www.samajalive.in
Sunday, December 14, 2025
19.1 C
Bhubaneswar

ଜବରଦଖଲ ଉଚ୍ଛେଦ କାର୍ଯ୍ୟ, ପ୍ରଶାସନକୁ ସମାଲୋଚନା

ସମ୍ବଲପୁର: ସମ୍ବଲପୁରରେ ପ୍ରଶାସନର ଗରିବ ମାରଣ ନିତି ଏବେ ସହରରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ବିଗତ ପ୍ରାୟ ୧ ବର୍ଷ ହେବ ସମ୍ବଲପୁରରେ ଜବରଦଖଲକାରୀ ମାନଙ୍କୁ ଉଚ୍ଛେଦ କରାଯିବାର ଅଭିଯାନ ସହିତ ସଙ୍କୁଚିତ ହୋଇ ପଡ଼ିଥିବା ରାସ୍ତା ଗୁଡିକୁ ପ୍ରଶସ୍ତ କରିବା ଲକ୍ଷ୍ୟ ନେଇ ପ୍ରଶାସନ ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ଲାଗିଛି। ଏହି ବିକାଶମୁଖୀ କାର୍ଯ୍ୟକୁ ଜନତା ସାଧାରଣରେ ପ୍ରଶଂସା କରୁଥିବା ବେଳେ କିନ୍ତୁ ପ୍ରଶାସନର ଦୋମୁଖୀ କାରବାରକୁ ଲୋକେ କଟୁ ସମାଲୋଚନା କରୁଛନ୍ତି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଅଞ୍ଚଳର ଅନେକ ପ୍ରମୁଖ ସ୍ଥାନରେ ବଡ ବଡିଆ ମାନଙ୍କ ସହିତ ଗରିବ ମାନେ ଜବରଦଖଲ କରିଥିବା ପ୍ରଶାସନିକ ଅନୁସନ୍ଧାନ ସମୟରେ ଜଣାପଡ଼ିଛି। ଏଣୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। କିନ୍ତୁ ବିଡମ୍ବନାର ବିଷୟ ଯେ, ମହାନଗର ନିଗମ ଓ ପ୍ରଶାସନ ଜବରଦଖଲ ଉଚ୍ଛେଦ ସମୟରେ ଯଦି କୌଣସି ବଡ ବଡିଆ ଲୋକଙ୍କ ସ୍ଥାନ ଆସିଗଲେ, ଉଚ୍ଛେଦ କାର୍ଯ୍ୟ ବାଟବଣା ହୋଇଯାଉଛି। ସମ୍ବଲପୁରର ଅଇଁଠାପାଲି ଅଞ୍ଚଳରେ ବିଗତ କିଛି ଦିନ ତଳେ ହୋଇଥିବା ଜବରଦଖଲ ଉଚ୍ଛେଦ ସମୟରେ ଜାତୀୟ ରାଜପଥ ପ୍ରାଧିକରଣ କତ୍ତୃପକ୍ଷଙ୍କ ଚାପ ପଡ଼ିବା ପରେ ମହାନଗର ନିଗମ ଓ ଜିଲା ପ୍ରଶାସନ ଜାତୀୟ ରାଜପଥ ଉପରେ ମାଡି ବସିଥିବା ବଡ ବଡ କୋଠା ସମେତ ଅନ୍ୟାନ୍ୟ ନିର୍ମାଣ ଗୁଡିକୁ ଭଙ୍ଗା ଯିବାକୁ ଜନତା ସ୍ୱାଗତ କରିଛନ୍ତି। କିନ୍ତୁ ପ୍ରଶାସନ ସହର ମଧ୍ୟରେ ଥିବା ସରକାରୀ ସ୍ଥାନ ଗୁଡିକୁ ଭାଙ୍ଗିବା ସମୟରେ ପାତର ଅନ୍ତର ନିତି ଅବଲମ୍ବନ କରୁଥିବାର ସ୍ପଷ୍ଟ ପରିଲକ୍ଷିତ ହେଉଛି। ସହରର ଅନେକ ପ୍ରମୁଖ ସ୍ଥାନ ସହିତ ରାସ୍ତା ଗୁଡିକୁ ବଡ ବଡିଆ ମାନେ ମାଡି ବସିଥିବା ବେଳେ କିନ୍ତୁ ସେହି ଜବରଦଖଲ ଗୁଡିକର ଉଚ୍ଛେଦ ସମୟରେ ପ୍ରଶାସନର ବୁଲଡୋଜର କାମ କରୁ ନାହିଁ। ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ଯେଉଁ ସ୍ଥାନରେ କୌଣସି ବଡ ବଡିଆଙ୍କ ଘର କିମ୍ବା ପ୍ରତିଷ୍ଠାନ ସମ୍ମୁଖରେ ଆସୁଛି, ସେହି ସମୟରେ ଉଚ୍ଛେଦକୁ ବନ୍ଦ କରାଯାଇ ପରଦିନ ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯାଉଛି। ଏହାକୁ ନେଇ ଜନତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଉଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ରୋଷ ଜାହିର କରି ପ୍ରତିବାଦ କରୁଛନ୍ତି ଏବଂ ଉଚ୍ଚ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ ମଧ୍ୟ କରୁଛନ୍ତି।

ଏଭଳି ଏକ ଘଟଣାରେ ଗୁରୁବାର ସନ୍ଧ୍ୟାରେ ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ବୁଢ଼ାରଜା ସ୍ଥିତ ଏକ ମଲର ଭିଡିଓ ଉତ୍ତୋଳନ କରି ମଲ ମାଲିକର ଦାୟିତ୍ୱହୀନତା ସମ୍ପର୍କରେ ସର୍ବ ସମ୍ମୁଖରେ ଉଜାଗର କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ମଲ ମାଲିକ ପାର୍କିଂ ପାଇଁ ଉଦ୍ଦିଷ୍ଟ ସ୍ଥାନକୁ ଗ୍ରାହକ ମାନଙ୍କର ପାର୍କିଂ ପାଇଁ ବ୍ୟବହାର କରିବାକୁ ନ ଦେଇ, ସେଠାରେ ତାଙ୍କର ମଲର ବିଭିନ୍ନ ସାମଗ୍ରୀ ଗୁଡିକ ରଖି ଜବରଦଖଲ କରିଛନ୍ତି। ଫଳରେ ସାଧାରଣ ଜନତା ମଲକୁ ଆସୁଥିବା ବେଳେ ପାର୍କିଂ ନ ପାଇ ବାଧ୍ୟ ହୋଇ ରାସ୍ତା ଉପରେ ଗାଡି ଗୁଡିକ ଛିଡା କରୁଥିବାରୁ ରାସ୍ତାରେ ଟ୍ରାଫିକ ଜାମ ଲାଗି ରହୁଛି। ବୁଢ଼ାରଜା, ଫାଟକ, ଅଇଁଠାପାଲି, ଭିଏସଏସ ମାର୍ଗ, ଚର୍ଚ୍ଚ ଛକ, ଗୋଲବଜାର, ଫାର୍ମ ରୋଡ, ମୁଦିପଡ଼ା ଭଳି ପ୍ରାୟତଃ ସମସ୍ତ ପ୍ରମୁଖ ମାର୍ଗ ଓ ଅଞ୍ଚଳରେ ବଡ ବଡ ମଲ ଗୁଡିକ ରହିଛି। ସିଂହଭାଗ ସ୍ଥାନରେ ପାର୍କିଂର ବ୍ୟବସ୍ଥା ନ ଥିବା ବେଳେ ଅନେକ ସ୍ଥାନରେ ପାର୍କିଂ ସ୍ଥାନକୁ ଜନତାଙ୍କୁ ପାର୍କିଂ ପାଇଁ ସୁବିଧା ନ ଦିଆଯାଇ ମାଡି ବସି ବ୍ୟବସାୟ ବିକାଶ କାର୍ଯ୍ୟକ୍ରମରେ ଲଗାଯାଉଛି। ଦିନ ହେଉ କି ରାତ୍ରି ହେଉ ଏବେ ରାସ୍ତା କଡରେ ଥିବା ଦୋକାନ ବଜାର ଗୁଡିକ ପାଇଁ ପାର୍କିଂର ସୁବିଧା ନ ଥିବାରୁ ରାସ୍ତା ଗୁଡିକ ଉଭୟ ପାର୍ଶ୍ବରେ ପ୍ରାୟ ଅର୍ଦ୍ଧାଧିକ ସ୍ଥାନ ମାଡି ବସୁଥିବାରୁ ସାଧାରଣ ଟ୍ରାଫିକରେ ବେଶ ଅସୁବିଧା ହେଉଛି। ଅବସ୍ଥା ଏଭଳି ହେଉଛି, ଗୋଟିଏ ଅଟୋ କିମ୍ବା ବାଇକଟିଏ ଗଲେ କୌଣସି ଚାରି ଚକିଆ ଯାନ ଯିବାର କଷ୍ଟକର ହୋଇ ପଡୁଛି। ଏ ସମ୍ପର୍କରେ ମହାନଗର ନିଗମ କମିଶନରଙ୍କୁ ଫୋନ କରାଯିବାରୁ ସେ ଫୋନ ନ ଉଠାଇବାରୁ ତାଙ୍କର ପ୍ରତିକ୍ରିୟା ଜଣା ପଡ଼ି ନାହିଁ। ସେହିଭଳି ଟ୍ରାଫିକ ଅଧିକାରୀଙ୍କୁ ମଧ୍ୟ ଫୋନ କରାଯିବାରୁ ସେ ମଧ୍ୟ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ଜଣାପଡ଼ି ନାହିଁ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories