ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ୩୫ ଘଡିଆଳ ଶାବକ

ହରଭଙ୍ଗା: ବିରଳ ପ୍ରଜାତିର ଘଡିଆଳ କୁମ୍ଭୀର ପାଇଁ ପରିଚିତ ସାତକୋଶିଆ ଆଣିଛି ଆଉ ଏକ ଖୁସି ଖବର। ଗତ ଗୁରୁବାର ସାତକୋଶିଆର ବଳଦମଡା ନିକଟରେ ଏକ ମାଈ ଘଡିଆଳ କୁମ୍ଭୀର ୩୫ ଶାବକକୁ ଜନ୍ମ ଦେଇଛି। ୪୦ବର୍ଷର ବ୍ୟବଧାନ ପରେ ଏଥରକୁ ମିଶାଇ ଲଗାତର ଚତୁର୍ଥଥର ପ୍ରାକୃତିକ ଆବସସ୍ଥଳୀରେ ଅଣ୍ଡା ଫୁଟାଇଛି ମା’ ଘଡିଆଳ। ଏଭଳି ଖୁସି ଖବର କେବଳ ସାତକୋଶିଆ ପାଇଁ ନୁହେଁ ସମଗ୍ର ଓଡିିଶା ପାଇଁ ଖୁସି ଆଣିଛି।

ପ୍ରକାଶ ଯେ ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ବଳଦମଡା ନିକଟରେ ଗତ ମାର୍ଚ୍ଚ ମାସରେ ଏକ ମାଈ ଘଡିଆଳ କୁମ୍ଭୀର ଅଣ୍ଡା ଦେଇଥିଲା। ଅଣ୍ଡା ଦେବାର ଏକ ମାସ ପରେ ଛୁଆ ଫୁଟିବା କଥା। ମାତ୍ର ଅତ୍ୟଧିକ ଗରମ କାରଣରୁ ଅଣ୍ଡାରୁ ଛୁଆ ଫୁଟିବା ବିଳମ୍ବ ଘଟିଥିଲା। ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ବିଚଳିତ ହୋଇପଡ଼ିଥିଲା। ଗତ ୮ ତାରିଖରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଟିମ (ଏନ.ଟି.ସି) ସାତକୋଶିଆ ଗଣ୍ଡ ଅଭୟାରଣ୍ୟ ପରିଦର୍ଶନ କରିଥିଲେ। ଘଡିଆଳ ପ୍ରଜନନକୁ ଦୃଷ୍ଟିରେ ରଖି କୋର ଏରିଆରେ ମାଛମରା, ଡଙ୍ଗା ଇତ୍ୟାଦି ଚଳାଚଳକୁ କଡାକଡି ବନ୍ଦ କରାଯାଇଥିଲା। ବିଳମ୍ବରେ ହେଉପଛେ ମାଈ ଘଡିଆଳ ୩୫ ଶାବକ ଜନ୍ମ ଦେବା ପରେ ସାତକୋଶିଆ ବନ୍ୟପ୍ରାଣୀ କର୍ମଚାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଏଭଳି ଖୁସି ଖବର ଜଣାପଡ଼ିବା ପରେ ମୁଖ୍ୟ ବନ୍ୟପ୍ରାଣୀ ତତ୍ୱ୍ୱାବଧାରକ ସୁଶାନ୍ତ ନନ୍ଦ ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି।

ସାତକୋଶିଆ ଗଣ୍ଡ ଅଭୟାରଣ୍ୟର ମହାନଦୀ ବନ୍ୟପ୍ରାଣୀ ଅନୁଗୁଳ ବନଖଣ୍ଡ ଅଧିନରେ ଥିବା ଟିକରପଡ଼ାଠାରେ ୧୯୭୫ ମସିହାରେ ଘଡିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହାର ମୁଖ୍ୟ ଉଦେଶ୍ୟ ଥିଲା ମହାନଦୀରେ ଘଡିଆଡ କୁମ୍ଭୀର ବଂଶବୃଦ୍ଧି। ଏହି ଉଦ୍ଦେଶ୍ୟରେ ଟିକରପଡ଼ାଠାରେ ଏକ କୁମ୍ଭୀର ଗବେଷଣା କେନ୍ଦ୍ର ସହିତ ସଂରକ୍ଷଣ କେନ୍ଦ୍ର ଖୋଲା ଯାଇଥିଲା। ମାତ୍ର ବିଭିନ୍ନ ସମୟରେ ବାହାରୁ ଅଣ୍ଡା ଅଣାଯାଇ ପ୍ରଜନନ ପରେ ବି ସାତକୋଶିଆରେ ଘଡିଆଳ ବଂଶବୃଦ୍ଧି ନଘଟିବା କାରଣ ଦିଗରେ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଥିଲା। ୨୦୨୦ରେ ଘଡିଆଳ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି କୃତ୍ରିମ ପ୍ରଜନନ ପାଇଁ କେତୋଟି ମାଈ ଏବଂ ପୁରୁଷ ଘଡିଆଳ ଗଣ୍ଡରେ ଛଡାଯାଇ ସେମାନଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଥିଲା।ଶେଷରେ ୨୦୨୨ରେ ପ୍ରଥମ ଥର ପାଇଁ ଏକ ମାଈ ଘଡିଆଳ ସାତକୋଶିଆର ବଳଦମଡାଠାରେ ୨୮ଟି ଶାବକକୁ ଜନ୍ମ ଦେଇଥିଲା। ୨୦୨୨ ମେରେ ପୁଣି ମାଈ ଘଡିଆଳ କୁମ୍ଭୀର ୩୦ଟି ଶାବକକୁ ନେଇ ଖେଳୁଥିବା ଚିତ୍ର ବନ୍ୟପ୍ରାଣୀ ବିଭାଗ ଜାରି କରିଥିଲା। ଗତ ୨୦୨୩ ମେରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେଇଥିଲା। ଲଗାତାର ଚତୁର୍ଥ ଥର ପାଇଁ ଗତ ୨୩ମେରେ ଘଡିଆଳ କୁମ୍ଭୀର ୩୫ଟି ଶାବକ ଜନ୍ମ ଦେବା ସାତକୋଶିଆ ପାଇଁ ଖୁସିଖବର ଆଣିଛି। ଲଗାତାର ଚର୍ତୁଥ ଥର ପାଇଁ ଘଡିଆଳ କୁମ୍ଭୀର ଶାବକ ଜନ୍ମ ଦେବା ଘଟଣା ସାତକୋଶିଆରେ ଏହି ପ୍ରଜାତିର କୁମ୍ଭୀର ବଂଶବୃଦ୍ଧି ଦିଗରେ ସଫଳତା ଆଡକୁ ଗତି କରୁଥିବା ଜଣାପଡୁଛି। ପ୍ରତିବର୍ଷ ମେ ମାସରେ ସାତକୋଶିଆ ପାଇଁ ଘଡିଆଳ କୁମ୍ଭୀର ଖୁସି ଖବର ଆଣୁଥିବାରୁ ମେ’ ମାସ ସାତକୋଶିଆ ପାଇଁ ସ୍ୱତନ୍ତ୍ର ବୋଲି ମତପ୍ରକାଶ ପାଉଛି। ବର୍ତ୍ତମାନ ଘଡିଆଳ ଶାବକକଙ୍କ ସୁରକ୍ଷା ପାଇଁ ବନ୍ୟପ୍ରାଣି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିବା ଜଣାପଡ଼ିଛି।

Comments are closed.