ଭୁବନେଶ୍ବର: ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ) , ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ , ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଭୁବନେଶ୍ବରରେ ସମ୍ମାନଜନକ ସନ୍ତାଷ ଟ୍ରଫି ଫୁଟବଲ ୭୬ତମ ସଂସ୍କରଣର ଫାଇନାଲ ରାଉଣ୍ଡ ଆରମ୍ଭ ହୋଇଛି। ଶୁକ୍ରବାର ୩ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ କେରଳ ବିଜୟୀ ହୋଇଥିବାବେଳେ ଅନ୍ୟ ଦୁଇଟି ମ୍ୟାଚ ଡ୍ର ରେ ଶେଷ ହୋଇଛି।
କ୍ୟାପିଟାଲ ଫୁଟବଲ ଏରିନାରେ ଅପରାହ୍ଣରେ ଗ୍ରୁପ-ଏର ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୧-୧ ଗୋଲ ବରାବରରେ ଶେଷ ହୋଇଛି। ମ୍ୟାଚ ବରାବର ରହିବାରୁ ଦୁଇ ଦଳ ଏକ ପଏଣ୍ଟ ଲେଖାଏଁ ପାଇଛନ୍ତି। ଉଭୟ ଦଳ ମଧ୍ୟରେ ମ୍ୟାଚ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାର୍ଦ୍ଧ ତଥା ଖେଳର ୫୭ମିନିଟ୍ରେ ମହାରାଷ୍ଟ୍ର ପକ୍ଷରୁ ଅମରେଶ ନାସିିର ଅନ୍ସାରୀ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୮୩ ମିନିଟ୍ରେ ଓଡ଼ିଶା ପକ୍ଷରୁ ଚନ୍ଦ୍ର ମୁଦୁଲି ଗୋଲ ଦେଇ ମ୍ୟାଚକୁ ୧-୧ ବରାବର କରିଥିଲେ। ଓଡ଼ିଶା ଦ୍ବିତୀୟ ମ୍ୟାଚ ୧୨ରେ ଗୋଆ ସହିତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବ। ଉଦ୍ଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏଆଇଏଫଏଫ ସମ୍ପାଦକ ଡ. ସାଜି ପ୍ରଭାକରନ, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ, ଉପ ସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ମହମ୍ମଦ ସାହିଦ ଜବାର, ରଞ୍ଜନ କୁମାର ଘଡାଇ, ସଙ୍ଗୀତା ଶର୍ମା, କ୍ରୀଡ଼ା ବିଭାଗ ଅନୁ ସଚିବ ରାଜେନ୍ଦ୍ର ପାଣି, ପ୍ରମୁଖ ଯୋଗ ଦେଇଥିଲେ। ଶନିବାର ଗ୍ରୁପ-ବିର ୩ଟି ମ୍ୟାଚ ଖେଳାଯିବ। ସକାଳ ୯ଟାରେ ସପ୍ତମ ବାଟାଲିୟନରେ ଦିଲ୍ଲୀ -ବଙ୍ଗଳାକୁ ଭେଟିବାବେଳେ ଅପରାହ୍ଣ ୩ଟାରେ ମଣିପୁର-ରେଲୱେ ଓ କ୍ୟାପିଟାଲ ଫୁଟବଲ ଏରିନାରେ ମେଘାଳୟ-ସର୍ଭିସେସକୁ ଭେଟିବ।
କ୍ୟାପିଟାଲ ଫୁଟବଲ ଏରିନାରେ ସକାଳେ ଗ୍ରୁପ-ଏ ର ଖେଳାଯାଇଥିବା ମ୍ୟାଚରେ କେରଳ ୩-୨ ଗୋଲରେ ଗୋଆକୁ ପରାସ୍ତ କରିଛି। କେରଳ ପକ୍ଷରୁ ଗିଲବର୍ଟ ନିଜୋ ୨୭, ଇଡକାଭିଲ ରିସୱାନ ୫୭ ଓ ଓମ୍ ଆସିଫ ୯୦ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଗୋଆ ପକ୍ଷରୁ ମହମ୍ମଦ ଫାହିଜ୍ ୬୦ ଓ ୭୩ ମିନିଟ୍ରେ ଦୁଇଟି ଗୋଲ ଦେଇଥିଲେ। ଏହି ବିଜୟ ସହ କେରଳ ୩ ପଏଣ୍ଟ ପାଇଛି।
ସେହିପରି ସପ୍ତମ ବାଟାଲିୟନରେ ଅପରାହ୍ଣରେ ଗ୍ରୁପ-ଏର ପଞ୍ଜାବ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ୨-୨ ଗୋଲ ବରାବରରେ ଶେଷ ହୋଇଛି। ପଞ୍ଜାବ ପକ୍ଷରୁ କମଲଦୀପ୍ ୬୫ ଓ ବିପୁଲ କାଲା ୬୯ ମିନିଟ୍ରେ ଗୋଲ ଦେଇଥିଲେ। କର୍ଣ୍ଣାଟକ ପକ୍ଷରୁ ପି କମଳେଶ ୮୨ ଓ ରବିନ ଯାଦବ ୯୦ ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ମ୍ୟାଚ ବରାବର ରହିବାରୁ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି।



