ଡେସ୍କ: ମହାନଦୀ ଅବବାହିକାରେ ଖଇରମାଳରେ ୪.୭୨ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଉଥିବା ବେଳେ ବାରମୁଳା ନିକଟରେ ୭.୮୬ ଲକ୍ଷ କ୍ୟୁସେକ୍ ଏବଂ ମୁଣ୍ଡୁଳିରେ ୯.୧୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସିତ ହେଉଛି। ସୂଚନା ଅନୁଯାୟୀ, ଖଇରମାଳ ଏବଂ ବାରମୁଳା ଠାରେ ବନ୍ୟାଜଳ ପ୍ରବାହ ହ୍ରାସ ପାଉଛି। ଆଜି ସନ୍ଧ୍ୟା ୫ଟା ସୁଦ୍ଧା ମୁଣ୍ଡୁଳିରେ ୯.୧୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ମହାନଦୀକୁ ପ୍ରବେଶ କରୁଛି। ଅପରାହ୍ନ ୪ଟା ପରଠାରୁ ମୁଣ୍ଡୁଳିରେ ବନ୍ୟା ଜଳସ୍ତର ସ୍ଥିର ରହିଛି।
ନରାଜରେ ମହାନଦୀ ଜଳସ୍ତର ବୃଦ୍ଧି ହେତୁ କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁରର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଆଖୁଆପଦା ଠାରେ ବୈତରଣୀ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ସେଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଜଳସ୍ତର ୧୯.୪୪ ମିଟର ରହିଛି। ଆନନ୍ଦପୁରରେ ଜଳ ସ୍ତର ମଧ୍ୟ ହ୍ରାସ ପାଉଛି। ଭଦ୍ରକ ଏବଂ ଯାଜପୁରର ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ରାଜ୍ୟରେ ଲଗାଣ ବର୍ଷା ଯୋଗୁ ୧୨ଟି ଜିଲ୍ଲାର ୮୨ ବ୍ଲକର ୨୬୪ ଗୋଟି ପଞ୍ଚାୟତ ଅନ୍ତର୍ଗତ ୪୮୧ ଗୋଟି ଗ୍ରାମ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଘଟିଥିବା କ୍ଷୟକ୍ଷତିର ବିବରଣୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହସ୍ତଗତ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯାଉଛି।
ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସ୍ ବିବୃତି: pic.twitter.com/fNsxKh9feI
— I & PR Department, Odisha (@IPR_Odisha) August 3, 2023
ଜେନାପୁରରେ ବ୍ରାହ୍ମଣୀ ନଦୀର ବିପଦ ସଂକେତ ୨୩.୦୦ ମିଟର ଥିବା ବେଳେ ଜଳସ୍ତର ୨୨.୨୦ ମିଟରରେ ପ୍ରବାହିତ ହେଉଛି। ଆଜି ଅପରାହ୍ନ ୪ଟା ପରଠାରୁ ବାଲେଶ୍ୱରର ମାଥାନିରେ ଜଳକା ନଦୀର ଜଳ ସ୍ତର ହ୍ରାସ ପାଉଛି। ପ୍ରବଳ ବର୍ଷା ଏବଂ ବନ୍ୟା ଜନିତ ପରିସ୍ଥିତି ଯୋଗୁଁ ୬୮୩୪ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ସହିତ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ୧୩୬ଟି ସ୍ଥାନରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ପ୍ରାଥମିକ ସୂଚନା ଅନୁଯାୟୀ, ୧୫ଟି ଜିଲ୍ଲାର ୯୦ଟି ବ୍ଲକର ୭୬୨ଟି ଗ୍ରାମ ଏବଂ ୧୭ଟି ସହରାଂଚଳର ୬୬ଟି ୱାର୍ଡ ପ୍ରବଳ ବର୍ଷା ଓ ସମ୍ଭାବ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ଏଥିରେ ୧ ଲକ୍ଷ ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି।



