ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଓଡ଼ିଆ ବିଭାଗ ତରଫରୁ ମଙ୍ଗଳବାର ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ବିଷୟରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ ଶଙ୍କର୍ଷଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଇଂରାଜୀ ବିଭାଗର ମୁଖ୍ୟ ପ୍ର. ମନୋଜ ପରିଡ଼ା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ପାଠଚକ୍ରରେ ସୁଦୂର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶଙ୍କର ଭୋଇ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟକୃତି ସମ୍ପର୍କରେ ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚକୋଟିର ଉଦବୋଧନ ଦେଇଥିଲେ। ଶ୍ରୀ ଭୋଇ ନିଜ ଭାଷଣରେ ମେହେର ସାହିତ୍ୟର ପ୍ରକୃତି ବର୍ଣ୍ଣନା, ଭାଷା ପ୍ରୟୋଗ ଶୈଳୀ, ଭାରତୀୟ ପରମ୍ପରା, ସଂସ୍କୃତି, ଐତିହ୍ୟ, ମାତା ସୀତାଙ୍କର ତ୍ୟାଗପୂତ ଜୀବନଶୈଳୀ ଏବଂ ଦାମ୍ପତ୍ୟ ଜୀବନର ମଧୁରଚିତ୍ର ଆଦି ବିଷୟରେ ଚମତ୍କାର ବର୍ଣ୍ଣନା କରିଥିଲେ। ଓଡ଼ିଆ ସମ୍ମାନର ଛାତ୍ରଛାତ୍ରୀ କିପରି ଉଚ୍ଚତର ଶିକ୍ଷା ଲାଭ କରିପାରିବେ, ସେ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ। ବୟସର ଅପରାହ୍ନରେ ପହଞ୍ଚି ଥିଲେ ମଧ୍ୟ ଶ୍ରୀ ଭୋଇ ଦୀର୍ଘ ୪୫ ମିନିଟ ଅନର୍ଗଳ ଭାଷଣ ପ୍ରଦାନ କରିଥିଲେ।ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପରିଡ଼ା ନିଜ ଅଭିଭାଷଣରେ ଶ୍ରୀ ଭୋଇଙ୍କ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଭାଗର ସମସ୍ତ ଛାତ୍ରଛାତ୍ରୀ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ ଶଙ୍କର୍ଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Comments are closed.