୯ରୁ ଶ୍ରୀରାମ ବାଟିକାରେ ନାମଯଜ୍ଞ

ସମ୍ବଲପୁର: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରର ଉପକଣ୍ଠସ୍ଥ ସିଂଦୂରପଙ୍କ ନିକଟସ୍ଥ କେନଘାଟି ସ୍ଥିତ ଶ୍ରୀରାମ ବାଟିକା ଠାରେ ଅଖଣ୍ଡ ୨୪ ପ୍ରହରୀ ନାମାଯଜ୍ଞ ଅନୁଷ୍ଠିତ ହେବ। ବିଶ୍ୱ ଶାନ୍ତି ଓ ଜଗତ କଲ୍ୟାଣ ଉଦେଶ୍ୟରେ ବିଗତ ୬ ବର୍ଷ ଧରି ଏଭଳି ଅଖଣ୍ଡ ଚବିଶି ପ୍ରହରୀ ନାମାଯଜ୍ଞ ଆୟୋଜନ ହୋଇ ଆସୁଛି। ୫ ତାରିଖ ବୁଧବାର ଦିନ ଅଧିବାସ, ୬ ତାରିଖ ପ୍ରଥମ ପ୍ରହରରୁ ନାମଯଜ୍ଞ ଆରମ୍ଭ ହେଉଥିବା ବେଳେ ୯ ତାରିଖରେ ପୂର୍ଣ୍ଣାହୁତି ଓ ନଗର କୀର୍ତ୍ତନ ଅନୁଷ୍ଠିତ ହେବ। ପାଖ ଆଖର ୨୦ ଓ ପଡୋଶୀ ଛତିଶଗଡ଼଼ ରାଜ୍ୟରୁ ୨୦ ଟି ପ୍ରତିଷ୍ଠିତ ସଂକୀର୍ତନ ଦଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନାମଯଜ୍ଞ ଦଳ ବ୍ୟତୀତ ୧୦୦ରୁ ଊର୍ଦ୍ଧ୍ବ ସାଧୁ ସନ୍ଥ, ପ୍ରତିଷ୍ଠିତ ନାଗାବାବା, ମହାମଣ୍ଡଳେଶ୍ୱର ଆଦି ଯୋଗ ଦେବା ପାଇଁ ଶ୍ରୀରାମ ବାଟିକାରେ ପହଂଚିବା ଆରମ୍ଭ କରିସାରିଲେଣି। ବଲିଉଡ ଗାୟକ କୈଳାଶ ଖେରଙ୍କ ଭାଇ ସନ୍ଥ ମହାରାଜ ପ୍ରଦୀପ ଖେର, ପୁରୀର ମହାମଣ୍ଡଳେଶ୍ୱର ଶ୍ରୀ ଶ୍ରୀ ବଂଶୀଧର ଦାସ ଜୀ ମହାରାଜ, ଗୋପାଳଜୀ ମଠ ମହନ୍ତ ଶ୍ରୀ ଶ୍ରୀ ହୃଷିକେଶ ଦାସ ମହାରାଜ, ମଣ୍ଡଳ ଶ୍ରୀ ରାଜେନ୍ଦ୍ର ପୁରୀ ଜୀ ମହାରାଜ, ମଣ୍ଡଳ ଶ୍ରୀ ମହନ୍ତ ରମାନନ୍ଦ ପୁରୀ ଜୀ ମହାରାଜ, ନାମ ଆଚାର୍ଯ୍ୟ ମହନ୍ତ ଶ୍ରୀ ସନ୍ଥ ଚରଣ ଦାସ ଜୀ ମହାରାଜ ପ୍ରମୁଖ ଅଧିବାସ ଠାରୁ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଯଜ୍ଞ ସ୍ଥଳୀରେ ଉପସ୍ଥିତ ରହିବେ ବୋଲି ଆୟୋଜକ ଶତ୍ରୁଘନ ଲାଲ ସାହା ସୂଚନା ଦେଇଛନ୍ତି। ସମ୍ବଲପୁରବାସୀଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା ସହିତ ସମସ୍ତଙ୍କ ନିରୋଗ କାମନା ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ପ୍ରତିବର୍ଷ ଶ୍ରୀରାମ ବାଟିକାରେ ଅଖଣ୍ଡ ଚବିଶି ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ୯ ତାରିଖରେ ଦୂର ଦୁରାନ୍ତରୁ ଆସିଥିବା ସାଧୂସନ୍ଥଙ୍କ ସେବା କାର୍ଯ୍ୟକ୍ରମ କରାଯିବ। ଏତେ ସଂଖ୍ୟକ ସାଧୁସନ୍ଥଙ୍କୁ ଏକାଠି ଦର୍ଶନ ସହ ସେମାନଙ୍କ ଆଶୀର୍ବାଦ ନେବାକୁ ଅନୁରୋଧ ସହିତ ଭକ୍ତ ମାନଙ୍କୁ ଅଖଣ୍ଡ ଚବିଶି ପ୍ରହରୀ ନାମଯଜ୍ଞରେ ସାମିଲ ହେବା ଏବଂ ପ୍ରତ୍ୟହ ଅନ୍ନଭୋଗ ଗ୍ରହଣ କରିବାକୁ ଶ୍ରୀ ସାହା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Comments are closed.