ଓଡ଼ିଆ ଭାଷା ଶିକ୍ଷା: ବର୍ଣ୍ଣବୋଧ ବନାମ ହସଖେଳ

ଭୁବନେଶ୍ବର : ମାତୃଭାଷା ଶିକ୍ଷା ସବୁ ଶିକ୍ଷାର ମୂଳ: କିନ୍ତୁ ଆମ ରାଜ୍ୟରେ ସେ ମୂଳ ଅତି ମାତ୍ରାରେ ଦୁର୍ବଳ। ଅତୀତରେ ବହୁ ବର୍ଷ ଧରି ସେ ମୂଳକୁ ‘ବର୍ଣ୍ଣବୋଧ’ କରିଥିଲା ସବଳ; କିନ୍ତୁ ଗଲା ପାଖାପାଖି ଅଶୀ ବର୍ଷ ମଧ୍ୟରେ ଭାଷା ଏବଂ ଭାଷାଶିକ୍ଷା ସମ୍ବନ୍ଧରେ ଗବେଷଣାରୁ ଯେଉଁ ସବୁ ନୂଆ ତଥ୍ୟର ଆବିର୍ଭାବ ଘଟିଛି ସେ ଦୃଷ୍ଟିରୁ ବର୍ଣ୍ଣବୋଧ ପୁରୁଣା ଏବଂ ଦୁର୍ବଳ। ବର୍ତ୍ତମାନ ପରିପ୍ରେକ୍ଷୀରେ ବର୍ଣ୍ଣବୋଧର ଭାଷା ଶିକ୍ଷା ପଦ୍ଧତିର ଅନେକ ଦୃଷ୍ଟିରୁ ଅଚଳ। ଆଉ ଆମ ମାତୃଭାଷା ଶିକ୍ଷା କ୍ଷେତ୍ରରେ ସବୁଠାରୁ ବଡ଼ ବିପର୍ୟ୍ୟୟ ଘଟାଇଛି। ପଚିଶ ବର୍ଷ ତଳେ ପ୍ରସ୍ତୁତ ହୋଇ ଏ ପର୍ୟ୍ୟନ୍ତ ଚଳି ଆସୁଥିବା ‘ହସଖେଳ’, ଶହେ ତିରିଶ ବର୍ଷ ତଳେ ସେ ସମୟକୁ ନେଇ ବର୍ଣ୍ଣବୋଧ ଏକ ଯୁଗାନ୍ତକାରୀ ଓଡ଼ିଆ ଶିକ୍ଷା ପାଠବହି। ତା’ର ପାଖାପାଖି ଶହେ ବର୍ଷ ପରେ ଭାଷା ଏବଂ ଭାଷାଶିକ୍ଷା ସମ୍ବନ୍ଧିତ ନୂଆ ତଥ୍ୟକୁ ନେଇ ହସଖେଳ ହେଇପାରିଥା’ନ୍ତା ଆଧୁନିକ ଯୁଗ ପାଇଁ ଏକ ଯୁଗାନ୍ତକାରୀ ଓଡ଼ିଆଶିକ୍ଷା ପାଠବହି, କିନ୍ତୁ ଆମର ଦୁର୍ଭାଗ୍ୟ ଆମେ ଦିଅଁ ଗଢ଼ିବାକୁ ଯାଇ ଗଢ଼ିଦେଲୁ ମାଙ୍କଡ଼। ଯେଉଁ ମାଙ୍କଡ଼ ଆମ ଓଡ଼ିଆ ଭାଷା ଶିକ୍ଷାକୁ ନଚାଉଛି ଗଲା ପଚିଶିବର୍ଷ ଧରି। ଆମ ଭାଷା ଶିକ୍ଷା ଦୁର୍ବଳ ହେବାରୁ ସମସ୍ତ ଶିକ୍ଷା ହେଇଛି ଦୁର୍ବଳ। ମୂଳ ଘାଇକୁ ବନ୍ଦ ନକରି ଆମେ ଖୋଲି ଚାଲିଛୁ କେତେ କ’ଣ ନୂଆ ଘାଇ। ସେଇଥିପାଇଁ ଆମ ଓଡ଼ିଆ ଶିକ୍ଷା ଆଜି ଧରାଶାୟୀ। ଏ ସବୁ ବୁଝିବାକୁ ହେଲେ ଆମକୁ ବୁଝିବାକୁ ହେବ ଆଜିର ବିଜ୍ଞାନ ସମ୍ମତ ଅର୍ଥରେ ଶିକ୍ଷା କ’ଣ, ଭାଷା କ’ଣ ଏବଂ ଭାଷା ଶିକ୍ଷା କ’ଣ ଯେଉଁ ସବୁ ଧାରଣାକୁ ନେଇ ଉନ୍ନତ ଦେଶମାନେ ସଜାଡ଼ି ପାରିଛନ୍ତି ସେମାନଙ୍କ ଶିକ୍ଷା ବ୍ୟବସ୍ଥା।
ଶିକ୍ଷା ଗୋଟିଏ ଉପେଭାକ୍ତା ବିଷୟ। ନୃତତ୍ତ୍ବ, ସମାଜତତ୍ତ୍ବ, ମନସ୍ତତ୍ତ୍ବ, ବା ଭାଷାବିଜ୍ଞାନ ଆଦି ମୂଳ ବିଷୟମାନଙ୍କରେ ଯେଉଁ ସବୁ ଗବେଷଣା ହୋଇଥାଏ ସେ ସବୁର ଫଳାଫଳର ଉପଯୋଗ ହୁଏ ଶିକ୍ଷାରେ। ସେଇ ଅନୁସାରେ ଶିକ୍ଷା ବଦଳେ ଏବଂ ଆଗେଇ ଚାଲେ। ଭାଷା ଏବଂ ଭାଷାଶିକ୍ଷା ସମ୍ବନ୍ଧୀୟ ଧାରଣାର ମୁଖ୍ୟ ଉତ୍ସ ହେଲା ଭାଷାବିଜ୍ଞାନ। ସନ ୧୯୫୬ରେ ବିଶ୍ବବିଖ୍ୟାତ ଭାଷାବିତ୍ ନୁଆମ ଚମସ୍କିଙ୍କ ବହି ‘ଆସ୍ପେକ୍ଟସ ଅଫ୍ ଲାଙ୍ଗୁଏଜ’ ପ୍ରକାଶିତ ହେବାଠାରୁ ଭାଷା ଏବଂ ଭାଷା ଶିକ୍ଷାରେ ପ୍ରଭୂତ ପରିବର୍ତ୍ତନ ଘଟିଛି। ଜଣାପଡ଼ିଛି ଭାଷା ମଣିଷ ମସ୍ତିଷ୍କରୁ ଜାତ। ମସ୍ତିଷ୍କରେ ରହିଛି ଭାଷା ଶିଖିବାର ବ୍ୟବସ୍ଥା। ଗୋଟିଏ ଭାଷା ସଂସ୍ପର୍ଶରେ ଆସିଲେ ମଣିଷ ଭାଷା ଶିଖିଯାଏ। ପରିପ୍ରେକ୍ଷୀରେ ଭାଷାର ବ୍ୟବହାର ଭାଷାଶିକ୍ଷାକୁ ଦୃଢ଼ୀଭୂତ କରାଏ। ପରିପ୍ରେକ୍ଷୀ ବିନା ଭାଷାର ବ୍ୟବହାର ଏବଂ ଶିକ୍ଷା ଅସମ୍ଭବ। ଭାଷା ଜନ୍ମଗତ ନୁହଁ, ସଂସ୍କୃତିଗତ। ଭାଷା ସୃଜନଶୀଳ। ତେଣୁ ସଦାବେଳେ ବଢ଼ିବଢ଼ି ଚାଲେ। ପରିବର୍ତ୍ତନଶୀଳ। ବ୍ୟାକରଣ ତାକୁ ବାନ୍ଧିରଖି ପାରେନା। ଭାଷା ସଦାବେଳେ ଆଗରେ ଥିଲାବେଳେ ବ୍ୟାକରଣ ଥାଏ ପଛରେ। ଭାଷା ଶିକ୍ଷାରେ ବ୍ୟାକରଣର ଭୂମିକା ତେଣୁ ନଗଣ୍ୟ। ସେମିତି ସ୍କୁଲର ଭୂମିକା। ସ୍କୁଲ ବାହାର ପରିବେଶ ଭାଷା ଶିକ୍ଷାର ପ୍ରକୃଷ୍ଟ ସ୍ଥାନ କାରଣ ସେଠାରେ ଭାଷା ଶିକ୍ଷାର ପରିପ୍ରେକ୍ଷୀ ଥାଏ। ସ୍କୁଲରେ ପରିପ୍ରେକ୍ଷୀର ମାତ୍ରା ସୀମିତ। ପୃଥିବୀର ଭାଷାମାନେ ବାହାରକୁ ଅଲଗା ଜଣାପଡ଼ୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭିତିରିଆ ସାମଞ୍ଜସ୍ୟ ପାଖାପାଖି ଅଶୀ ପ୍ରତିଶତ। ସେମିିତି ରହିଛି ସାମଞ୍ଜସ୍ୟ ଭାଷାର ମୂଳ ଚାରି ଦକ୍ଷତା- ଶୁଣିବା, କହିବା,ପଢ଼ିବା, ଲେଖିବା- ମଧ୍ୟରେ। ତେଣୁ ଗୋଟିଏ ଭାଷା ଶିଖିଲେ ସହଜସାଧ୍ୟ ହୁଏ ଅନ୍ୟ ଭାଷା ଶିଖିବାରେ। ମାତୃଭାଷା ଶିଖିବା ସବୁଠାରୁ ସହଜସାଧ୍ୟଟ୍ଟ କାରଣ ଘରେ ପୂରି ରହିଛି ଭାଷା ଶିକ୍ଷାର ପରିପ୍ରେକ୍ଷୀ। ତେଣୁ ପ୍ରଥମେ ଭାଷା ଭଳି ଏକ କିଟିମିଟିଆ ବିଷୟ ମାତୃଭାଷା ଶିକ୍ଷାରୁ ଆରମ୍ଭ ହେବା ବିଧେୟ। ଭାଷା ଏକ କିଟିମିଟିଆ ବିଷୟ ଏଇଥିପାଇଁ ଯେ ଏଥିରେ ଯେତିକି ଥାଏ ନିୟମ ତା’ଠାରୁ ଅଧିକ ଥାଏ ବେନିୟମ। ଭାଷାର ଶବ୍ଦ ସହ ଅର୍ଥର ସମ୍ପର୍କ ନଥାଏ। ସେ ସମ୍ପର୍କ ଯୋଡ଼ିଯାଏ ପରିପ୍ରେକ୍ଷୀ ଏବଂ ମସ୍ତିଷ୍କ ଯୋଗୁଁ। ଥରେ ଯୋଡ଼ିଗଲେ ଯୋଡ଼ିଯାଏ ସବୁଦିନ ପାଇଁ। ଭାଷା ମୁଖ୍ୟତଃ ଦକ୍ଷତା ଭିତ୍ତିକ, ସାଇକଲ ଚଢ଼ିବା ବା ପହଁରିବା ଭଳି। ତଥ୍ୟଭିତ୍ତିକ (ଯେମିତି ଭୂଗୋଳ, ଇତିହାସ ଭଳି ବିଷୟ) ନୁହଁ। ଥରେ ଶିଖିଲେ ଭୁଲି ହୁଏନା, ଠିକ୍ ଭାବେ ଭାଷା ଶିଖିଥିଲେ, ସୃଜନାତ୍ମକ ଭାବେ, ଘୋଷାଘୋଷି କରି ନୁହଁ। ଛୋଟ ଶିଶୁଟେ ଅନେକ ଦିନ ଶୁଣିଲା ପରେ ଭାଷା କହିବା ଶିଖେ। ସ୍କୁଲ ଗଲେ ଶିଖେ ପଢ଼ିବା ଏବଂ ଲେଖିବା। ଲେଖିବା ସବୁଠାରୁ କଷ୍ଟ ଦକ୍ଷତା। ତେଣୁ ଭାଷା ଶିକ୍ଷା ଶୁଣିବା, କହିବା, ପଢ଼ିବା, ଲେଖିବା କ୍ରମରେ ହେଲେ ତାହା ସହଜସାଧ୍ୟ ହୋଇଥାଏ। ପ୍ରଥମେ ଲେଖିବାରୁ ନୁହଁ।
ଜ୍ଞାନ ଆହରଣର ବାଟ ହେଲା ଅଖଣ୍ଡରୁ ଖଣ୍ଡ, ଖଣ୍ଡରୁ ଅଖଣ୍ଡ ନୁହଁ। ପ୍ରଥମେ ଆମେ ଗଛ ବା ଘରଟେ ଦେଖିଥାଉ। ତା’ ପରେ ଦେଖୁ, ଜାଣୁ ସେ ସବୁର ଖଣ୍ଡ ସମ୍ବନ୍ଧରେ ଯେମିତି ଆମ ଦେହକୁ ସମଗ୍ର ହିସାବରେ ଜାଣିଲା ପରେ ଡାକ୍ତରମାନେ ଜାଣନ୍ତି ଦେହର ବିଭିନ୍ନ ଅଂଶ ବିଷୟରେ। ଭାଷା ଶିକ୍ଷା ମଧ୍ୟ ଠିକ୍ ସେମିତି। ଅଖଣ୍ଡରୁ ଖଣ୍ଡ। ଗପଟେ ଅଖଣ୍ଡ ହିସାବରେ ଶୁଣିଲା ପରେ ସୁବିଧା ହୁଏ ସେ ଗପରେ ଥିବା ଚରିତ୍ର ଏବଂ ଘଟଣାକ୍ରମ ବୁଝିବା ପାଇଁ। ଗପରେ ଥାଏ ଭାଷା ଶିକ୍ଷାର ପରିପ୍ରେକ୍ଷୀ। ପରିପ୍ରେକ୍ଷୀ ଠିକ୍ ଅଠା ଭଳି। ପରିପ୍ରେକ୍ଷୀ ଯୋଡ଼ିଦିଏ ସମସ୍ତ ଭାଷା ଖଣ୍ଡକୁ। ସହଜ ହୁଏ ଭାଷାଶିକ୍ଷା। ପରିପ୍ରେକ୍ଷୀ ଥାଇ ଅଖଣ୍ଡ ଗପ କି ଗୀତ ଶୁଣିବାରୁ ଭାଷାଶିକ୍ଷା ଆରମ୍ଭ ହେଲେ ତ୍ବରାନ୍ବିତ ହୁଏ ଭାଷାଶିକ୍ଷା। ଖଣ୍ଡଖଣ୍ଡ ଶବ୍ଦରୁ କି ଅର୍ଥହୀନ ଖଣ୍ଡ ଘୋଷାଘୋଷିରୁ ନୁହଁ। ଜୀବନ ଏବଂ ଶିକ୍ଷାର ମୂଳମନ୍ତ୍ର ହେଲା ସମଗ୍ରୀକରଣ। ଭାଷା ଶିକ୍ଷାର ଭଲବାଟ ଭାଷା ଆହରଣ ଯାହାକୁ ଇଂରାଜୀରେ କୁହାଯାଏ ଏକ୍ୟୁଇଜିସନ, ଲର୍ଣ୍ଣିଂ ନୁହଁ। ଯାହା ଘଟେ ଛାତ୍ର ସଚେତନ ନଥାଇ ଭାଷା ଶିଖୁଚି ବୋଲି। ପିଲାଟି ଘରେ ମାତୃଭାଷା ଶିଖୁଥିଲା ପରି।
ଭାଷାଶିକ୍ଷା ଦୃଷ୍ଟିରୁ ଭାଷାମାନଙ୍କୁ ତନି ବିଭାଗ କରାଯାଏ- ପ୍ରଥମ ଭାଷା (ମାତୃଭାଷା), ଦ୍ବିତୀୟ ଭାଷା(ଆମ ପାଇଁ ଇଂରାଜୀ) ଏବଂ ବିଦେଶୀ ଭାଷା (ଆମ ପାଇଁ ଜର୍ମାନୀ ବା ଫ୍ରେଞ୍ଚ ପରି ଭାଷା)। ମାତୃଭାଷା ଥାଏ ସର୍ବତ୍ର, ଘରେ, ଶ୍ରେଣୀଗୃହରେ ଏବଂ ବାହାର ଜଗତରେ। ଦ୍ବିତୀୟ ଭାଷା ନଥାଏ ଘରେଟ୍ଟ କିନ୍ତୁ ଥାଏ ଶ୍ରେଣୀଗୃହରେ ଏବଂ କିଛି ପରିମାଣରେ ବାହାର ଜଗତରେ। ବିଦେଶୀ ଭାଷା ଥାଏ କେବଳ ଶ୍ରେଣୀ ଗୃହରେ। ଏ ତିନି ପ୍ରକାରର ଭାଷା ଶିକ୍ଷାର ପଦ୍ଧତି ଥାଏ କିଛିଟା ଅଲଗା। ଆମ ରାଜାର ପାଖାପାଖି ତିରିଶ ପ୍ରତିଶତ ଛାତ୍ରଛାତ୍ରୀଙ୍କ ମାତୃଭାଷା ଓଡ଼ିଆ ନୁହଁ। ସେମାନଙ୍କ ପାଇଁ ଓଡ଼ିଆ ଭାଷା ଦ୍ବିତୀୟ ଭାଷା। ସେମାନଙ୍କୁ ଓଡ଼ିଆ ଭାଷା କିମିତି ଶିକ୍ଷା ଦିଆଯିବ ଆମେ ଏ ପର୍ୟ୍ୟନ୍ତ ଚିନ୍ତା କରିନାହୁଁ।
ଭାଷା ଏବଂ ଭାଷାଶିକ୍ଷା ସମ୍ବନ୍ଧରେ ଯେଉଁ ସବୁ ତଥ୍ୟ ଦିଆଗଲା ସେ ସବୁକୁ ଉପଯୋଗ କରି ପ୍ରସ୍ତୁତ ହେବା କଥା ଆମ ଭାଷାଶିକ୍ଷା, ପାଠ୍ୟପୁସ୍ତକ, ପାଠ୍ୟ ପଦ୍ଧତି ଏବଂ ଭାଷା ପରୀକ୍ଷାର ଉପାୟଟ୍ଟ କିନ୍ତୁ ଆମକୁ ପ୍ରାୟତଃ ସେ ସବୁ ଜଣାନାହିଁ। ତେଣୁ ଆମ ଭାଷା ଶିକ୍ଷା ଚାଲିଛି ପୁରୁଣା ବାଟରେ। ତେଣୁ ଆମ ଓଡ଼ିଆ ଭାଷା ଶିକ୍ଷା କିମିତି ଚାଲିବା କଥା ଏବଂ କିମିତି ଚାଲିଛି ସେ ସମ୍ବନ୍ଧରେ ଦି’ପଦ କହିବାର ଆବଶ୍ୟକ ପଡ଼ୁଛି।
ଭାଷା ଶିକ୍ଷାର ପ୍ରଥମ ବର୍ଷଟି ଅତି ଗୁରୁତ୍ବପୂର୍ଣ୍ଣ। ପ୍ରଥମବର୍ଷ ପାଇଁ ପାଠବହିକୁ କୁହାଯାଏ ପ୍ରାଇମାର ବା ପ୍ରଥମପାଠ ବହି। ଗଲା ପଚିଶ ବର୍ଷ ଧରି ଚଳିଆସୁଛି ପ୍ରାଇମାର ‘ହସଖେଳ’ ଯାହା ଅତି ମାତ୍ରାରେ ତ୍ରୁଟିପୂର୍ଣ୍ଣ। ସବୁଠାରୁ ବଡ଼ ଶିକ୍ଷା ପ୍ରକଳ୍ପ ଡିପିଇପିରୁ ଏହାର ଜନ୍ମ। ବିଦେଶରୁ ଆସିଥିଲା ଅପର୍ୟ୍ୟାପ୍ତ ଅର୍ଥ ଏବଂ ନୂଆନୂଆ ବିଜ୍ଞାନ ସମ୍ମତ ଶିକ୍ଷା ଧାରଣା। ପ୍ରଥମେ ଆମକୁ ସେଇ ନୂଆଶିକ୍ଷା ଧାରଣା ଅନୁସାରେ ଓଡ଼ିଆ ପ୍ରାଇମାରଟେ ପ୍ରସ୍ତୁତ କରିବାକୁ କୁହାଗଲା। ସେ ଧାରଣା ଥିଲା ଦୁଇ ପ୍ରକାରର। ଭାଷା ଶିକ୍ଷା ଅଖଣ୍ଡରୁ ଖଣ୍ଡ ଧାରଣାରେ ହେବ। ପ୍ରଥମେ ଗପ ଏବଂ ଗୀତ ଶୁଣିବା ସହ ପଢ଼ି ନଜାଣି ମଧ୍ୟ ସେଗୁଡ଼ିକୁ ଛବି ଦେଖିଲା ପରି ପଢ଼ିବେ। ଅଲଫାବେଟ୍ ବା ଅକ୍ଷର ପ୍ରଥମେ ନ ପଢ଼ି ବା ଚିହ୍ନି ଚିହ୍ନିବେ ପାରା। ପାରାରୁ ବାକ୍ୟ, ବାକ୍ୟରୁ ଖଣ୍ଡ ବାକ୍ୟ। ଖଣ୍ଡ ବାକ୍ୟରୁ ଶବ୍ଦ ଏବଂ ଶବ୍ଦରୁ ଚିହ୍ନିବେ ଅକ୍ଷର। ଆମେ ବର୍ଣ୍ଣବୋଧ ପଦ୍ଧତିରେ ତା’ର ଠିକ୍ ଓଲଟା ବାଟରେ ଥିବା ହେତୁ ଆମକୁ ଅଡ଼ୁଆ ଲାଗିଲେ ମଧ୍ୟ ତାହା ସମ୍ଭବ। କେବଳ ସମ୍ଭବ ନୁହଁ ତଦ୍ଦ୍ବାରା ଭାଷା ଶିକ୍ଷା ଅର୍ଥପୂର୍ଣ୍ଣ ହେବା ସହ ସହଜ ଏବଂ ତ୍ବରାନ୍ବିତ ହେବ। ଦ୍ବିତୀୟ ଧାରଣାଟି ହେଲା ଭାଷା ଶିକ୍ଷାକୁ ଗଣିତ ଏବଂ ପରିବେଶ ଶିକ୍ଷା ସହ ସମନ୍ବିତ କରାଯିବ। ପ୍ରଥମ ଶ୍ରେଣୀ ପାଇଁ କେବଳ ଖଣ୍ଡିଏ ସମନ୍ବିତ ବହି ହେବ। ଆମେ ଭାଷା ଶିକ୍ଷାର ପୁରୁଣା ପଦ୍ଧତିରେ ବହୁ ବର୍ଷ ଧରି ଥିବା ହେତୁ ଏ ଦୁଇ ନୂଆ ଧାରଣାକୁ ପ୍ରାଇମାରରେ ପ୍ରୟୋଗ କରିବାରେ ଶତ ପ୍ରତିଶତ ବିଫଳ ହୋଇ କିମ୍ଭୁତକିମାକାର ପ୍ରାଇମାରଟେ ପ୍ରସ୍ତୁତ କଲୁ। ପୁରୁଣା ପଦ୍ଧତିକୁ ଛାଡ଼ିଲୁ। ନୂଆ ପଦ୍ଧତିକୁ ଗ୍ରହଣ କରିପାରିଲୁ ନାହିଁ। ନୂଆ ପଦ୍ଧତିରେ ପ୍ରସ୍ତୁତ ହେଇଥିଲେ ଆମ ଭାଷାଶିକ୍ଷା ଅନ୍ୟ ଉନ୍ନତ ଦେଶମାନଙ୍କ ପରି ଉଡ଼ାଜାହାଜ ଗତିରେ ଚାଲିଥାଆନ୍ତା। ଆମ ପୁରୁଣା ବର୍ଣ୍ଣବୋଧ ପଦ୍ଧତିରେ କାର୍ରେ ଯିବା ଗତିକୁ ଛାଡ଼ିଟ୍ଟ କିନ୍ତୁ ଏ ଯେଉଁ ନୂଆ ପ୍ରାଇମାରଟି ହେଲା ତାହା ଆମ ଭାଷାଶିକ୍ଷାକୁ ଶଗଡ଼ ଗତିକୁ ଖସେଇ ଦେଲାଟ୍ଟ କିନ୍ତୁ ନାମ ଦିଆଗଲା ଚମତ୍କାର, ‘ହସଖେଳ’। ଶଗଡ଼ ଗତିରେ ଚାଲିଛି ଗଲା ପଚିଶବର୍ଷ କାଳ। କେବଳ ସେତିକି ନୁହଁ। ବିଦେଶୀ ବିଜ୍ଞାନ ସମ୍ମତ ପ୍ରଥମ ଶ୍ରେଣୀରେ ଖଣ୍ଡିଏ ବହି ସ୍ଥାନରେ ଏବେ ଆମ ବହି ସଂଖ୍ୟା ବୃଦ୍ଧିପାଇ ସାତଖଣ୍ଡ ବହିରେ ପହଞ୍ଚିଲାଣି ପ୍ରଥମ ଶ୍ରେଣୀରେ। ଆମେ ଏବେ ଭଲ ଶିକ୍ଷା ଏବଂ ଭାଷା ଶିକ୍ଷାର ବିପରୀତ ବାଟରେ। ବିଜ୍ଞାନ ସମ୍ମତ ନୂଆଶିକ୍ଷା ଏବଂ ଭାଷାଶିକ୍ଷା ଧାରଣାକୁ ନେଇ ନୂଆ ପ୍ରାଇମରଟେ ପ୍ରସ୍ତୁତ ନକରି ଝୁରି ହେଉଛୁ ‘ବର୍ଣ୍ଣବୋଧ’କୁ। ସେଥିପାଇଁ କୋର୍ଟ କଚେରି ଯିବାଠାରୁ ‘ବର୍ଣ୍ଣବୋଧ’ ଉତ୍ସବ କରି ବର୍ଣ୍ଣବୋଧ ବହି ବାଣ୍ଟିଲା ପରି କେତେ କ’ଣ ବାଳାଚାମି। ଅସ୍ମିତା ଅସ୍ମିତା ପାଗଳଟ୍ଟ କିନ୍ତୁ ଭଲ ପ୍ରାଇମରଟେ କରି ଓଡ଼ିଆ ଶିକ୍ଷାକୁ ସଜାଡ଼ିବାରେ ବିଫଳ, ଯେଉଁଠି ରହିଛି ଆମ ମୂଳ ଅସ୍ମିତା।
ମନ୍ମଥ କୁଣ୍ଡୁ
ବିଜେବି ନଗର, ଭୁବନେଶ୍ବର
Comments are closed.