ସମ୍ବଲପୁରରେ ନିର୍ବାଚନ, ଇଭିଏମରେ ତ୍ରୁଟି ସତ୍ୱେ ମତଦାନ ଶାନ୍ତିପୂର୍ଣ୍ଣ

ସମ୍ବଲପୁର: ରାଜ୍ୟର ହଟ ସିଟ ସମ୍ବଲପୁର ଲୋକସଭା ଆସନ ସମେତ ଏଥି ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ଗୁଡିକରେ ଶନିବାର ଦେଶର ସାଧାରଣ ନିର୍ବାଚନ ୬ଷ୍ଠ ଓ ରାଜ୍ୟର ୩ୟ ପର୍ଯ୍ୟାୟରେ ହୋଇଯାଇଛି। ସମ୍ବଲପୁର ଜିଲାର ୪ଟି ବିଧାନସଭା ଗୁଡିକର ବିଭିନ୍ନ ମତଦାନ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୃଟି ଦେଖାଦେଇଥିଲା। ଫଳରେ ମତଦାନ ବିଳମ୍ବିତ ହୋଇଥିଲା। ଯାହାକୁ ନେଇ ଭୋଟର ମାନଙ୍କର ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଥିଲା। ସୁଚନାନୁଯାୟୀ, ପଟ୍ଟନାୟକପଡ଼ା ବୁଥ ସଂଖ୍ୟା ୧୪୩, ଗୋପାଳମାଳ ବୁଥ ସଂଖ୍ୟା ୯୧ ଭଳି ଅନେକ ବୁଥ ଗୁଡିକରେ ଇଭିଏମ ତ୍ରୁଟି ଯୋଗୁଁ ଅନେକ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ଫଳରେ ଅନେକ ସ୍ଥାନରେ ଅସନ୍ତୁଷ୍ଟ ଭୋଟର ମାନେ ପ୍ରଶାସନକୁ ଫୋନ କରି ଜଣାଇବା ସହିତ ନିଜର ଅସନ୍ତୋଷ ଜାହିର କରିଥିଲେ। ପୁର୍ବରୁ ବାରମ୍ବାର ସମସ୍ତ ପ୍ରକାର ପୁର୍ବ ପ୍ରସ୍ତୁତି ପରେ ଜିଲାର ବିଭିନ୍ନ ଅଞ୍ଚଳରେ ଇଭିଏମ ଓ ଭିଭିପାଟ ମେସିନ ଅଚଳ ହେବା ଦ୍ୱାରା ଭୋଟର ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହିତ ପ୍ରଶାସନର ପ୍ରାକ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠୁଛି।

ଏହି ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ୨୦୨୪ ଲୋକସଭା ଓ ବିଧାନସଭା ଆସନ ପାଇଁ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍ ନଂ ୫୯ରେ ଭୋଟ୍ ଦେଇଛନ୍ତି।

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସବିଆଇ ତରଫରୁ ବିଭିନ୍ନ ବୁଥ ଗୁଡିକରେ ଭୋଟର ମାନଙ୍କ ସୁବିଧା କରାଯାଇଥିଲା। ଏହି କ୍ରମରେ ସମ୍ବଲପୁରରେ ଶନିବାର ମତଦାନ ହୋଇଥିବା ବେଳେ ବୁଥ ସଂଖ୍ୟା ୧୩୯ (ବ୍ରଜ ମୋହନ ପଟ୍ଟନାୟକ ସ୍କୁଲ)ରେ ଭୋଟରଙ୍କ ପାଇଁ ସୁବିଧା କରାଯାଇଥିଲା। ପ୍ରବଳ ଗ୍ରୀଷ୍ମକୁ ଧ୍ୟାନରେ ରଖି ଏସବିଆଇ ତରଫରୁ ମତଦାନ କେନ୍ଦ୍ର ପରିସରରେ ଟେଣ୍ଟ, କୁଲର, ଫ୍ୟାନ, ଥଣ୍ଡା ପାନୀୟ ଜଳ, ମୃଦୁ ପାନୀୟ ଜଳ ଆଦିର ବ୍ୟବସ୍ଥା କରାଯାଇଥିଲା।

ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତଥା ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ସପରିବାର ଶନିବାର ମତଦାନ କରିଛନ୍ତି। ଦିନ ପ୍ରାୟ ୧୨ଟା ସମୟରେ ଶ୍ରୀ ମିଶ୍ର ପତ୍ନୀ ଜ୍ୟୋତ୍ସ୍ନାରାଣୀ, ଝିଅ ଶୁଭଶ୍ରୀ ଓ ପୁତ୍ର ଶୁଭାଶିଷଙ୍କ ସହିତ ସ୍ଥାନୀୟ ଗୁରୁପଡ଼ା ସ୍ଥିତ ଚନ୍ଦ୍ର ଶେଖର ବେହେରା ପ୍ରାଥମିକ ବିଦ୍ୟାଳୟରେ ଥିନା ବୁଥ ସଂଖ୍ୟା ୧୪୬ ମତଦାନ କରିଛନ୍ତି। ମତଦାନ ପରେ ଶ୍ରୀ ମିଶ୍ର ସମାଜର ପ୍ରତିନିଧି ବିରାଜ କୁମାର ମିଶ୍ରଙ୍କୁ କହିଛନ୍ତି ଯେ, ଏହା ଗଣତନ୍ତ୍ରର ସବୁଠାରୁ ବଡ ଉତ୍ସବ ଅଟେ। ସମସ୍ତ ନାଗରିକ ମାନେ ଏହି ଉତ୍ସବରେ ସାମିଲ ହେବା ଆବଶ୍ୟକ।

ତେବେ ମତଦାନ ଗ୍ରହଣ କରାଯାଇଥିବା ବେଳେ ଅନେକ ବୁଥ ଗୁଡିକରେ ଅବ୍ୟବସ୍ଥା ପାଇଁ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବଡବଜାରର ବୁଥ ସଂଖ୍ୟା ୬୩ ଓ ୬୪ରେ ସକାଳ ସମୟରେ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ଅପରାହ୍ନରେ ଇିଭିଏମ ଯନ୍ତ୍ର ଖରାପ ହେବାରୁ ୧ ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ମତଦାନ ବନ୍ଦ ରହିଥିଲା। ବୁଥ ଗୁଡିକରେ ଲମ୍ବା ଧାଡି ଲାଗିଥିବାରୁ ସନ୍ଧ୍ୟା ୬ଟା ସୁଦ୍ଧା ଶତାଧିକ ବ୍ୟକ୍ତି ଅଟକି ରହିଥିଲେ।

ସମ୍ବଲପୁରର ଭୁତାପଡ଼ା ସ୍ଥିତ ବୁଥ ସଂଖ୍ୟା ୧୬୪ରେ ଜଣେ ପୁଲିଂ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଭୁତାପଡ଼ା ସ୍ଥିତ ଉର୍ଦ୍ଦୁ ସ୍କଲରେ ଠାରେ ଥିବା ମତଦାନ କେନ୍ଦ୍ର ସଂଖ୍ୟା ୧୬୪ରେ ସୁବନ୍ଦିତା ମିଶ୍ର ନାମକ ଜଣେ ପୁଲିଂ କର୍ମଚାରୀ ଅଚାନକ ଦିନ ପ୍ରାୟ ୧ଟା ୩୦ ମିିନିଟରେ ଅସୁସ୍ଥ ହୋଇ ପଡ଼ିଥିଲେ। ଅତ୍ୟନ୍ତ ଗୁଳୁଗୁଳି ପାଇଁ ସେ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ତାଙ୍କୁ କେନ୍ଦ୍ରରେ ଥିବା ସହାୟତା କର୍ମୀ ମାନଙ୍କ ସହାୟତାରେ ଧନୁପାଲି ପୁଲିସ ଥାନାର ଗାଡିରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି ସୂଚନା ମିଳିଛି।

Comments are closed.