ପାଣାଜୀ: ଗୋଆରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଆଜି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡ଼ିଜ୍’ ପ୍ରଦର୍ଶିତ ହୋଇଛି। ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚାରିଟି ହୃଦୟସ୍ପର୍ଶୀ କାହାଣୀର ସଂକଳନ ସ୍ଥାନ ପାଇଛି। କୋରାପୁଟର ସରଳ ଓ ନିରୀହ ଲୋକଙ୍କ ଜୀବନ କାହାଣୀ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ଏବଂ କୌଶିକ ଦାସ ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରିଛନ୍ତି।
ଚଳଚ୍ଚିତ୍ରର ପ୍ରଥମ କାହାଣୀ ‘କାନଫୁଲ’ରେ ଖେଳନା ଓ ବଇଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛି। ଝିଅ ପାଇଁ କାନଫୁଲ କିଣିବାକୁ ଆଶା ନେଇ ଖେଳନା ଓ ବଇଁଶୀ ବିକିବାକୁ ଚାହୁଁଥିବା ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସେତିକି ବେଳେ ଧୂଳିସାତ୍ ହୋଇଯାଉଛି ଯେତେବେଳେ କୋଭିଡ୍ ମହାମାରୀ କାରଣରୁ ସେହି ବର୍ଷର ରଥଯାତ୍ରା ଉତ୍ସବ ବାତିଲ୍ ହୋଇଯାଉଛି। ଦ୍ୱିତୀୟ କାହାଣୀ ହେଉଛି ‘ରଙ୍ଗମାଟି’। ଏଥିରେ ସାନ ଏବଂ ବଡ଼, ଦୁଇ ଭାଇଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ ହୋଇଛି। ସାନ ପୁଅ ପରିବାର ଚଳାଉଥିବା ବେଳେ ବଡ଼ ବାଙ୍ଗାଲୋର ଯିବାକୁ ସ୍ୱପ୍ନ ଦେଖୁଛି, କିନ୍ତୁ ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତା’କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଉଛି।



