ନବରଙ୍ଗପୁର: ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ ରାଜ୍ୟକୁ ଲାଗି ଥିବା ଚନ୍ଦାହାଣ୍ଡି ବ୍ଲକ ଜଙ୍ଗଲିପଡା ଗ୍ରାମରେ ବିଜୁଳି ଆଲୋକ ସାତସପନ ହୋଇଛି। ନା ଏଠି ଅଛି କଂକ୍ରିଟ ରାସ୍ତା ନା ପହଞ୍ଚି ପାରୁଛି ସରକାରଙ୍କ ମୌଳିକ ସୁବିଧା । ଅନ୍ଧାର ମଧ୍ୟରେ ଜୀବନ ବିତାଉଛନ୍ତି ଏହି ସୀମାନ୍ତ ଗ୍ରାମବାସୀ ।
ବେହେରା ମୁଣ୍ଡା ପଞ୍ଚାୟତର ୩ଟି ଗ୍ରାମ ଦୁଇଟିି ରାଜ୍ୟକୁ ସଂଯୋଗ କରୁଥିବା ତେଲ ନଦୀ ଆରପଟ ରହିଛି । ତେଲ ନଦୀଟି ଛତିଶଗଡ ରାଜ୍ୟକୁ ଲାଗିଛି । ଝାଲିଆପଡ଼ା, ଜାମଲି ପଡ଼ା ଏବଂ ତେଲାତାଣ୍ଡି ଗ୍ରାମବାସୀ ସରକାରୀ ଯୋଜନାରୁ ବଞ୍ଚିତ ଅଛନ୍ତି। ତେଲ ନଦୀ ଉପରେ ପୋଲ ହୋଇଯିବା ପରେ ଆରପଟେ ଥିବା ଛତିଶଗଡକୁ ଗମନାଗମନ ସୁବିଧା ହୋଇ ପାରିଛି । ଉପରୋକ୍ତ ୩ଟି ଗ୍ରାମରୁ ୨ଟି ଗ୍ରାମରେ କିଛିଟା ସରକାରୀ ଯୋଜନା ପହଞ୍ଚିଥିବା ବେଳେ ଜାମଲିପଡ଼ା ଗ୍ରାମକୁ ସରକାରୀ ଯୋଜନା ସାତସପନ ହୋଇଛି। ଏହି ଗ୍ରାମରେ ୩୦ ପରିବାରର ଦୁଇଶହ ଲୋକ ବସବାସ କରୁଛନ୍ତି। ଏଠାରେ ପିଇବା ପାଣି ପାଇଁ ୨ଟି ନଳକୂପ ଖୋଳା ଯାଇଥିଲା । ଗୋଟିଏରେ ଭଲ ପାଣି ବାହାରୁ ନାହିଁ। ସ୍ବଚ୍ଛ ଭାରତ ଅଭିଯାନ ଏବଂ ଉଜ୍ୱଳା ଯୋଜନା ଏଠି ଫେଲ ମାରିଛି। ଗ୍ରାମରେ ଗୋଟିଏ ବି ପରିବାରକୁ ସ୍ୱଚ୍ଛ ଭାରତ ଅଭିଯାନରେ ପାଇଖାନା ମିଳିନି। ଉଜ୍ବଳା
ଯୋଜନାରେ ମଧ୍ୟ କୌଣସି ପରିବାରକୁ ସାମିଲ କରାଯାଇନି। ଏହି ଗାଁ ଠାରୁ ଛତିଶଗଡର ଉର୍ମାଲ ଗାଁର ଦୂରତା ମାତ୍ର ଅଧା କିମି । ଦୈନନ୍ଦିନ କାର୍ଯ୍ୟ ପାଇଁ ଏଠାକାର ଲୋକେ ଛତିଶଗଡ ଉପରେ ନିର୍ଭର କରିଥାନ୍ତି। ଗ୍ରାମରେ ମାତ୍ର ୨ଜଣଙ୍କୁ ହିଁ ଇନ୍ଦିରା ଆବାସ ଯୋଜନାରେ ଗୃହ ମିଳିଥିଛି। ଦୁଇବର୍ଷ ପୂର୍ବେ ଗ୍ରାମରେ କେବଳ ୨ଟି ବିଦ୍ୟୁତ ଖୁଣ୍ଟ ପୋତା ଯାଇଥିଲା। ସେତିକିରେ ବିଜୁଳି ଯୋଗାଣ ସୀମିତ ଅଛି। ଲୋକେ ରାତିରେ ଡିବିରି ଆଲୁଅ ବ୍ୟବହାର କରୁଛନ୍ତି। ମୋବାଇଲ ଚାର୍ଜ ପାଇଁ ଛତିଶଗଡର ଉର୍ମାଲ ଗାଁକୁ ଯାଉଛନ୍ତି। ଏହି ଗ୍ରାମରେ ଝିଅ ବାହା ଦେବାକୁ ଅନ୍ୟ ଗ୍ରାମର ଲୋକେ ଇଛା ପ୍ରକଟ କରୁନଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି।
କିଛିଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ବିଜେପିର ଏକ ଟିମ ତଥା ବିଜେପି ପୂର୍ବତନ ଜିଲା ସଭାପତି ଗୋବିନ୍ଦ କୁମାର ଜୈନଙ୍କ ନେତୃତ୍ବରେ ଜଙ୍ଗଲିପଡା ଗସ୍ତ କରି ସେଠାକାର ଗ୍ରାମବାସୀଙ୍କ ସହ ଆଲୋଚନା କଥିଲେ। ଗ୍ରାମରୁ ୨ଶହ ମିଟର ଆଗରେ ରହିଛି ପ୍ରଧାନମନ୍ତ୍ରୀ ସଡ଼କ । ସେଠାରୁ ଗ୍ରାମକୁ ପ୍ରବେଶ କରିବା ପାଇଁ ପଂଚାୟତ ଦ୍ୱାରା ସିସି ରୋଡର ବ୍ୟବସ୍ଥା କରାଯାଇନଥିବାରୁ ବର୍ଷା ଦିନେ ଗ୍ରାମବାସୀ ବାହାରକୁ ବାହାରି ପାରୁ ନାହାନ୍ତି। ଜିଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବା ପାଇଁ ବିଜେପିର ପୂର୍ବତନ ଜିଲା ସଭାପତି ଗୋବିନ୍ଦ ଜୈନ ଦାବି କରିଛନ୍ତି।



