ଡିଏଭି ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତା – କଳାହାଣ୍ଡିକୁ ୫ ସ୍ୱର୍ଣ୍ଣ

ଲାଞ୍ଜିଗଡ଼: ଓଡ଼ିଶାର ଝାରସୁଗୁଡା ଡିଏଭି ପବ୍ଲିକ ସ୍କୁଲଠାରେ ରବିବାର ଦିନ ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୩୮ ଗୋଟି ଡିଏଭି ସ୍କୁଲର ୧୯୮ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଡିଏଭି ଜୋନାଲ ସ୍ତରୀୟ କରାଟେ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼଼ ଡିଏଭି ବେଦାନ୍ତ ଆନ୍ତର୍ଜାତିୟ ବିଦ୍ୟାଳୟର ୭ ଜଣ କରାଟେ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରୁ ବିଭିନ୍ନ ବର୍ଗରେ ୫ ଟି ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରି ଜିଲ୍ଲା ତଥା ସ୍କୁଲ ପାଇଁ ଗୌରବ ଆଣିଥିବା ବେଳେ ଏହି ପ୍ରତିଯୋଗିମାନେ ଡିଏଭି ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବାଳକ ବିଭାଗର ୧୪ ବର୍ଷରୁ କମ୍ ୩୦ ରୁ ୩୫ କେଜି ବର୍ଗରେ ଛାତ୍ର ପୁଷ୍ପେନ୍ଦୁ ବିଶ୍ୱାଳ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ ଥିବା ବେଳେ ସୌନକ ସମଦର୍ଶୀ ସାହୁ ୫୦ରୁ ୫୫ କେଜି ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ୧୭ ବର୍ଷରୁ କମ୍ ୪୦ରୁ ୪୫ କେଜି ବର୍ଗରେ ହିତେସ କୁମାର ମହାଖୁଡ଼ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଗଙ୍ଗାଧର ମଲ୍ଲିକ ୫୦ରୁ ୫୫ କେଜି ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ୧୯ ବର୍ଷରୁ କମ୍ ୫୦ରୁ ୫୫ କେଜି ବର୍ଗରେ କିରନ୍ ବେମାଲ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ବାଳିକା ବିଭାଗର ୧୭ବର୍ଷରୁ କମ୍ ୫୦ରୁ ୫୫ କେଜି ବର୍ଗରେ ଅର୍ପିତା ବାଡ଼ତିଆ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Comments are closed.