ଭାରତରେ ୬୮୮ ବିଲିୟନ ଡଲାର , ପାକିସ୍ତାନରେ ୧୫ ବିଲିୟନ

ନୂଆଦିଲ୍ଲୀ : ବ୍ରିଟିଶ ଶାସନରୁ ୧୯୪୭ରେ ଏକାସାଙ୍ଗରେ ସ୍ବାଧୀନତା ପାଇବାର ୭ ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ଓ ପାକିସ୍ତାନର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଯାହା ସେମାନଙ୍କ ବିଦେଶୀ ମୁଦ୍ରା ଭଣ୍ଡାରର ସମୃଦ୍ଧିକୁ ଦେଖିଲେ ଜଣାପଡ଼ୁଛି।
ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ୬୮୮ ବିଲିୟନ ଡଲାର ଥିବାବେଳେ ପାକିସ୍ତାନ ମୁଦ୍ରା ଭଣ୍ଡାରରେ ମାତ୍ର ୧୫ ବିଲିୟନ ଡଲାର ରହିଛି। ଏହି ବିଶାଳ ବ୍ୟବଧାନ ଦୁଇ ଦେଶ ଦ୍ୱାରା ଦଶନ୍ଧି ଧରି ଅନୁସରଣ କରାଯାଇଥିବା ଭିନ୍ନ ନୀତି, ଶାସନ ଗଠନ ଏବଂ ଆର୍ଥିକ ରଣନୀତି ଫଳରେ ହୋଇଛି। ସ୍ୱାଧୀନତା ସମୟରେ, ଉଭୟ ଦେଶ ସୀମିତ ବିଦେଶୀ ମୁଦ୍ରା ଭଣ୍ଡାର ସହିତ ଏକ ଦୁର୍ବଳ ଅର୍ଥନୈତିକ ଗଠନ ଉତ୍ତରାଧିକାରୀ ସୂତ୍ରରେ ପାଇଥିଲେ। ଭାରତ ପାଇଁ ୧୯୯୧ର ଦେୟ ସନ୍ତୁଳନ ସଙ୍କଟ ପର୍ୟ୍ୟନ୍ତ ଅଗ୍ରଗତି ମନ୍ଥର ରହିଥିଲା, ଯେତେବେଳେ ଭଣ୍ଡାର ୨ ବିଲିୟନ ଡଲାରରୁ କମ ହୋଇଗଲା। ଏପରିକି ତିନି ସପ୍ତାହର ଆମଦାନୀ ପାଇଁ ମଧ୍ୟ ପାଣ୍ଠି ପର୍ୟ୍ୟାପ୍ତ ନ ଥିଲା। ତଥାପି, ସେହି ସଙ୍କଟ ବ୍ୟାପକ ଅର୍ଥନୈତିକ ଉଦାରୀକରଣକୁ ଆରମ୍ଭ କରିଥିଲା। ଯେଉଁଥିରେ ଟଙ୍କାର ମୂଲ୍ୟ ହ୍ରାସ, ବାଣିଜ୍ୟ ପ୍ରତିବନ୍ଧକ ହ୍ରାସ ଏବଂ ବିଦେଶୀ ନିବେଶ ପାଇଁ ବଜାର ଖୋଲାବା ଅନ୍ତର୍ଭୁକ୍ତ ଥିଲା। ଏହି ସଂସ୍କାରଗୁଡ଼ିକ ବିଦେଶୀ ମୁଦ୍ରା ଭଣ୍ଡାରରେ ସ୍ଥିର ଅଭିବୃଦ୍ଧିର ମୂଳଦୁଆ ସ୍ଥାପନ କରିଥିଲା। ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଆଇଟି ବିପ୍ଳବ, ପ୍ରବାସୀ ଭାରତୀୟ ଦେଶକୁ ଅଧିକ ବିଦେଶୀ ମୁଦ୍ରା ପଠାଇବା ଓ ଲଗାତାର ବିଦେଶୀ ନିବେଶ ବଢ଼ିବା ଫଳରେ ଭାରତର ସେବା କ୍ଷେତ୍ର ବୃଦ୍ଧି ପାଇଲା। ୨୦୦୮ ବେଳକୁ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୩୦୦ ବିଲିୟନ ଡଲାର ଅତିକ୍ରମ କରିଥିଲା। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ଏବଂ କୋଭିଡ୍-୧୯ ମହାମାରୀ ଭଳି ବିଶ୍ୱ ସଙ୍କଟ ମଧ୍ୟରେ ମଧ୍ୟ, ଦେଶ ଏକ ଦୃଢ଼ ବାହ୍ୟ ସନ୍ତୁଳନ ବଜାୟ ରଖିବାରେ ସଫଳ ହୋଇଥିଲା। ବିଶ୍ବ ଅନିଶ୍ଚିତତା ମଧ୍ୟରେ ୨୦୨୫ ସୁଦ୍ଧା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ସ୍ତର ୬୮୮ ବିଲିୟନ ଡଲାରରେ ପହଞ୍ଚିଛି।
ଅନ୍ୟପକ୍ଷରେ ପାକିସ୍ତାନର ଅର୍ଥନୈତିକ ଗତିପଥ ଅସ୍ଥିରତା ଦ୍ୱାରା ପ୍ରଭାବିତ ହୋଇଛି। ୧୯୬୦ ଦଶକର ପ୍ରାରମ୍ଭିକ ଶିଳ୍ପ ପ୍ରତିଶ୍ରୁତି ସତ୍ତ୍ୱେ, ରାଜନୈତିକ ଅସ୍ଥିରତାର ପୁନରାବୃତ୍ତି, ସାମରିକ ହସ୍ତକ୍ଷେପ ଏବଂ ଅସଙ୍ଗତ ନୀତି ନିର୍ଦେଶ ଫଳରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ରୋକ୍ ଲାଗିଥିଲା। ସମୟ ସହିତ ଦେଶ ଏକ ବିବିଧ ରପ୍ତାନି ଆଧାର ବିକାଶ ନ କରି ଆମେରିକା, ଚୀନ୍ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ରୁ ବାହ୍ୟ ସହାୟତା ଉପରେ କ୍ରମାଗତ ଭାବରେ ନିର୍ଭରଶୀଳ ହୋଇଗଲା। ପାକିସ୍ତାନର ରପ୍ତାନି ସୀମିତ ରହିଲା। ମୁଖ୍ୟତଃ କମ୍ ମୂଲ୍ୟର କପଡ଼ା ଉପରେ ଦେଶର ରପ୍ତାନି ଅଧିକ ଧ୍ୟାନ ଦେଲା। ଅନ୍ୟପକ୍ଷରେ ଆମଦାନୀ ଉପରେ ନିର୍ଭରଶୀଳତା ଏବଂ ବର୍ଦ୍ଧିତ ଚଳନ୍ତି ଆକାଉଣ୍ଟ ନିଅଣ୍ଟ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ନିରନ୍ତର ଚାପ ପକାଇଲା। ୧୯୮୦ ଦଶକରୁ, ପାକିସ୍ତାନ ୨୦ରୁ ଅଧିକ ଆଇଏମ୍ଏଫ୍ କାର୍ୟ୍ୟକ୍ରମରେ ପ୍ରବେଶ କରିଛି, ତଥାପି ସାଂରଚନିକ ସଂସ୍କାର ପ୍ରାୟତଃ ଅସମ୍ପୂର୍ଣ୍ଣ କିମ୍ବା ସ୍ଥଗିତ ରହିଛି। ୨୦୨୩ରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪ ବିଲିୟନ ଡଲାର ତଳକୁ ଖସିଯାଇ ଏକ ଗୁରୁତର ହ୍ରାସର ସମ୍ମୁଖୀନ ହୋଇଥିଲା। ଭାରତ ସଫଳତାର ସହିତ ଔଷଧ ଏବଂ ପ୍ରଯୁକ୍ତିବିଦ୍ୟା ଭଳି ଉଚ୍ଚ-ଅଭିବୃଦ୍ଧି କ୍ଷେତ୍ରରେ ଏହାର ଅର୍ଥନୀତିକୁ ବିବିଧ କରିଥିଲା। ଭାରତ ବିଶ୍ୱ ସ୍ତରରେ ଆର୍ଥିକ କୂଟନୀତି ଏବଂ ବାଣିଜ୍ୟ ସମ୍ପର୍କକୁ ଗଭୀର କରିଥିବାବେଳେ ପାକିସ୍ତାନ ପ୍ରାୟତଃ ଆର୍ଥିକ ସହଯୋଗ ଅପେକ୍ଷା ସୁରକ୍ଷା ମେଣ୍ଟକୁ ପ୍ରାଥମିକତା ଦେଇଥିଲା। ରାଜନୈତିକ ପରିବର୍ତ୍ତନକୁ ଖାତିର ନ କରି ଭାରତ ୧୯୯୧ ପରେ ଏକ ସ୍ଥିର ସଂସ୍କାର ପଥ ବଜାୟ ରଖିଥିଲା, ଯେତେବେଳେ ପାକିସ୍ତାନ ଆଇଏମ୍ଏଫ୍ ଚାପରେ କଟକଣା ନୀତି ମଧ୍ୟରେ ଘୁରି ବୁଲୁଛି।
Comments are closed.