କେନ୍ଦୁଝରଗଡ଼଼: କେନ୍ଦୁଝର ବନଖଣ୍ଡ ଅଧିନ ତେଲକୋଇ ବନାଞ୍ଚଳ ଅଧିନ ତାଳପଦା ପଞ୍ଚାୟତ ବଡଖମଣ ଗ୍ରାମରୁ ପ୍ରାୟ ୭ କି.ମି. ଦୂର କଳାପାଟ ସଂରକ୍ଷିତ ଜଙ୍ଗଲରୁ ଏକ ୨ବର୍ଷର ମାଈ କଲରାପତରିଆ ବାଘର ମୃତ ଦେହକୁ ବନ ବିଭାଗ ଶୁକ୍ରବାର ସନ୍ଧ୍ୟାରେ ଠାବ କରିଛି। ବନ ବିଭାଗର ହାତୀ ସ୍କ୍ୱାର୍ଡ ପକ୍ଷରୁ ଉକ୍ତ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ କମ୍ବିଂ ଜାରି ରହିଥିବା ବେଳେ ମୃତ ବାଘ ଜଙ୍ଗଲ ମଧ୍ୟରେ ପଡ଼ିଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ଶନିବାର ସକାଳୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି., ଡବ୍ଲ୍ୟୁଟିଆଇର ବନ୍ୟପ୍ରାଣୀ ଚିକିତ୍ସକ ଡାକ୍ତର ବ୍ରଜରାଜ, ବନ୍ୟଜନ୍ତୁ ସଂଶୋଧକ ଶିବାଶିଷ ଓ ଶାନ୍ତିଭୂଷଣଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ବନସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମୃତ ବାଘକୁ ଉଦ୍ଧାର କରାଯାଇଥିଲା। ତେବେ ବାଘଟି ୨୦ଦିନ ତଳୁ ମରି ପଡ଼ିଥିବା ଏବଂ ବାଘର ନଖ, ଦାନ୍ତ ଓ ଛାଲ ରହିଥିବାରୁ ଏହା ଶୀକାର ହୋଇନଥାଇ ପାରେ ବୋଲି ବନବିଭାଗ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ମୃତ ବାଘର ନମୂନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫ୍ ହେଲ୍ଥ ଓୟୁଏଟି ଭୁବନେଶ୍ୱରକୁ ଆସନ୍ତାକାଲି ପଠାଯିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ କେନ୍ଦୁଝର ଶ୍ରୀ ଧନରାଜ ଏହା କହିଛନ୍ତି। ତେବେ ୨ବର୍ଷର ଏହି ଶିଶୁ ବାଘଟି କେଉଁ କାରଣରୁ ମୃତ୍ୟୁବରଣ କରିଛି ସେ ସମ୍ପର୍କରେ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।
Popular Categories



