ଗୋନାସିକା କେନ୍ଦୁଝର ମହୋତ୍ସବ ଉଦ୍‌‌ଯାପିତ, ୨୭ ପର୍ଯ୍ୟନ୍ତ ଆଞ୍ଚଳିକ ସରସ ମେଳା

କେନ୍ଦୁଝରଗଡ଼଼: କେନ୍ଦୁଝର ଷ୍ଟାଡିୟମ ପଡ଼ିଆରେ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଗୋନାସିକା-କେନ୍ଦୁଝର ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌‌ଯାପିତ ହୋଇଯାଇଛି। ମହୋତ୍ସବର ଉଦଯାପନୀ ସମାରୋହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ଅନନ୍ୟ ସଂସ୍କୃତି ପରମ୍ପରାକୁ ନେଇ ସମୃଦ୍ଧ ‘ଗୋନାସିକା କେନ୍ଦୁଝର ମହୋତ୍ସବ’ ସାରା ରାଜ୍ୟରେ ଏକ ଆଲୋଡନ ସୃଷ୍ଟି କରିଛି ବୋଲି କହିଥିଲେ। କେନ୍ଦୁଝର ମାଟିରେ ଅମାପ ଖଣିଜସମ୍ପଦ ସାଙ୍ଗକୁ ସାନଘାଗରା, ବଡ଼ଘାଗରା, ଗୁଣ୍ଡିଚାଘାଗୀ, ଚକ୍ରତୀର୍ଥ, ହାଣ୍ଡିଭଙ୍ଗା ଓ ଖଣ୍ଡାଧାର ଭଳି ମନଲୋଭା ଜଳପ୍ରପାତ ଏ ଜିଲାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଛି ବୋଲି କହିଥିଲେ। ସେହିଭଳି ମହିଳା ସଶକ୍ତିକରଣ ଦିଗରେ କେନ୍ଦୁଝର ଜିଲା ସମ୍ପର୍କରେ ସୂଚନା ଦେବାକୁ ଯାଇ ଶ୍ରୀମତୀ ପରିଡ଼ା କହିଥିଲେ ଯେ ସୁଭଦ୍ରା ଯୋଜନାରେ ଏଯାବତ କେବଳ କେନ୍ଦୁଝର ଜିଲାରେ ୪ଲକ୍ଷ ୪୪ହଜାର ୩୭୫ଆବେଦନ ଫର୍ମ ପ୍ରାପ୍ତ ହୋଇଥିବା ବେଳେ ୩ଲକ୍ଷ ୩୫ହଜାର ୮୬୪ଜଣ ଆବେଦନକାରୀଙ୍କୁ ସୁଭଦ୍ରାର ପ୍ରଥମ କିସ୍ତି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପହଞ୍ଚିସାରିଛି। ଆଦିବାସୀ ଅଧ୍ୟୁଷିତ ଏହି ଜିଲାରେ ୩୩୫୨ ଅଙ୍ଗନବାଡିକେନ୍ଦ୍ର କାର୍ଯ୍ୟକ୍ଷମ ଥିବାବେଳେ ୨୮୦୩୯ ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟମାନଙ୍କ ଦ୍ୱାରା ୯ଟି ମିଶନ ଶକ୍ତି ରିଟେଲ୍‌‌ ମାର୍ଟ, ୧୩ଟି ମିଶନ ଶକ୍ତି କାଫେ ପରିଚାଳିତ ହେବା ଅତ୍ୟନ୍ତ ଖୁସିର କଥା ବୋଲି କହିଥିଲେ। କେନ୍ଦୁଝର ଜିଲାରେ ୫୯୩୮୭ ଲକ୍ଷପତି ଦିଦି ଚିହ୍ନଟ ହୋଇଥିବା ବେଳେ ଏଯାବତ ୩୧୩୯୧ ଲକ୍ଷପତି ଦିଦିଙ୍କୁ ଅନ୍ତର୍ଭୁକ୍ତ କରାଯାଉଛି।

ସ୍ୱାଧୀନତା ସଂଗ୍ରାମରେ କେନ୍ଦୁଝରର ଅବଦାନ ଅତୁଳନୀୟ। ଏ ମାଟିର ଆଦିମ ଅଧିବାସୀ ଜନଜାତି, ସ୍ୱାଧୀନଚେତା ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିଛନ୍ତି। ଏହି କେନ୍ଦୁଝର ଜିଲ୍ଲାକୁ ପ୍ରଜାମଣ୍ଡଳ ଆନ୍ଦୋଳନର ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେହି କେନ୍ଦୁଝର ମାଟିର ସନ୍ତାନ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। କେନ୍ଦୁଝର ଜିଲାକୁ ଏକ ସମୃଦ୍ଧ ଓ ଶକ୍ତିଶାଳୀ ଜିଲାରେ ପରିଣିତ କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଥିଲେ।

ଲୋକସଭା ସଦସ୍ୟ ଅନନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବ ଜିଲାର କଳା, ସଂସ୍କୃତି ଓ ପରମ୍ପରାକୁ ସମୃଦ୍ଧ କରିଥିବା ବେଳେ କାଳୀପଡ଼ିଆରେ ଅନୁଷ୍ଠିତ ଆଞ୍ଚଳିକ ସରସ ମେଳା ଆସନ୍ତା ୨୭ ତାରିଖ ଯାଏଁ ଅନୁଷ୍ଠିତ ହେବାକୁଥିବାରୁ ଜିଲାବାସୀ ଏହାର ଭରପୁର ଫାଇଦା ଉଠାଇବାକୁ ଆହ୍ୱାନ ଦେଇଥିଲେ। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡ଼ି. ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୫ଦିନଧରି ଅନୁଷ୍ଠିତ ଏହି ମହୋତ୍ସବ ବେଶ୍‌‌ ସଫଳତାର ସହ ଆୟୋଜନ ହୋଇପାରିଥିବାରୁ ଆୟୋଜକ ଜିଲା ପ୍ରଶାସନର ଉଦ୍ୟମକୁ ସାଧୁବାଦ୍‌‌ ଜଣାଇଥିଲେ। ଜିଲାପାଳ ବିଶାଲ ସିଂହ ନିଜ ଅଭିଭାଷଣରେ ଗୋନାସିକା ମହୋତ୍ସବର ମଞ୍ଚ କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସଫଳ ହୋଇଥିବା ବେଳେ ଏହି ସଫଳତା ପାଇଁ ସମସ୍ତ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି ଉଦଯାପନୀ ସନ୍ଧ୍ୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା କଳାକାରଙ୍କ ଦ୍ୱାରା ଚାଙ୍ଗୁ, ବାସୁଦେବପୁର ଅଞ୍ଚଳର ଝୁମର ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡ଼ା ଓ କଟକର ଲସ୍ୟା ସାଂସ୍କୃତିକ ଦଳ ପକ୍ଷରୁ ପରିବେଷିତ ନୃତ୍ୟ ଦର୍ଶକଙ୍କ ମନକୁ ବିମୋହିତ କରିଥିଲା ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ବଲିଉଡର ସୁପ୍ରସିଦ୍ଧ କଳାକାର ନକାସ ଅଜିଜ ଓ ନନ୍ଦୀ ସିଷ୍ଟର୍ସଙ୍କ ସୁମଧୁର ସଙ୍ଗୀତ ପରିବେଷଣ ଶିତୁଆ ରାତିରେ ବେଶ୍‌‌ ଉଷ୍ମତା ଭରି ଦେଇଥିଲା। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବର ଉଦ୍‌‌ଯାପନୀ ଅବସରରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.