ଅଇଁଠାପାଲି ହତ୍ୟାକାଣ୍ଡ ଘଟଣା, ସହଯୋଗୀ ଗିରଫ

ସମ୍ବଲପୁର: ସ୍ଥାନୀୟ ଅଇଁଠାପାଲି ଛକ ଠାରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ମୃତକଙ୍କ ସହଯୋଗୀ ଗୋପବନ୍ଧୁ ବେହେରାଙ୍କୁ ପୁଲିସ ଗିରଫ କରିଛି। ଏ ସମ୍ପର୍କରେ ଏସଡିପିଓ ତୁଫାନ ବାଗ ଶନିବାର ପୂର୍ବାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୃତକ ରଞ୍ଜିତ ସାହା ବୌଦ୍ଧ ଜିଲା ନାରାୟଣପୁର ନିବାସୀ ଅଭିଯୁକ୍ତ ଗୋପବନ୍ଧୁଙ୍କୁ ତାଙ୍କ ସହିତ କାମରେ ରଖିଥିଲେ। ପ୍ରାୟ ୩ ମାସ ହେବ ରଞ୍ଜିତ ଦରମା ଗୋପବନ୍ଧୁଙ୍କୁ ଦେଇ ନ ଥିଲେ। ଏଣୁ ସେମାନଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ମଧ୍ୟ ହୋଇଥିଲା।

ରାତ୍ରି ଅଧରୁ ରାତ୍ରିକାଳୀନ ବସ ଗୁଡିକ ଆସୁଥିବାରୁ ସେମାନେ ଅଇଁଠାପାଲି ଛକ ସ୍ଥିତ ଗୋଦାମ ଘରେ ରାତ୍ରିରେ ଶୋଇଥାନ୍ତି। ସବୁ ଦିନ ଭଳି ଶୁକ୍ରବାର ରାତ୍ରିରେ ଉଭୟେ ଗୋଦାମ ଘରକୁ ଯାଇ ଶୋଇଥିବା ବେଳେ ରାତ୍ରି ପ୍ରାୟ ୨ଟା ସମୟରେ ରଞ୍ଜିତ ଉଠି ଗୋପବନ୍ଧୁଙ୍କୁ ଉଠାଇ କାମକୁ ଯିବା ପାଇଁ କହିଥିଲେ। ତେବେ ଗୋପବନ୍ଧୁ ଉଠି ନ ଥିଲେ ଏବଂ କାମକୁ ଯିବାକୁ ମନା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଉଠାଇବାକୁ ରଞ୍ଜିତ ଏକ ଗୋଇଠା ମାରିଥିଲେ। ଫଳରେ ଗୋପବନ୍ଧୁ ରାଗି ଯାଇ ରଞ୍ଜିତକୁ ଠେଲି ଦେବାରୁ କାନ୍ଥରେ ତାଙ୍କର ମୁଣ୍ଡ ବାଜିଯିବାରୁ ମୁଣ୍ଡ ଫାଟି ଯାଇ ରକ୍ତସ୍ରାବ ହୋଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଣୁ ପାଖରେ ଥିବା ଏକ ଲୁହା ରଡ ସାହାଯ୍ୟରେ ରଞ୍ଜିତଙ୍କ ମୁଣ୍ଡକୁ ଗୋପବନ୍ଧୁ ମାରିବାରୁ ସେ ସେଠାରେ ଟଳି ପଡ଼ିଥିଲେ। ହତ୍ୟା ପରେ ଗୋପବନ୍ଧୁ ସେଠାରୁ ସିନ୍ଦୁରପଙ୍କ ସ୍ଥିତ ନିଜର ଭଉଣୀ ଘରକୁ ଯାଇଥିଲେ। ସେଠାରେ ଗାଧୋଇବା ପରେ ପୁଣି ଅଇଁଠାପାଲିକୁ ଆସି ରଞ୍ଜିତଙ୍କ ସ୍ତ୍ରୀଙ୍କୁ ଖବର ଦେବା ସହିତ ରକ୍ତାକ୍ତ ଅବସ୍ଥାରେ ରଞ୍ଜିତ ଗୋଦାମ ଘରେ ପଡ଼ିଥିବାର କହିଥିଲେ। ଏହା ପରେ ତାଙ୍କର ସ୍ତ୍ରୀ ସହିତ ଗୋପବନ୍ଧୁ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ରଞ୍ଜିତଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ସ୍ତ୍ରୀ ସର୍ମିଲାଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ଅଇଁଠାପାଲି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସନ୍ଦେହ ଆଧାରରେ ଗୋପବନ୍ଧୁ ବେହେରାଙ୍କୁ ଜେରା କରିବାରୁ ଶେଷରେ ସେ ହତ୍ୟା କରିଥିବାର ସ୍ୱିକାର କରିବା ସହିତ ଘଟଣାବଳୀ ପୁଲିସକୁ କହିଥିଲେ। ଏଣୁ ପୁଲିସ ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଲୁହା ରଡ ଜବତ କରିବା ସହିତ ଗିରଫ କରି ଶନିବାର ଅଦାଲତକୁ ଚାଲାଣ କରିଛି। ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ବୌଦ୍ଧ ଜିଲାରେ ଏକ ସଙ୍ଗୀନ ମାମଲା ରହିଥିବାର ପୁଲିସ ତଦନ୍ତ ସମୟରେ ଜଣାପଡ଼ିଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି।

Comments are closed.