କେନ୍ଦୁଝରଗଡ଼: ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଅମାବାସ୍ୟା ତୀଥିରେ ସାବିତ୍ରୀ ବ୍ରତ ପାଳିତ ହୋଇଥାଏ। ହିନ୍ଦୁ ଧର୍ମର ସଧବା ମହିଳା ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ନୂତନ ବସ୍ତ୍ର ପରିଧାନ କରି ଉପବାସରେ ଏହି ବ୍ରତକୁ ନିଷ୍ଠାର ସହ ପାଳନ କରିଥାନ୍ତି। ସାଧାରଣତଃ ଘରେ ବ୍ରାହ୍ମଣ ଡକାଇ ହେଉ କିମ୍ବା ମନ୍ଦିରରେ ପୂଜାର୍ଚ୍ଚନା କରି ସଧବା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି। କେନ୍ଦୁଝର ସହରରେ ଅବସ୍ଥାନ କରୁଥିବା ବିହାରୀ ବ୍ରାହ୍ମଣ ସମ୍ପ୍ରଦାୟର ମହିଳାଙ୍କ ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଏହି ବ୍ରତ ପାଳନ କରିବା ଦେଖିବାକୁ ମିଳିଆସୁଛି। ଏମାନେ ଘରେ କିମ୍ବା ମନ୍ଦିରରେ ବ୍ରାହ୍ମଣ ସହାୟତାରେ ଏହି ବ୍ରତ ପାଳନ ନକରି ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବର ଗଛ ମୂଳେ ନିଜେ ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା। ସମସ୍ତ ମହିଳା ନୂତନ ବସ୍ତ୍ର ପରିଧାନ କରି ବରଗଛ ମୂଳେ ନିଷ୍ଠାର ସହ ପୂଜାରେ ସାମିଲ ହୋଇଥିଲେ। ପୂଜା ଶେଷ ପର୍ଯ୍ୟାୟରେ ବରଗଛ ଚାରିପଟେ ୧୦୮ଥର ପରିଦର୍ଶନ ସହ ସୂତା ବାନ୍ଧି ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ବେଶ୍ ନିଆରା ଦୃଶ୍ୟ ଥିଲା। ପୂଜା ଶେଷରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରି ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
Popular Categories



