ମୋତିଝରନ ଓ ସୁନାପାଲି ଅଞ୍ଚଳରେ ଜବରଦଖଲ ଉଚ୍ଛେଦ
ସମ୍ବଲପୁର: ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ବିଗତ କିଛି ଦିନ ହେବ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ବୃଦ୍ଧି ଓ ସରକାରୀ ଜମି ଉପରେ କରାଯାଇଥିବା ଜବରଦଖଲ ଉଚ୍ଛେଦ କାର୍ଯ୍ୟକୁ ଜୋରସୋରରେ ଚଳାଇଛି। ବିଗତ ଦିନ ବୁର୍ଲା, ହୀରାକୁଦ, ଅଇଁଠାପାଲି, ଭୂତାପଡ଼ା ଛକ ଆଦି ବିଭିନ୍ନ ସ୍ଥାନରେ ଜବରଦଖଲ ଗୁଡିକୁ ହଟାଯାଇଛି। ଏହି କ୍ରମରେ ଗୁରୁବାର ସକାଳୁ ସ୍ଥାନୀୟ ସ୍ପର୍ଶକାତର ଅଞ୍ଚଳ ମୋତିଝରନ ଓ ସୁନାପାଲି ଅଞ୍ଚଳରେ ସରକାରୀ ଜମି ଉପରେ କରାଯାଇଥିବା ଜବରଦଖଲ ଗୁଡିକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ପୂର୍ବରୁ ଆଇନ ଅନୁଯାୟୀ ବିଭିନ୍ନ ପ୍ରକ୍ରିୟା ପୂରଣ ପରେ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ୧୬୩ ଧାରା (ପୁର୍ବରୁ ୧୪୪ ଧାରା) ଲଗାଯାଇ ଅନ୍ୟାନ୍ୟ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।
ଆଜି ଭୂତାପଡ଼ା ଛକରୁ ନେଇ ଧନକଉଡା ମଧ୍ୟରେ ଥିବା ଜବରଦଖଲ ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଅଞ୍ଚଳରେ କୌଣସି ପ୍ରକାରର ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ୨ ଜଣ ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ, ୨ ଜଣ ଏସଡିପିଓ, ୫ଟି ଥାନା ଅଧିକାରୀ ଓ ୨୦ ପ୍ଲାଟୁନ ପୁଲିସ ଫୋସ ମୁତୟନ କରାଯାଇଛି।
ଉଚ୍ଛେଦ ସମ୍ପର୍କରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ କହିଛନ୍ତି ଯେ, ସହରର ବିକାଶ ପ୍ରକ୍ରିୟାରେ ଏହା ଏକ କ୍ରମ। ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହର ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟକରଣ ସହିତ ଜବରଦଖଲ ଉଚ୍ଛେଦ ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ଉପ ଜିଲାପାଳ (ସଦର) ପୁଷ୍ପାଞ୍ଜଳି ପଣ୍ଡା କହିଛନ୍ତି ଯେ, ରାସ୍ତା କଡରେ ଥିବା ସରକାରୀ ଜମିରେ ଜବରଦଖଲ କରି ଦୋକାନ ବଜାର ଦେଇଛନ୍ତି, ସେ ଗୁଡିକୁ ଉଚ୍ଛେଦ କରାଯାଉଛି। ରାସ୍ତା ପ୍ରଶସ୍ତିକରଣର ଯୋଜନା ରହିଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ୱାର୍ଡ କାର୍ଯ୍ୟାଳୟ, ପୁଲିସ ଆଉଟପୋଷ୍ଟ ଆଦିରେ ଏହି ସରକାରୀ ଜମି ଗୁଡିକ କାମରେ ଲାଗିବ।
Comments are closed.