www.samajalive.in
Monday, December 8, 2025
27.1 C
Bhubaneswar

ଟିମ୍ କଟକ ହେଲା ଓଭରଅଲ୍‌ ଚାମ୍ପିୟନ୍‌, ୩ ଦିନରେ ୨୨ଟି ମିଟ୍ ରେକର୍ଡ ସୃଷ୍ଟି

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଠାରେ ଆଜି ୭୦ତମ ଓଡିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ୦୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଟିମ୍ କଟକ ୩୧୨ ପଏଣ୍ଟ ସହ ଓଭରଅଲ୍‌ ଚାମ୍ପିୟନ୍‌ ହୋଇଥିବା ବେଳେ, ଟିମ୍ ସୁନ୍ଦରଗଡ଼ ୨୦୦ ପଏଣ୍ଟ ସହ ରନର୍ସଅପ୍ ସ୍ଥାନ ହାସଲ କରିଛି।

୨୦ ବର୍ଷରୁ କମ୍ ବାଳିକା ବର୍ଗରେ ଟିମ୍ ସୁନ୍ଦରଗଡ଼ ୮୬ ପଏଣ୍ଟ ସହ ବିଜୟ ହାସଲ କରିଥିବା ବେଳେ ୨୦ ବର୍ଷରୁ କମ୍ ବାଳକ ବର୍ଗରେ ଟିମ୍ କଟକ ୬୧ ପଏଣ୍ଟ ସହ ଚାମ୍ପିୟନ୍‌ ହୋଇଛି। ୨୩ ବର୍ଷରୁ କମ୍ ବାଳିକା ବର୍ଗରେ ଟିମ୍ ସୁନ୍ଦରଗଡ଼ ୩୭ ପଏଣ୍ଟ ସହ ଚାମ୍ପିୟନ୍‌ ହୋଇଥିବା ବେଳେ ବାଳକ ବର୍ଗରେ ଟିମ୍ କଟକ ୮୦ ପଏଣ୍ଟ ସହ ପ୍ରଥମ ସ୍ଥାନ ହାସଲ କରିଛି। ଚଳିତ ବର୍ଷ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ରେ ୨୨ଟି ମିଟ୍ ରେକର୍ଡ ସୃଷ୍ଟି ହୋଇଛି।

- Advertisement -

ଆଜିର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଓଡିଶା ଆଥଲେଟିକ୍ସ ଆସୋସିଏସନ୍‌ର ସଭାପତି ଶ୍ରୀ ଜି. ଏସ. ପଟ୍ଟନାୟକ, ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ ସେକ୍ରେଟାରୀ ଶ୍ରୀ ଆଶୀର୍ବାଦ ବେହେରା,ଓଡ଼ିଶା ହକି ପ୍ରମୋସନାଲ କାଉନସିଲ ର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ଯୋଗଦେଇ ସମସ୍ତ ବିଜେତା ମାନଙ୍କୁ ପଦକ ପ୍ରଦାନ କରିଥିଲେ।

ଓଡ଼ିଶା ହକି ପ୍ରମୋସନାଲ କାଉନସିଲ ର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ସମସ୍ତ ପ୍ରତିଯୋଗୀ, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ଓଡ଼ିଶା ଆଥଲେଟିକ୍ସ ଆସୋସିଏସନ୍‌ର କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥି ସହ କ୍ରୀଡା ପ୍ରତିଭା ମାନଙ୍କୁ ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସମସ୍ତ ପ୍ରକାର ସୁବିଧା, ସହଯୋଗ ଏବଂ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ମତପ୍ରକାଶ କରିଥିଲେ।

ଓଡିଶା ଆଥଲେଟିକ୍ସ ଆସୋସିଏସନ୍‌ର ସଭାପତି ଶ୍ରୀ ଜି. ଏସ. ପଟ୍ଟନାୟକ ପ୍ରତିଯୋଗୀମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଆଥଲେଟିକ୍ସ ଆସୋସିଏସନ୍ ଗର୍ବିତ ବୋଲି କହିଥିଲେ । ଚଳିତ ବର୍ଷ ଓଡିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ରେ କ୍ରୀଡ଼ାବିତ୍ ମାନଙ୍କ ଦ୍ୱାରା ୨୨ ଟି ମିଟ୍ ରେକର୍ଡ ସୃଷ୍ଟି ହୋଇଛି। ଏହି ଉଲ୍ଲେଖନୀୟ ପ୍ରଦର୍ଶନ ଆଗାମୀ ଭବିଷ୍ୟତର ସମସ୍ତ କ୍ରୀଡ଼ାବିତ୍‌ ମାନଙ୍କୁ ପ୍ରେରିତ କରିବ। ଏଥି ସହ କ୍ରୀଡ଼ାବିତ୍ ମାନେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଯେପରି ଭଲ ପ୍ରଦର୍ଶନ କରିବେ, ସେଥିପାଇଁ ଆସୋସିଏସନ୍‌ ତରଫରୁ ସମସ୍ତ ସୁବିଧା ଓ ସୁଯୋଗ ପ୍ରଦାନ କରାଯିବ ବୋଲି ସଭାପତି ମତ ରଖିଥିଲେ ।

ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ସେପ୍ଟେମ୍ବର ୧୮ ରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୯୦୦ ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିଲେ। ଏଥି ମଧ୍ୟରୁ ୨୬୮ ମହିଳା କ୍ରୀଡ଼ାବିତ୍‌ ଭାଗ ନେଇଥିଲେ। ଓଡ଼ିଶା-ରିଲାଏନ୍ସ ଫାଉଣ୍ଡେସନ ଆଥଲେଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର, ଓଡ଼ିଶା କ୍ରୀଡ଼ାବିଭାଗ ଅଧୀନରେ ଥିବା କ୍ରୀଡ଼ା ହଷ୍ଟେଲରେ ପ୍ରଶିକ୍ଷଣ ନେଉଥିବା ଅନେକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏଥିସହ ଓଡ଼ିଶା ପୁଲିସ, ଡାକସେବା, ବିଏସ୍ଏନ୍ଏଲ୍ ଓ କିଟ୍ ବିଶ୍ବବିଦ୍ୟାଳୟର ପ୍ରତିଯୋଗୀମାନେ ମଧ୍ୟ ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ଓଡିଶା ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ର ଉଲ୍ଲେଖନୀୟ ପ୍ରଦର୍ଶନର ବିବରଣୀ ନିମ୍ନରେ ପ୍ରଦାନ କରାଗଲା।

  •  ଭୁବନେଶ୍ୱରର ଅନିମେଷ କୁଜୁର ୨୩ ବର୍ଷରୁ କମ୍ (ବାଳକ ବର୍ଗ) ୧୦୦ ମିଟର ଏବଂ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଯଥାକ୍ରମେ ୧୦. ୩୮ ସେକେଣ୍ଡ ଏବଂ ୨୦. ୬୫ ସେକେଣ୍ଡ ସହ ୨ଟି ମିଟ ରେକର୍ଡ ସୃଷ୍ଟି କରିଛନ୍ତି।
  • ଝାରସୁଗୁଡାର ସ୍ୱାଗତ କୁମାର ବେହେରା ୨୦ ବର୍ଷରୁ କମ୍ ଟ୍ରିପଲ୍‌ ଜମ୍ପ ବର୍ଗରେ ୧୪.୮୫ ହାଇଟ୍ ସହ ମିଟ ରେକର୍ଡ ସୃଷ୍ଟି କରିଛନ୍ତି।
  • ମୟୂରଭଞ୍ଜର ସୁନାରାମ ମୁର୍ମୁ ୨୩ ବର୍ଷରୁ କମ୍ ଜାଭେଲିନ୍‌ ଥ୍ରୋରେ ୬୨.୭୦ ମିଟର ଥ୍ରୋ ସହ ନୂଆ ମିଟ ରେକର୍ଡ ସୃଷ୍ଟି କରିଛନ୍ତି।
  • ମୟୂରଭଞ୍ଜର ପ୍ରଦୀପ ମହାନ୍ତ ୨୦ ବର୍ଷରୁ କମ୍ ୫୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ୫୬.୯୪ ସେକେଣ୍ଡ ସହ ନୂଆ ମିଟ ରେକର୍ଡ ସୃଷ୍ଟି କରିଛନ୍ତି।
  • କଟକର ନିଖିଲ ଦାସ ୨୩ ବର୍ଷରୁ କମ୍ ହାଇଜମ୍ପ ପ୍ରତିଯୋଗିତାରେ ୨.୦୧ ମିଟର ହାଇଟ୍ ସହ ନୂଆ ମିଟ ରେକର୍ଡ ସୃଷ୍ଟି କରିଛନ୍ତି।
  • କଟକର ଚିରଞ୍ଜୀବ ସିଂ ୨୩ ବର୍ଷରୁ କମ୍ ସଟ୍ ପୁଟ୍ ରେ ୧୩. ୯୧ ମିଟର ସହ ନୂଆ ମିଟ ରେକର୍ଡ ସୃଷ୍ଟି କରିଛନ୍ତି।
  • ପି ଅର୍ପିତା ଅର୍ଚ୍ଚନା ସାହୁ ୨୦ ବର୍ଷରୁ କମ୍ ବାଳିକା ଜାଭେଲିନ୍ ପ୍ରତିଯୋଗିତାରେ ୪୨.୯୮ ମିଟର ଫିଙ୍ଗି ନୂଆ ମିଟ୍ ରେକର୍ଡ ସୃଷ୍ଟି କରିଛନ୍ତି।
  • ୨୩ ବର୍ଷରୁ କମ୍ ବାଳିକା ଜାଭେଲିନ୍ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ଧନମତି ଜେସ୍ (Dhanmati Xess) ୪୧.୬୭ ମିଟର ଫିଙ୍ଗି ନୂଆ ମିଟ୍ ରେକର୍ଡ କରିଛନ୍ତି।
  • କଟକର ଜ୍ୟୋତି ପ୍ରକାଶ ନାୟକ ୨୩ ବର୍ଷରୁ କମ୍ (ବାଳକ ବର୍ଗ) ହାମର ଥ୍ରୋରେ ୪୯.୧୧ ମିଟର ସହ ନୂଆ ମିଟ୍ ରେକର୍ଡ କରିଛନ୍ତି।
  • ପାରାଦୀପର ଦିବ୍ୟା ଶାଣ୍ଡିଲ୍ୟା ୫୭.୬୭ ମିଟର ଥ୍ରୋ ସହ ମହିଳା ହାମର ଥ୍ରୋରେ ନୂଆ ମିଟ୍ ରେକର୍ଡ ସ୍ଥାପନ କରିଛନ୍ତି। ନିକିତା ପୂର୍ବିୟା ୩୭.୩୬ ମିଟର ଥ୍ରୋ ସହ ୨୩ ବର୍ଷରୁ କମ୍ ବାଳିକା ହାମର ଥ୍ରୋରେ ନୂଆ ମିଟ୍ ରେକର୍ଡ ସ୍ଥାପନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories