ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ ସଂପୂର୍ଣ୍ଣ କରି ଓସିସି ଜନସାଧାରଣଙ୍କ ଅଧିକ ଆସ୍ଥା ଭାଜନ ହେଉ
ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର: ଓଡିଶା ନିର୍ମାଣ ନିଗମ ୧୯୬୨ ମସିହା ମେ’ ମାସ ୨୨ରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା। ୬୧ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଓସିସିଏଲ୍ ଆଜି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ଅଗ୍ରଣୀ ନିର୍ମାଣକାରୀ ସଂସ୍ଥାଭାବେ ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରି ଏହାର ଉତ୍କର୍ଷତା ପ୍ରତିପାଦନ କରିପାରିଛି। ୨୨ ବର୍ଷ ଧରି ଓଡ଼ିଶାର ବିକାଶ ଧାରାକୁ ଆଗେଇ ନେଇଥିବା ବିଜୁବାବୁଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ବଦା କୃଷି ପାଇଁ ଜଳ ଓ ସମସ୍ତଙ୍କୁ ପିଇବା ପାଣି ଉପଲବ୍ଧତା ଉପରେ ଗୁରୁତ୍ୱ ଦେଇ ସଂକଳ୍ପବଦ୍ଧ ହୋଇ କାର୍ୟ୍ୟକରିବାକୁ ଆହ୍ୱାନ ଦେଇଛନ୍ତି। ଓସିସି ଜଳସଂପଦ ବିଭାଗ ସମେତ ରାଜ୍ୟ ସରକାରଙ୍କ ୯ଟି ବିଭାଗର ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଛି। ଓସିସି କରୁଥିବା ବିଭିନ୍ନ କାର୍ଯ୍ୟକୁ ସଠିକ୍ ଭାବେ ସାରିବା ପାଇଁ ଜନସାଧାରଣ ଯେଉଁ ଆଶା ରଖୁଛନ୍ତି, ‘୫-ଟି’ ଉପକ୍ରମ ଆଧାରରେ ଦଳଗତ ପ୍ରଚେଷ୍ଟା ଏବଂ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ, ଓସିସିଏଲ୍ ତାହାକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଜନ ସାଧାରଣଙ୍କର ଅଧିକରୁ ଅଧିକ ଆସ୍ଥାଭାଜନ ହେଉ ବୋଲି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି। ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ଓଡିଶା ନିର୍ମାଣ ନିଗମ ଲିମିଟେଡ ୬୧ତମ ସ୍ୱର୍ଣ୍ଣକ୍ଷେତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମକୁ ଉଦଘାଟନ ପୂର୍ବକ ମନ୍ତ୍ରୀ ଶ୍ରୀମତୀ ସାହୁ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲର ଅଧ୍ୟକ୍ଷା ଅନୁ ଗର୍ଗ, ଯୋଗଦେଇ କହିଛନ୍ତି ଯେ, ଓସିସି ଦ୍ୱାରା ଜଳ ସଂପଦ ବିଭାଗର ଅଧିକ କାର୍ୟ୍ୟ କରାଯାଉଛି। ଆଗାମୀ ୨୦୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଏବଂ ୨୦୪୭ ମସିହାରେ ଦେଶ ସ୍ୱାଧୀନ ହେବାର ଶତ ବାର୍ଷିକ ପୂର୍ତ୍ତି ଅବସରରେ ଓଡିଶାର ବିକାଶକୁ ଲକ୍ଷ୍ୟ ରଖି ଓସିସି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରୁଛି। ସବୁ କାର୍ୟ୍ୟର ତଥ୍ୟ ଠିକ ଭାବେ ରଖିବା ସହିତ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣକୁ ଦୃଷ୍ଟି ଦେଇ ଓସିସି ଏହାର କାର୍ୟ୍ୟରେ ଗୁଣବତ୍ତା ବଜାୟ ରଖି ନିର୍ମାଣ କ୍ଷେତ୍ରରେ ଶ୍ରେଷ୍ଠ ଅନୁଷ୍ଠାନ ଭାବେ ସବୁଠି ସୁନାମ ଅର୍ଜନ କରୁ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଂଜନ ମହାନ୍ତି ଯୋଗଦେଇ କର୍ମଚାରୀମାନେ ଆଗାମୀ ଦିନରେ ଅଧିକ ଦକ୍ଷତାର ସହିତ କାର୍ୟ୍ୟ ସମ୍ପାଦନ କରିବାକୁ କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।
ପ୍ରାରମ୍ଭରେ ଓସିସିର ପରିଚାଳନା ନିର୍ଦେଶକ ବିଭୂତି ଭୂଷଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଓସିସିର କାର୍ୟ୍ୟ ବିବରଣୀ ପାଠ କରି ଅନୁଷ୍ଠାନର ଦୀର୍ଘ ୬୧ ବର୍ଷର ସଫଳତାର ଯାତ୍ରାରେ ବିଭିନ୍ନ ପ୍ରକାର ନିର୍ମାଣ କାର୍ୟ୍ୟଧାରା ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀ ଦାଶ ସୂଚନା ଦେଇ କହିଥିଲେ ଯେ, ଓସିସିର ଉଲ୍ଲେଖନୀୟ କାର୍ୟ୍ୟମଧ୍ୟରେ ବାଲିମେଳା ପାୱାର ହାଉସ୍, ଅପର କୋଲାବ ପାଓ୍ନାର ହାଉସ୍ ଓ ଟନେଲ, ଇନ୍ଦ୍ରାବତୀ ପେନଷ୍ଟକ୍ସ, ଇନ୍ଦ୍ରାବତୀ କେନାଲ, ହାତୀ ବ୍ୟାରେଜ୍, ମହାନଦୀ ବ୍ୟାରେଜ, ସୁନାବେଡା ଠାରେ ହିନ୍ଦୁସ୍ଥାନ ଏରୋନଟି୍ସ ଟାଉନସିପ୍, ରେଙ୍ଗାଲୀ କେନାଲ ବ୍ୟବସ୍ଥା, ଡ୍ୟାମ ଓ ପାଓ୍ୱାର ହାଉସ୍, ଲୋୟର ଇନ୍ଦ୍ରା ପ୍ରକଳ୍ପ, ଦେଓ ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ କରି ସଫଳତା ଲାଭ କରିଛି। ଓସିସିଏଲ୍ ଲୋୟର ସୁକତେଲ ପ୍ରକଳ୍ପ, କାନୁପୁର ଜଳସେଚନ ପ୍ରକଳ୍ପ, ଘଟକେଶ୍ୱର ବହୁମୁଖୀ ନଦୀବନ୍ଧ ଯୋଜନା, ଛେଳିଗଡ ଟନେଲ ଆଦି ଚଳିତ ବର୍ଷ ଶେଷ ହେବାକୁ ଧାର୍ୟ୍ୟ ଲକ୍ଷ୍ୟ ରଖାଯାଇ ନିର୍ମାଣ କାର୍ୟ୍ୟ ତ୍ୱରାନ୍ୱିତ କରାଯାଇଛି। ରାଜ୍ୟ ଓ ଦେଶର ବିକାଶ ପାଇଁ ସମସ୍ତ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଓସିସି ଏହାର କାର୍ୟ୍ୟ ଜାରି ରଖିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଥିଲେ।
ଏହି ଅବସରରେ ଓସିସି ତରଫରୁ ଏହାର ନିର୍ମାଣ କାର୍ୟ୍ୟାବଳୀ ସଂପର୍କିତ ଏକ ପୁସ୍ତିକା(ବ୍ରୋଚର) ଏବଂ ‘୬୧ ବର୍ଷର ଶ୍ରେଷ୍ଠତା ଓ ଆଗକୁ ବଢ଼ିବା’ ଶୀର୍ଷକ ସଂପର୍କିତ ନିଗମର ବାର୍ଷିକ ମୁଖପତ୍ର ଉନ୍ମୋଚିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଜଳସଂପଦ କ୍ଷେତ୍ରରେ ଭିତ୍ତିଭୂମିର ବିକାଶରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ବିଭାଗର ପ୍ରାକ୍ତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଓଡିଶା ନିର୍ମାଣ ନିଗମ ଲିଃ.ର ପ୍ରାକ୍ତନ ଅଧ୍ୟକ୍ଷ ଇଂ ଦିବାକର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଉଠା ଜଳସେଚନ ନିଗମ ଲିଃ. ର ଅଧ୍ୟକ୍ଷ ଅମରେଶ ପତ୍ରୀ, ନିଗମର ପରିଚାଳନା ନିର୍ଦେଶକ ସୁଧାଂଶୁ ମୋହନ ସାମଲ , ଜଳସଂପଦ ବିଭାଗର ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଅତିଥିଭାବେ ଉପସ୍ଥିତ ଥିଲେ। ଓସିସିର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡିରେକ୍ଟର୍ସ) ସଦସ୍ୟ, ଅନ୍ୟ ପଦାଧିକାରୀଙ୍କ ସମେତ ବିଭିନ୍ନ ଜୋନରୁ ଜେନେରାଲ ମ୍ୟାନେଜର ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ। ଓସିସିର ଅର୍ଥ ପରାମର୍ଶଦାତା ତଥା ମୁଖ୍ୟ ବିତ୍ତ ଅଧିକାରୀ ଦୁର୍ଗାପ୍ରସାଦ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଦ୍ୱିତୀୟ ଅଧିବେଶନରେ ଓସିସିର ବିଭିନ୍ନ ସିଭିଲ ଓ ମେକାନିକାଲ କାର୍ଯ୍ୟ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ପ୍ରକାଶ ଥାଉକି, ଓସିସିଏଲର କର୍ପୋରେଟ୍ ଅଫିସ୍ ଭୁବନେଶ୍ୱରରେ ଥିବା ବେଳେ ଏହାର ଯାନ୍ତ୍ରିକ ଓ୍ୱାର୍କସପ୍ ରସୁଲଗଡ ଓ କୋରାପୁଟର ଜୟପୁରରେ ରହିଛି। ଓସିସି ଅଧିନରେ ୭ ଟି ଜୋନାଲ କାର୍ୟ୍ୟାଳୟ, ୨୨ ଟି ସିଭିଲ ପ୍ରକଳ୍ପ ଓ ୯ ଟି ଯାନ୍ତ୍ରିକ ପ୍ରକଳ୍ପ କାର୍ୟ୍ୟାଳୟ ବରିଷ୍ଠ ପରିଚାଳକ ମାନେ ଦାୟିତ୍ୱରେ ରହିଛନ୍ତି । ଓସିସି ଏବେ ୨୦୩ଟି ସିଭିଲ ଓ ୪୦ଟି ମେକାନିକାଲ ଓ୍ୱାର୍କସ କାର୍ୟ୍ୟକାରୀ କରୁଛି। ଓସିସି ଏହାର ନିୟମିତ ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କନସଲଟାନ୍ସି ସେବା, ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) ପ୍ରସ୍ତୁତି, ପ୍ରକଳ୍ପ କାର୍ୟ୍ୟକାରିତା ନେଇ ପରିବେଶ ମଂଜୁରୀରେ ସହାୟତା, ଆବଶ୍ୟକ ସ୍ଥଳେ ଜଙ୍ଗଲ ପରିବର୍ତ୍ତନ ପ୍ରସ୍ତାବ,ବ୍ୟାରେଜର ସର୍ବେକ୍ଷଣ ଓ ଅନୁଧ୍ୟାନ କାର୍ଯ୍ୟ କରିଆସୁଛି। ୨୦୧୯-୨୦ ରେ ଓସିସିର ବାର୍ଷିକ କାରବାର ୪୭୪.୨୨ କୋଟି, ୨୦୨୦ -୨୧ ରେ କୋଭିଡ୍ ସ୍ଥିତିରେ ଏହା ୪୦୮.୪ କୋଟି ଏବଂ ୨୦୨୧-୨୨ ରେ ଏହା ୫୩୨.୬୪ କୋଟି ରହିଥିବା ବେଳେ ୨୦୨୨-୨୩ ରେ ଏହା ୭୦୦ କୋଟିକୁ ବୃଦ୍ଧି ପାଇଛି ଏବଂ ୨୦୨୩-୨୪ ରେ ଏହାର କାରବାର ୮୦୦ କୋଟିକୁ ବୃଦ୍ଧି ଲକ୍ଷ୍ୟ ରହିଛି। ୨୦୨୨-୨୩ ରେ ଏହାର ଲାଭ ୫୦.୮ କୋଟି ରହିଛି। ଓସିସି ପ୍ରତିବର୍ଷ ଏହାର ଲାଭରୁ ରାଜ୍ୟ ସରକାରଙ୍କ ଅଂଶ ପ୍ରଦାନ କରିଆସୁଥିବା ବେଳେ ୨୦୨୨ -୨୩ ବର୍ଷରେ ୧୧.୬୪ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଏହାର ଲାଭାଂଶ ପ୍ରଦାନ କରିଛି । ୨୦୨୩-୨୪ ରେ ଜଳ ସଂପଦ ବିଭାଗ ସମେତ ପ୍ରାଣୀ ସଂପଦ, ପୂର୍ତ୍ତ, ଓଡିଶା ହାଇଡ୍ରୋ ପାଓ୍ୱାର କର୍ପୋରେସନ, ଗ୍ରାମ୍ୟ ଉନ୍ନୟନ, ଇଡକୋ, ଜନସ୍ୱାସ୍ଥ୍ୟ , ଆଇଆଇଆଇଟି ଆଦିର ନିର୍ମାଣ କାର୍ଯ୍ୟ କରୁଛି।
Comments are closed.