Patra electronics

ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଜାତୀୟ ସ୍ତରୀୟ ଉତ୍ସବ ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ ଜାତୀୟ ସ୍ତରୀୟ ସଂସ୍କୃତି ସାହିତ୍ୟ ଓ କଳା ଦିବସ ଉଦଘାଟିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବା ସହ ଛାତ୍ର ଜୀବନରେ ସଂସ୍କୃତି, ପରମ୍ପରା ଓ ଐତିହ ବିଷୟରେ ଜ୍ଞାନ ଆହରଣ କରିବା ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆ ତହସିଲଦାର ଅନାମିକା ପାଣ୍ଡେ, ୟୁକୋ ବ୍ୟାଙ୍କ ପ୍ରବନ୍ଧକ ପ୍ରିୟବ୍ରତ କର୍ଣ, ଫିରିଙ୍ଗିଆ ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅବସରପ୍ରାପ୍ତ ଖେଳଶିକ୍ଷକ ପ୍ରଶାନ୍ତ କୁମାର ଶତପଥୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଓଡ଼ିଆ ଅସ୍ମିତା ବିଷୟରେ ଅଭିଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାରମ୍ପରିକ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦେଶକ ବିଶ୍ୱଜିତ ସାବତଙ୍କ କଣ୍ଠରେ ମହାପ୍ରଭୁ ଜଗନ୍ନାଥଙ୍କ ଭଜନରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସମୁଦାୟ ୪୭ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ମଧ୍ୟରୁ ୩୨ଟି ସାଂସ୍କୃତିକ ଦଳର ପ୍ରାୟ ୫ ଶହରୁ ଅଧିକ ଛାତ୍ର ଛାତ୍ରୀ ଏହି ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ନୃତ୍ୟ, ଗୀତ, ସଙ୍ଗୀତ ନିର୍ଦେଶକ ଓ ନାଟ୍ୟ ନିର୍ଦେଶକ ପ୍ରଦୀପ କୁମାର ମଲିକ, ରଂଜିତ କୁମାର ପଣ୍ଡା, ସୁନୀଲ କୁମାର ନାୟକ, ଶୁକଦେବ ନାୟକ, ଦେବରାଜ କୈବର୍ତ୍ତ ଓ ମଦନ ମୋହନ ପଣ୍ଡା ବିଚାରକ ଭାବରେ ଉପସ୍ଥିତ ଥିଲେ। ୩ ଦିନ ଧରି ଚାଲିବାକୁ ଥିବା ବେଳେ ଫିରିଙ୍ଗିଆ ଏକଲବ୍ୟ ଆବାସିକ ବିଦ୍ୟାଳୟ, ନେଡିପଦର ବାଳିକା ଉଚ୍ଚବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.