବସ୍ଥା  କରାଯାଇଛି। ଏଥିରୁ, ଆପଣମାନେ ସରକାରଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଜାଣିପାରିବେ। ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା, ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ଛାତ୍ରଙ୍କ ବିକାଶପାଇଁ ଆମ ସରକାର ସମସ୍ତ ପଦକ୍ଷେପ ନେବେ ଏବଂ ଓଡ଼ିଶାର ଶିକ୍ଷାର ବିକାଶ ଦ୍ଵାରା ଓଡ଼ିଆ ଛାତ୍ର ଓ ଶିକ୍ଷକ ଜାତୀୟ ଓ  ଅନ୍ତର୍ଜାତୀୟ ମାନକ ଓ ସୂଚକାଙ୍କରେ ସମକକ୍ଷ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Comments are closed.