ଶୀତଳଷଷ୍ଠୀ ଯାତ୍ରା – ପ୍ରଥମ ଥର ପାଇଁ ସାମିଲ ହେବେ ଆର୍ନ୍ତଜାତୀୟ ଲୋକ କଳାକାର
ସମ୍ବଲପୁର: ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଗତ ମାସରୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଆଗାମୀ ୬ ତାରିଖରୁ ଏହାର ଶୁଭାରମ୍ଭ ହେବ। ପ୍ରାୟ ୪ ଶହ ବର୍ଷ ହେବ ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ଷଷ୍ଠୀ ତିଥିରେ ସମ୍ବଲପୁର ଠାରେ ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆୟୋଜିତ ହୋଇ ଆସୁଛି। ଶତାବ୍ଦୀ ପରେ ଶତାବ୍ଦୀ ଧରି ଆୟୋଜିତ ହେଉଥିବା ଏହି ଧାର୍ମିକ ମହାକୁମ୍ଭ ଯେଭଳି ଭାବରେ ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା ପାଇବାର ଆବଶ୍ୟକତା ରହିଛି, ତାହା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ଏବଂ ଧିରେ ଧିରେ ପ୍ରଶାସନର ସହଯୋଗ ମଧ୍ୟ ଦିନକୁ ଦିନ କମି ଯାଉଛି ବୋଲି ସର୍ବପୁରାତନ ନନ୍ଦପଡ଼ା, ଝାଡୁଆପଡ଼ା ଓ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କୁହାଯାଇଛି। ଚଳିତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତା ମାନେ କହିଛନ୍ତି ଯେ, ରାଜ୍ୟରେ ପୁରୀର ରଥ ଯାତ୍ରା ପରେ ସମ୍ବଲପୁରର ଶୀତଳଷଷ୍ଠୀ ଉତ୍ସବ ଅନ୍ୟତମ ବୃହତ୍ତମ ଧାର୍ମିକ ମହାକୁମ୍ଭ ଅଟେ। ଶୀତଳଷଷ୍ଠୀ ଉତ୍ସବରେ ପ୍ରତି ବର୍ଷ ୫ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ସହିତ ଦେଶର ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ସମାବେଶ ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ଏହି ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେଭଳି ପ୍ରୟାସ ରାଜ୍ୟ ସରକାରଙ୍କ ତରଫରୁ କରାଯାଇ ନାହିଁ। ଦୀର୍ଘ ୪ ଶହ ବର୍ଷ ହେବ ଭକ୍ତ ମାନଙ୍କ ସହଯୋଗରେ ଏହି ବିଶାଳ ଧାର୍ମିକ ଓ ସାଂସ୍କୃତିକ ସମାବେଶ ଜାରି ରହିଥିବା ବେଳେ ସରକାରୀ ଅନୁଦାନ ସମୁଦ୍ରକୁ ଶଙ୍ଖେ ପଣା ସଦୃଶ ଏବଂ ତାହା ମଧ୍ୟ ସବୁ ବର୍ଷ ମିଳୁ ନାହିଁ। ସରକାର ପୂର୍ବ ବର୍ଷ ଗୁଡିକରେ ଅନୁଦାନ ଘୋଷଣା କରିଥିବା ବେଳେ କିଛି ଅନୁଦାନ ମିଳିଥିବା ବେଳେ ଆଜି ମଧ୍ୟ କିଛି ସରକାରୀ ଅନୁଦାନ ମିଳି ନାହିଁ। ବିଗତ କିଛି ବର୍ଷ ହେବ ସରକାରଙ୍କ ନିକଟରେ ଏହି ପୁରାତନ ଧାର୍ମିକ ଓ ସାଂସ୍କୃତିକ ମହା ସମାବେଶକୁ ବଞ୍ଚାଇ ରଖିବା ପାଇଁ ରଥ ଯାତ୍ରା ଭଳି ସରକାରୀ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇ ଆସୁଛି ବୋଲି। ଚଳିତ ବର୍ଷ ଏହି ଧାର୍ମିକ ଶୋଭାଯାତ୍ରା ପାଇଁ ବହୁ ପୁର୍ବରୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ କିନ୍ତୁ ପ୍ରଶାସନିକ ଅବେହଳା ଯୋଗୁଁ ଗତ ୩୦ ତାରିଖରେ ଆହୁତ ବୈଠକ ଜିଲାପାଳ ଓ ଏସପିଙ୍କ ଅନୁପସ୍ଥିତି ଯୋଗୁଁ ବିଫଳ ହୋଇଥିଲା। ଏବେ ସମୟ କମ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ ଏ ପର୍ଯ୍ୟନ୍ତ ଆୟୋଜିତ କରାଯାଇ ନାହିଁ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ଚଳିତ ବର୍ଷର ଏହି ଧାର୍ମିକ ଉତ୍ସବ ସମ୍ପର୍କରେ ସର୍ବପୁରାତନ ନନ୍ଦପଡ଼ା ଯାତ୍ରା କମିଟିର ସଭାପତି ଫଣି ଭୂଷଣ ମିଶ୍ର କହିଛନ୍ତି ଯେ, ପରମ୍ପରାର ଓ ରିତିନିତି ଅନୁଯାୟୀ ଏହି ଧାର୍ମିକ ଦେବ ବିବାହ ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ବିଗତ ବର୍ଷ ବାବା ବାଲୁଙ୍କେଶ୍ୱରଙ୍କୁ ଦେଢ଼ କ୍ୱୁଣ୍ଟାଲ ଓଜନର ରୂପା ନିର୍ମିତ ପରଭା (ମେଢ଼) ଅର୍ପଣ କରାଯାଇଥିବା ବେଳେ ଚଳିତ ବର୍ଷ ଏହା ଏକ ଭିନ୍ନ ରୂପରେ ପ୍ରଦର୍ଶିତ ହେବ। ନନ୍ଦପଡ଼ା ଯାତ୍ରା କମିଟିର ବିଶେଷତ୍ୱ ଅନୁଯାୟୀ, ଲୁପ୍ତପ୍ରାୟ ଲୋକ ସାଂସ୍କୃତିକ ଦଳ ମାନଙ୍କ ସମେତ ମୁଖ୍ୟ ଶୋଭାଯାତ୍ରାରେ ଦେଶର ବିଭିନ୍ନ ରାଜ୍ୟ ସମେତ ପ୍ରଥମ ଥର ପାଇଁ ଥାଇଲାଣ୍ଡର ଏକ ଲୋକ ନୃତ୍ୟ ଦଳକୁ ଏହି ଯାତ୍ରାରେ ସାମିଲ କରାଯିବା ପାଇଁ ଉଦ୍ୟମ ଜାରି ରହିଛି। ଏଥି ସହ ସମ୍ବଲପୁରୀ ଲୋକ କଳା ଓ ନୃତ୍ୟକୁ ପ୍ରାଧାନ୍ୟ ଦେଇ ଦୁଲଦୁଲି, କଳିଙ୍ଗୀ ନୃତ୍ୟ, ସମ୍ପ୍ରଦା, ଦଣ୍ଡ ନୃତ୍ୟ, ଶବର ନୃତ୍ୟ (ପୁରୁଷ ଓ ମହିଳା), ଅଘୋରୀ ନୃତ୍ୟ, ନାସିକର ଢ଼ୋଲ, କଳସ ନୃତ୍ୟ, କେରଳର ବାଜା ସହିତ ଘୋଡା ନୃତ୍ୟ, ଘଣ୍ଟ ଦଳ, ଆନ୍ଧ୍ର ପ୍ରଦେଶର ପରଭା ନୃତ୍ୟ, ପୁରୁଲିଆ ଛଉ ନୃତ୍ୟ, ବିଜୟୱାଡାର ବାଘ ନୃତ୍ୟ ସମେତ ଅନ୍ୟାନ୍ୟ ଲୋକ ନୃତ୍ୟ ଓ କଳାକାର ମାନଙ୍କୁ ମୁଖ୍ୟ ଶୋଭାଯାତ୍ରାରେ ସାମିଲ କରାଯିବ। ଚଳିତ ବର୍ଷ ଥାଇଲାଣ୍ଡର ଲୋକ ନୃତ୍ୟ ଓ କେରଳର ବାଜା ସହିତ ଘୋଡା ନୃତ୍ୟ ପ୍ରମୁଖ ଆକର୍ଷଣ ରହିବେ। ସେହିଭଳି ଆଧୁନିକ ନୃତ୍ୟରେ କଲିକତା, ମୁମ୍ବାଇ, ଆସାମ, ରାୟପୁର, ବାଙ୍ଗାଲୁରୁ ଓ ଭୁବନେଶ୍ୱରର ନୃତ୍ୟ ଦଳ ସାମିଲ ହେବେ। ଯୁଗଳ ଦର୍ଶନ ମୁଖ୍ୟ ଶୋଭାଯାତ୍ରାରେ ପ୍ରାୟ ୨୫ ଶହରୁ ୩ ହଜାର କଳାକାର ସେମାନଙ୍କ କଳାନୈପୁଣ୍ୟତା ପ୍ରଦର୍ଶନ କରିବେ। ପ୍ରଜ୍ଞାପନ ମେଢ଼ରେ କୁମ୍ଫୁ ପାଣ୍ଡା, ଅଯୋଧ୍ୟାର ରାମଲଲା, ବିଶ୍ୱର ଉଚ୍ଚତମ ବିଷ୍ଣୁ ଓ ଗରୁଡର ପ୍ରତିମା, ପ୍ରହଲ୍ଲାଦ ଓ ନରସିଂହ, ଶ୍ରୀ କୃଷ୍ଣଙ୍କ ନବ ଗୁଞ୍ଜର ବେଶ ଏବଂ ନନ୍ଦି ମହାରାଜ ସାମିଲ ରହିବେ। ଏହି ଧାର୍ମକ ମହୋତ୍ସବ ପାଇଁ ପ୍ରାୟ ୪୦ ରୁ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଝାଡୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସରୋଜ ଦଲପତ କହିଛନ୍ତି ଯେ, ଚଳିତ ବର୍ଷ ବ୍ୟୟ ଅଟକଳ ୪୨ ରୁ ୪୫ ଲକ୍ଷ ଟଙ୍କା ମଧ୍ୟରେ ରଖାଯାଇଛି। ମୁଖ୍ୟ ଶୋଭାଯାତ୍ରାରେ ଲୋକ କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ପ୍ରାୟ ୨୨ ଶହ କଳାକାର ସାମିଲ ହେବେ। ଲୋକ କଳା ଓ ସଂସ୍କୃତି ଦଳ ଭାବରେ ଦୁଲଦୁଲି, ସମ୍ପ୍ରଦା, ଆଦିବାସୀ ନୃତ୍ୟ, କଳସ ନୃତ୍ୟ, ପଞ୍ଜାବୀ ଢ଼ୋଲ, ବାଘ ଓ ମୁଖା ନୃତ୍ୟ, ଅର୍ଦ୍ଧନାରୀଶ୍ୱର ଓ ମହାକାଳୀ ନୃତ୍ୟ, କରମା ନୃତ୍ୟ, ଧମାଲ ବେଣ୍ଡ, ଘଣ୍ଟ, ଶଙ୍ଖ, କଣ୍ଡେଇ ନୃତ୍ୟ, ବଡ ଘୋଡା ଓ ବାଘ ନୃତ୍ୟ ଆଦି ଦଳ ଗୁଡିକ ସାମିଲ ହେବେ। ସେହିଭଳି ଆଧୁନିକ ନୃତ୍ୟ ବର୍ଗରେ କଲିକତା, କଲିକତାର ରାଧା କୃଷ୍ଣ ଡ୍ୟାନ୍ସ ଗ୍ରୁପ, ଆସାମ, ଭୋଜପୁରୀ, ମହାସମୁନ୍ଦ, ଏବଂ ଜଗନ୍ନାଥ ଭକ୍ତି ନୃତ୍ୟ ଦଳ ସାମିଲ ହେବେ। ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ଭୋପାଲର ବାବା ବଟେଶ୍ୱର କିର୍ତ୍ତନ ସମିତ ଓ ତେଲେଙ୍ଗାନାର ଗୁସାଡି ନୃତ୍ୟ ଦଳ ରହିବେ। ପ୍ରଜ୍ଞାପନ ମେଢ଼ରେ ହନୁମାନ, ରାମ ଲଲା ଆଦି ଶୋଭାଯାତ୍ରାରେ ସାମିଲ ରହିବେ ବୋଲି ଶ୍ରୀ ଦଲପତ କହିଛନ୍ତି।
ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଜଗଦିଶ ପଣ୍ଡା କହିଛନ୍ତି ଯେ, ଚଳିତ ବର୍ଷ ବ୍ୟୟ ଅଟକଳ ପ୍ରାୟ ୩୫ ରୁ ୪୦ ଲକ୍ଷ ଟଙ୍କା ରଖାଯାଇଛି। ମୁଖ୍ୟ ଶୋଭାଯାତ୍ରାରେ ଶ୍ରୀଲଙ୍କାର ପାରମ୍ପରିକ ଲୋକ ନୃତ୍ୟ ଦଳ ମୁଖ୍ୟ ଆକର୍ଷଣ ଗୁଡିକ ରହିବେ। ଏଥି ସହ ଦୁଲଦୁଲି, ମହିଳା କରମା ଦଳ, ସମ୍ପ୍ରଦା, ଆଦିବାସୀ ନୃତ୍ୟ, ଘଣ୍ଟ ଦଳ, ଡ୍ରମ ବାଦ୍ୟ, ଧମାଲ ବାଜା, ଅଘୋରୀ ନୃତ୍ୟ ଆଦି ସାମିଲ ରହିବେ। ସେହିପରି ଆଧୁନିକ ନୃତ୍ୟ ବର୍ଗରେ ସମ୍ବଲପୁରୀ ନୃତ୍ୟ, କଲିକତା, ଗ୍ୱାଲିୟର, କାନପୁର, ବିଲାସପୁର, ଢ଼େଙ୍କାନାଳ ଓ ଭୁବନେଶ୍ୱର ର ନୃତ୍ୟ ଦଳ ଗୁଡିକ ଶୋଭାଯାତ୍ରାରେ ସାମିଲ ରହିବେ। ପ୍ରଜ୍ଞାପନ ମେଢ଼ରେ ଡାଇନୋସର, ଶିବାଜୀ ମହାରାଜ ଓ ଅବତାର ସାମିଲ ହେବ। ମହାଦେବ ଓ ପାର୍ବତୀ ମାତା ବିବାହ ପରେ ମୁଖ୍ୟ ଶୋଭାଯାତ୍ରାରେ ଯୁଗଳ ଦର୍ଶନ ପାଇଁ ସର୍ପ ଗୃହ ସିଂହାସନ, ହନୁମାନ ରଥ ଲକେଟ ଥିମ ଏବଂ ରାମ ଓ ସୀତାଙ୍କ ରଥ ଶଙ୍ଖ ସିଂହାସନ ଥିମରେ ରଥାରୁଢ଼ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେବେ। ଶୋଭାଯାତ୍ରାରେ ପ୍ରାୟ ୨୫ ଶହରୁ ଉର୍ଦ୍ଧ କଳାକାର ସାମିଲ ହେବେ ବୋଲି ସଭାପତି ଶ୍ରୀ ପଣ୍ଡା କହିଛନ୍ତି।
ଚଳିତ ବର୍ଷର ଯାତ୍ରା କମିଟି ଗୁଡିକ ତରଫରୁ ପ୍ରାକ ପ୍ରସ୍ତୁତି ଚୂଡାନ୍ତ ରୂପ ନେଉଛି। ଆସନ୍ତା ୧୦ ତାରିଖରେ ବ୍ରହ୍ମ ମୁହୁର୍ତ୍ତରେ ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ହାତଗଣ୍ଠି ପଡ଼ିବା ସହିତ ବିବାହ ହେବ। ଏହା ପରେ ୧୧ ତାରିଖ ରାତ୍ରିରେ ଦେବ ଦମ୍ପତ୍ତି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବା ପରେ ୧୨ ତାରିଖରେ ନଗର ପରିକ୍ରମା ପରେ ମନ୍ଦିର ପ୍ରବେଶ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ସୁନୀଲ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଫଣି ଭୂଷଣ ମିଶ୍ର, ଝାଡୁଆପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ସରୋଜ ଦଲପତ ଓ ମୁଦିପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ସଭାପତି ଜଗଦିଶ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ସାମ୍ବାଦିକ ସମ୍ମିଳନୀକୁ ଅଭିଷେକ ମିଶ୍ର ପରିଚାଳନା କରିଥିଲେ।
Comments are closed.