ଧର୍ମଗଡ଼଼: ଗୋଲାମୁଣ୍ଡା ଥାନା କାର୍ଲି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ। କକା ଓ ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା। ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପୁଲିସ ଛାନଭିନ ଆରମ୍ଭ କରିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି।
ଏକ ଅଭାବନୀୟ ଘଟଣା କ୍ରମରେ ଆଜି ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ କାର୍ଲି ଗାଁରେ ପୁତୁରାର ଟାଙ୍ଗିଆ ଚୋଟରେ କକା ଏବଂ ଖୁଡୀଙ୍କ ମୃତ୍ୟୁ ଘଟିଛି। ହତ୍ୟାକାରୀ ପୁତୁରା ବସନ୍ତ ବାଗକୁ ଦଶପୁର ଫାଣ୍ଡିରେ ଅଟକ ରଖି ପୁଲିସ ତଦନ୍ତ କରୁଛି।
ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନରେ କାର୍ଲି ଗାଁର ବୁଡୁ ବାଗ ଏବଂ ତାଙ୍କ ସ୍ତ୍ରୀ ସଜନେ ବାଗ ହାଟକୁ ଯାଇ ଘରକୁ ଫେରୁଥିଲେ। ସେହି ସମୟରେ ପୂର୍ବରୁ ଛକି ଥିବା ପୁତୁରା ବସନ୍ତ ବାଗ ଗାଁ ଭିତରେ ଗୋଡ଼ାଇ ଗୋଡ଼ାଇ ଉଭୟଙ୍କୁ ଟାଙ୍ଗିଆରେ ହାଣିଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ରକରି ପୁରୁଣା ଶତ୍ରୁତାରୁ ପୁତୁରା ହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ପୁଲିସ ଜାଣିପାରିଛି। ସନ୍ଧନୀ କୁକୁର ଏବଂ ବିଶେଷଜ୍ଞ ଦଳ ସହାୟତାରେ ତଦନ୍ତ ଜାରି ରହିଥିବା ଧର୍ମଗଡ ଏସଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି।



