ଧନୀ ତାଲିକାର ୧୦ମ ସ୍ଥାନକୁ ଫେରିଲେ ମୁକେଶ

ନୂଆଦିଲ୍ଲୀ: ବିଶ୍ୱର ଶୀର୍ଷ ଧନୀକଙ୍କ ସୂଚୀରେ ଗତ କିଛି ଦିନ ହେଲା ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି। ବିଶେଷ କରି ଧନୀକଙ୍କ ସୂଚୀରେ ସାମିଲ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ତଳ ଉପର ହେବାରେ ଲାଗିଛି। ହିଣ୍ଡନବର୍ଗ ରିପୋର୍ଟ ପରେ ଧନୀଙ୍କ ସୂଚୀର ଚତୁର୍ଥ ସ୍ଥାନରେ ଥିବା ଗୌତମ ଆଦନୀ ତଳକୁ ଖସିଥିବା ବେଳେ ମୁକେଶ ଅମ୍ବାନୀ ଉପରକୁ ଉଠିଛନ୍ତି। ଏଥିରେ ଅମ୍ବାନୀପୁଣି ଥରେ ଫୋର୍ବସ୍‌ ବିଲିୟନେୟାର ସୂଚୀର ୧୦ମ ସ୍ଥାନକୁ ଫେରିଆସିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡଙ୍କ ଅଧ୍ୟକ୍ଷ ଓ ଏସିୟାର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଏକ ବିଲିୟନ ଡଲାରରରୁ ବି ଅଧିକ ବଢିଛି। ଏଣୁ ପୁଣି ଥରେ ବିଲିୟନେୟରଙ୍କ ଟପ ଟେନ୍‌ ସୂଚୀକୁ ତାଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ୧.୭ ବିଲିୟନ ଡଲାର (୧୪ହଜାର ୪୩ କୋଟି ଟଙ୍କା) ଅଭିବୃଦ୍ଧି ସହିତ ଅମ୍ବାନୀଙ୍କ ନେଟୱର୍ଥ ୮୩.୧ ବିଲିୟନ ଡଲାରରେ ପହଞ୍ଚିଛି। ଗତ କିଛି ଦିନ ହେଲା ସେୟାର ବଜାରରେ ଆଦାନୀ ଗ୍ରୁପ ଅଧ୍ୟକ୍ଷଙ୍କ ସମ୍ପତ୍ତିରେ ଜୋରଦାର ହ୍ରାସ ଦେଖାଯାଇଥିଲା। ସେତେବେଳେ ଅମ୍ବାନୀଙ୍କ ନେଟ୍‌ ୱର୍ଥ ମଧ୍ୟ ହ୍ରାସ ପାଇଥିଲା। ଫଳରେ ବିଲୟନେୟରଙ୍କ ଲିଷ୍ଟର ୧୦ ସ୍ଥାନରୁ ଅମ୍ବାନୀ ତଳକୁ ଖସି ଯାଇଥିଲେ। ତେବେ ଇତିମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ମୂଲ୍ୟ ବୃଦ୍ଧି ଅମ୍ବାନୀଙ୍କ ନେଟୱର୍ଥ ବୃଦ୍ଧିରେ ସହାୟକ ହୋଇଥିବା ବେଳେ ସେ ହରାଇଥିବା ୧୦ମ ସ୍ଥାନ ପୁଣି ହାସଲ କରି ନେଇଛନ୍ତି।

Comments are closed.