ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକର ବଣସିଂହ ସରକାରୀ ଉପ୍ରା ବିଦ୍ୟାଳୟର ଶତାବ୍ଦୀ ସମାରୋହ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ସମାରୋହକୁ ଉଦଘାଟନ କରି ଶତାବ୍ଦୀ ସମାରୋହ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିରଖି ପାରିଛି ବୋଲି କହିଛନ୍ତି। ବଣସିଂହ, ଶଙ୍କରପୁର ଓ ଭୂଇଁପୁର ମୌଜା ଦେଶକୁ ସର୍ବାଧିକ ଯବାନ, କିଷାନ, ଶିକ୍ଷକ ଓ ଇଞ୍ଜିନିୟରଙ୍କୁ ଦାନ ଦେଇ ଏ ମାଟିକୁ ଗର୍ବିତ କରିଛି ବୋଲି କହିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠି, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସଶ୍ମିତା ସାହୁ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ପୁରାତନ ଛାତ୍ର ମାୟାଧର ଶତପଥୀ, ଅଂଚଳର ପ୍ରଥମ ଇଞ୍ଜିନିୟର ତଥା ଶିଳ୍ପପତି ଘନଶ୍ୟାମ ଶତପଥୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶତାବ୍ଦୀ ସମାରୋହ କମିଟି ସଭାପତି ଜୟନ୍ତ କୁମାର ହେତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୧୯୦୦ ମସିହାରେ ପ୍ରତିଷ୍ଠିତ ଏହି ୧୨୩ବର୍ଷର ପୁରାତନ ଶିକ୍ଷାନୁଷ୍ଠାନର ଶତାବ୍ଦୀ ସମାରୋହ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଯାଉଛି।
Popular Categories



