ବାତଜ୍ୱର ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମ ଶୁଭାରମ୍ଭ
ଆଠଗଡ଼: ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୮ଟି ଯାକ ୱାର୍ଡରେ ବାତଜ୍ୱର ନିରାକରଣ ଓ କୃମି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଆଠଗଡ଼ ଡାକ୍ତରଖାନା ରୋଗୀ କଲ୍ୟାଣ ସମିତି ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ୧୦ଦିନ ବ୍ୟାପୀ ଚାଲିବାକୁ ଥିବା ଏହି କାର୍ୟ୍ୟକ୍ରମର ଉଦ୍ଘାଟନୀ ଉତ୍ସବ କନ୍ତୋଲ ଓ ଆଠଗଡ଼ସ୍ଥିତ ବିଶ୍ୱନାଥ ବିଦ୍ୟାପୀଠରେ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କନ୍ତୋଲଠାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନଗରପାଳ ସସ୍ମିତା ରାଉତ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଉପନଗରପାଳ ବି ଶୁଭ୍ର ଶଙ୍କର ଜ୍ୟୋତିି ଓ ପୂର୍ବତନ ଉପନଗରପାଳ ଲଳିତ ମୋହନ ନାୟକ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ନଗରପାଳ ଶ୍ରୀମତୀ ରାଉତଙ୍କ ସମେତ ଅନ୍ୟଅତିଥି, କିଛି ସ୍ୱେଚ୍ଛାସେବୀ ଓ ଜନସାଧାରଣ ଡିଇସି ଓ ଆଲବେଣ୍ଡାଜ ଔଷଧ ସେବନ କରିଥିଲେ। ସେହିପରି ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅମର କୁମାର ମହାରଣାଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ, କର୍ମଚାରୀ ଓ ୪୦୦ ଛାତ୍ର ଏହି ଔଷଧ ସେବନ କରିଥିଲେ। ବିଶ୍ୱନାଥ ବିଦ୍ୟାପୀଠ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିପିଏଚ ଓ ଓ ପରିବାର ନିୟୋଜନ ଡାକ୍ତର ମମତା ମହାପାତ୍ର, ଉପ-ପରିଚାଳକ ସନ୍ଧ୍ୟାରାଣୀ ପଣ୍ଡା, ଡିପିଏଚସିଓ ମନ୍ଦାକିନୀ ବେହେରା, ଲିନା ବେଉରା, ବିଭିଡି ପରିଦର୍ଶକ ବିଜୟ କୁମାର ବେଉରା, ଉପଦେଷ୍ଟା ତୃପ୍ତିରାଣୀ ନାୟକ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ନୋଡାଲ ସଂଯୋଜକ ଡାକ୍ତର ସମ୍ବିତ ପ୍ରଧାନ ପ୍ରମୁଖ ଯୋଗଦେଇ ଏହି ଔଷଧ ସେବନର ଉପକାରିତା ସଂପର୍କରେ ବୁଝାଇଥିଲେ। ଏହି ସମସ୍ତ କାର୍ୟ୍ୟକ୍ରମକୁ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ସଂଯୋଜନା କରିଥିବାବେଳେ କାର୍ୟ୍ୟକ୍ରମ ପରିଚାଳନାରେ ଅଙ୍ଗନବାଡି ପରିଦର୍ଶିକା ଭାଗ୍ୟଲତା ସେଠୀ, ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକା, ଆଶାକର୍ମୀ ଓ ସ୍ୱଚ୍ଛସାଥୀ ପ୍ରମୁକ ସହେଯୋଗ କରିଥିଲେ।
Comments are closed.