ଖତ ଖାଉଛି ଲକ୍ଷାଧିକ ଟଙ୍କାର ସୋଲାର ପ୍ରକଳ୍ପ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ବୁଗୁବୂଗା ପଞ୍ଚାୟତ ଅଧିନରେ ଥିବା ଖଲିଆପାଲି ଗ୍ରାମର କୁଡ଼ାପଡ଼ାଠାରେ ନିର୍ମିତ ହୋଇଛି ୫ ହଜାର ଲିଟରର ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ। ଲକ୍ଷାଧିକ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପଟି ଦୀର୍ଘ ଗୋଟିଏ ବର୍ଷ ଧରି ଅଚଳାବସ୍ଥାରେ ପଡ଼ିରହିଛି। ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପଡ଼ାବାସୀ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟାଳୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି। କିନ୍ତୁ ଜଣାଇବାର ଦଶ ମାସ ବିତିଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ପ୍ରକଳ୍ପ ଉପରେ ୭୦ରୁ ୮୦ ପରିବାରର ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକ ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି। ଏବେ ଏହା ଅଚଳ ହେବାରୁ ଲୋକେ ପାନୀୟ ଜଳ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ପଡ଼ାରେ ଦୁଇଟି ନଳ କୂପ ରହିଛି, ହେଲେ ଗୋଟିଏରୁ ଲୁହା ମିଶ୍ରିତ ପାଣି ବାହାରୁଥିବା ବେଳେ ଅନ୍ୟଟିରୁ କମ ପାଣି ବାହାରେ। ଯାହା ପଡ଼ାବାସୀଙ୍କ ପାଇଁ ନିଅଣ୍ଟ ହୋଇଥାଏ। ଆଉ କିଛି ଦିନ ପରେ ଗ୍ରୀଷ୍ମ ଋତୁ ଆସିଯିବ। ତେବେ ପଡ଼ାବାସୀ ଏବେଠୁ ଚିନ୍ତା କରୁଛନ୍ତି କିପରି ସେମାନେ ପାନୀୟ ଜଳ ଜନିତ ସମସ୍ୟାର ମୁକାବିଲା କରିବେ?

kalyan agarbati

Comments are closed.