କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ଆଠଗଡ଼ରେ ମତଦାନ ଶାନ୍ତିପୂର୍ଣ୍ଣ

ଆଠଗଡ଼: ଆଠଗଡ଼ (୮୯) ନିର୍ବାଚନ ମଣ୍ଡଳିରେ ଶନିବାର ରାଜ୍ୟର ୩ୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିବା ବେଳେ କେତେକ ବୁଥରେ ସାମାନ୍ୟ ଉତ୍ତେଜନା ଓ କାଁ ଭାଁ ଗଣ୍ଡଗୋଳକୁ ଛାଡିଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି। ସକାଳ ୭ଟାରେ ଆଠଗଡ଼ର ୨୫୪ବୁଥରେ ମତଦାନ ଆରମ୍ଭ ହେବା ପୂର୍ବରୁ କେତେକ ବୁଥରେ ମକ୍‌‌ପୋଲ ସମୟରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେବେ ସେ ସବୁ ବୁଥରେ ସେକ୍ଟର ଅଧିକାରୀଙ୍କ ନିକଟରେ ସଂରକ୍ଷିତ ଥିବା ଅନ୍ୟ ଇଭିଏମ୍‌‌ ଓ ଆବଶ୍ୟକସ୍ଥଳେ ଭିଭିପ୍ୟାଟ ପରିିବର୍ତ୍ତନ କରି ମତଦାନ ଆରମ୍ଭ ହେବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏପରିକି ମତଦାନ ଚାଲିଥିବାବେଳେ ବିଶ୍ୱନାଥ ବିଦ୍ୟାପୀଠର ୧୦୭ନଂ ବୁଥରେ ଭିଭିପ୍ୟାଟ ଅଚଳ ହେବାରୁ ସେଠାରେ ନୂଆ ଭିଭିପ୍ୟାଟ ଲଗାଇ ମତଦାନ ପୁନଃ ଆରମ୍ଭ କରିବାରେ ପ୍ରାୟ ଅଧଘଣ୍ଟା ବିଳମ୍ବ ହୋଇଥିଲା। ଆଠଗଡ଼ ନିର୍ବାଚନ ମଣ୍ଡଳିର ରାଧାଗୋବିନ୍ଦପୁର, କୁଲାଇଲୋ, କୁମାରପୁର, ଦମ୍ପତ୍ତିପୁର ଓ କଣ୍ଟାଣିଆ ବୁଥ୍‌‌ ବାହାରେ ଶାସକ ବିଜେଡି ଓ ବିରୋଧି ବିଜେପି ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା, ଠେଲାପେଲା ଓ ଗଣ୍ଡଗୋଳ ଘଟି କିଛି ଲୋକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସନ୍ଧ୍ୟା ୭ଟା ସୁଦ୍ଧା ଆଠଗଡ଼ରେ ପ୍ରାୟ ୭୦%ରୁ ଅଧିକ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ଦିନରେ ପ୍ରବଳ ଖରା ଓ ଗରମକୁ ଲକ୍ଷ୍ୟ ରଖି ବିଭିନ୍ନ ବୁଥରେ ମତଦାତା ଅପରାହ୍ନ ୪ଟା ରୁ ୬ଟା ମଧ୍ୟରେ ମତଦାନ ପାଇଁ ଆସିବାରୁ ସେ ସବୁ ଭୋଟ କେନ୍ଦ୍ରରେ ମତଦାନ ରାତି ୮-୯ଟା ପର୍ଯ୍ୟନ୍ତ ଚାଲିଥିବା ଦେଖାଯାଇଥିଲା। ବିଭିନ୍ନ ବୁଥରୁ ପୋଲିଂ ଦଳ ଇଭିଏମ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ଗୋପବନ୍ଧୁ ବିଜ୍ଞାନ କଲେଜ ପରିସରରେ ୭.୩୦ମିନିଟ ପରେ ପହଞ୍ଚିବା ଆରମ୍ଭ କରିଥିଲେ। ଏହି ରିପୋର୍ଟ ଲେଖା ପର୍ଯ୍ୟନ୍ତ ଅନେକ ବୁଥରୁ ପୋଲିଂ ଦଳ ଫେରିନଥିବା ଜଣାପଡ଼ିଛି। ବଡମ୍ବା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଦୂରଦୂରାନ୍ତ ବୁଥଗୁଡିକରୁ ସମସ୍ତ ପୋଲିଂ ଦଳ ଆଠଗଡ଼ କଲେଜରେ ପହଞ୍ଚିବା ବେଳକୁ ରାତି ୨ଟା ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଠଗଡ଼ ନିର୍ବାଚନ ମଣ୍ଡଳିରେ ୨୫ଟି ଆଦର୍ଶ ସଖି ବୁଥ କରାଯାଇଥିବାବେଳେ ସେଗୁଡିକରେ ଆବଶ୍ୟକୀୟ ସୁବିଧା ବିଶେଷକରି ଫ୍ୟାନ, ପାନୀୟ ଜଳ ଓ ଉପଯୁକ୍ତ ଟେଣ୍ଟ ବ୍ୟବସ୍ଥା ଉପଲବ୍ଧ ନଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେହିପରି ଉତ୍ତେଜନା ପ୍ରବଣ ବୁଥଗୁଡିକ ନିକଟକୁ ପୁଲିସ ସ୍କାର୍ଡ ଠିକ୍‌‌ ସମୟରେ ପହଞ୍ଚିପାରିନଥିବାରୁ ଗଣ୍ଡଗୋଳିଆ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିନଥିଲା ବୋଲି ବହୁ ପ୍ରାର୍ଥୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଶାନ୍ତ କୁାମାର ତରାଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିବାବେଳେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ଆଇପିଏସ୍‌‌ ଅଧିକାରୀ ତଥା ବାଲିଗୁଡା ଏସଡିପିଓ ରାହୁଲ ଗୋଏଲଙ୍କ ନେତୃତ୍ୱରେ ପୁଲିସ ବାହିନୀ ସଜାଗ ରହିଥିଲେ। ଆଠଗଡ଼ ନିର୍ବାଚନ ମଣ୍ଡଳିରେ ୧୨ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଥିବା ବେଳେ ଆସନ୍ତା ୪ତାରିଖରେ କିଏ ବିଜୟ ମୁକୁଟ ପିନ୍ଧିବ ତାହା ସ୍ପଷ୍ଟ ହେବ। ତେବେ ଏଠାରେ ମୁଖ୍ୟତଃ ଶାସକ ବିଜେଡି ପ୍ରାଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ବିଜେପି ପ୍ରାର୍ଥୀ ଅଭୟ କୁମାର ବାରିକଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବା ଜଣାପଡ଼ିଛି।

ଆଠଗଡ଼ର ବିଜୁ ଜନତା ଦଳ ପ୍ରାର୍ଥୀ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଧାଗୋବିନ୍ଦପୁର ସ୍କୁଲର ୧୧୫ନଂ ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରି ନିଜର ଅଧିକାର ସାବ୍ୟସ୍ତ କରିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ରଣେନ୍ଦ୍ର ପ୍ରକାଶକ କରିବା ସହ ପ୍ରତ୍ୟେକ ନାଗରିକ ତାଙ୍କର ଏହି ଅଧିକାରଙ୍କୁ ସାବ୍ୟସ୍ତ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥଲେ। ରଣେନ୍ଦ୍ର ମତଦାନ କରିବାକୁ ଯିବାବେଳେ ତାଙ୍କ ସହିତ କିଛି ସମର୍ଥକ ବୁଥ ପରିସରରେ ପ୍ରବେଶ କରିବାରୁ ବିଜେପି ସମର୍ଥକ ଏହାକୁ ବିରୋଧ କରିବା ସମୟରେ ଠେଲାପେଲା ଓ ଗଣ୍ଡଗୋଳ ଘଟିବା ଯୋଗୁଁ ବିଜେପିର ୨ଜଣ ସମର୍ଥକ ଏବଂ ବିଜେଡିର ୨ଜଣ ସମର୍ଥକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ସେଠାରେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

ଆଠଗଡ଼ ରାଧାନାଥପୁର ଶାସନ ନିବାସୀ ୧୦୦ବର୍ଷ ବୟସ୍କ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନୃସିଂହଚରଣ ରଥ ନିଜେ ବୁଥ ମଧ୍ୟକୁ ଚାଲିଚାଲି ଯାଇ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଶ୍ରୀ ରଥ ରାସରସିକପୁର ସ୍କୁଲରେ ହୋଇଥିବା ବୁଥରେ ଭୋଟ ଦେବା ପରେ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜକୁ ସାମିଲ କରି ନିଜର ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ମତଦାନ କରିଥିବାରୁ ଗର୍ବ ଅନୁଭବ କରୁଛି ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ସୂଚନା ଥାଉକି ଶ୍ରୀ ରଥ ବଡମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଶ୍ୱଶୁର ଅଟନ୍ତି।

Comments are closed.