www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଆ-ଅସ୍ମିତାର ଆଦ୍ୟ ଓଁକାର : ଗଜପତି କପିଳେନ୍ଦ୍ର ଦେବ

ଭୁବନେଶ୍ବର : କପିଳେନ୍ଦ୍ର ଦେବ ଖୋର୍ଦ୍ଧା ନିକଟରେ ଏକ ଦରିଦ୍ରତମ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଇଷ୍ଟ ଦେବତା ଜଗନ୍ନାଥଙ୍କ ଉପରେ ଅସୁମାରି ବିଶ୍ୱାସ ଓ ନିଜ ଉପରେ ପ୍ରଚଣ୍ଡ ଆସ୍ଥା ଫଳରେ ସେ ଗଜପତି ଆସନରେ ଅଧିଷ୍ଠିତ ହୋଇ ‘ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧିରେ ଭୂଷିତ ହୋଇଥିଲେ। (ଗୌଡ଼େଶ୍ୱର -ବଙ୍ଗର ଅଧୀଶ୍ୱର; ନବ କୋଟି – ନ କୋଟି; କର୍ଣ୍ଣାଟ – ବିଜୟ ନଗର ସାମ୍ରାଜ୍ୟ, କଳବର୍ଗ – ବାହମାନୀ ସାମ୍ରାଜ୍ୟର ପୂର୍ବତନ ରାଜଧାନୀର ନାମ) ଏହି ବିଶ୍ୱାସ ଓ ଆସ୍ଥାର କେନ୍ଦ୍ରରେ ଥିଲା ସୁବିଶାଳ ଉତ୍କଳ ସାମ୍ରାଜ୍ୟ ଗଠନ, ଉତ୍କଳର ଅଭ୍ୟୁଦୟ ଓ ସମଗ୍ର ଭାରତ ଖଣ୍ଡରେ ଉତ୍କଳର ଗରିମା ପ୍ରତିଷ୍ଠା ନିମନ୍ତେ ମନରେ ଅସୁମାରି ସ୍ୱପ୍ନ ଓ ହୃଦୟରେ ରୋମାଞ୍ଚଭରା ପୁଲକ। ନାଟକୀୟ ଠାଣିରେ ଗଙ୍ଗବଂଶ ଗଜପତି ମତ୍ତଭାନୁ କପିଳଙ୍କୁ ଜଗନ୍ନାଥଙ୍କ ବେଢ଼଼ାରୁ ରାଜପ୍ରାସାଦକୁ ଆଣିବା ପରେ ତାଙ୍କ କର୍ମମୟ ଜୀବନର ଶୁଭାରମ୍ଭ ହୋଇଥିଲା। କପିଳ ରାଉତ ହେଲେ କପିଳେନ୍ଦ୍ର ଭ୍ରମରବର ମହାପାତ୍ର। ଗଙ୍ଗବଂଶ ଶେଷ ଗଜପତି ମତ୍ତଭାନୁ ଥିଲେ ନିଃସନ୍ତାନ। ତାଙ୍କ ଅନ୍ତେ କିଏ ସିଂହାସନ ଆରୋହଣ କରିବେ ଏ ନେଇ ରାଜ ଦରବାରରେ ବିଚାର ବିମର୍ଶ ଚାଲିଥାଏ। ସେତେବେଳକୁ କପିଳେନ୍ଦ୍ର ଭମରବର ମହାପାତ୍ର ମନ୍ତ୍ରୀ ପଦରେ ଅଧିଷ୍ଠିତ ଥାଆନ୍ତି। ସମସ୍ତଙ୍କ ନଜର ତାଙ୍କରି ଉପରେ ଥାଏ। ଗଜପତିଙ୍କ ଦେହାନ୍ତ ପରେ କିଛି ବର୍ଷ ବିତିଗଲା। ରାଜ୍ୟରେ ଅରାଜକତା ଆରମ୍ଭ ହେବା ପରେ ଦରବାରର କିଛି ବିଶ୍ୱସ୍ତ କର୍ମଚାରୀ ଏବଂ ପୁରୀ ମନ୍ଦିରର ବରିଷ୍ଠ ସେବାୟତଙ୍କ ନିଷ୍ପତ୍ତି କ୍ରମେ କପିଳେନ୍ଦ୍ର ଦେବ ସିଂହାସନ ଆରୋହଣ କଲେ।

ଗଜପତି କପିଳେନ୍ଦ୍ର ଦେବ ୧୪୩୫ ମସିହାରେ ସିଂହାସନ ଆରୋହଣ କରିବା ସମୟରେ ନିଜକୁ ସୂର‌୍ୟ୍ୟବଂଶୀ ସମ୍ରାଟ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଦେଶ କ୍ରମେ ରାଜ ସିଂହାସନ ଗ୍ରହଣ କରିଛନ୍ତି ବୋଲି ଘୋଷଣା କଲେ। କପିଳେନ୍ଦ୍ର ଦେବଙ୍କ ଉପରେ ପ୍ରଜାଙ୍କର ଅତୁଟ ଭରସା ଥିବାରୁ ସମସ୍ତେ ଏହା ଶ୍ରଦ୍ଧାର ସହିତ ଗ୍ରହଣ କରିନେଲେ। ପଞ୍ଚଦଶ ଶତାବ୍ଦୀରେ ସମଗ୍ର ଭାରତବର୍ଷ ମୁସଲମାନ ଶାସକଙ୍କ ଅଧୀନରେ ଥିବାବେଳେ, ହାତଗଣତିରେ କିଛି ହିନ୍ଦୁ ସାମ୍ରାଜ୍ୟ ତିଷ୍ଠି ରହିଥିଲା। ସେଥି ମଧ୍ୟରେ ଦକ୍ଷିଣରେ ବିଜୟନଗର ସାମ୍ରାଜ୍ୟ ଏବଂ ରାଜସ୍ଥାନର ରାଜପୁତଙ୍କ ଶାସନକାଳ ଅନ୍ୟତମ। ସେହି ସମୟରେ ସୂର‌୍ୟ୍ୟବଂଶୀ ସମ୍ରାଟ ଗଜପତି କପିଳେନ୍ଦ୍ରଦେବଙ୍କ ସାମ୍ରାଜ୍ୟ, ସମଗ୍ର ଭାରତଖଣ୍ଡରେ ଆୟତନ ଆଧାରରେ ଥିଲା ସର୍ବବୃହତ ହିନ୍ଦୁ ସାମ୍ରାଜ୍ୟ। ଏକ ସମୟରେ ଗଜପତି କପିଳେନ୍ଦ୍ର ଦେବଙ୍କ ସାମ୍ରାଜ୍ୟ ଉତ୍ତରରେ ଝାଡଖଣ୍ଡ ଠାରୁ ଦକ୍ଷିଣରେ ରାମେଶ୍ୱରମ, ପଶ୍ଚିମରେ ମହାରାଷ୍ଟ୍ରର ପୂର୍ବାଂଶ ଏବଂ ସମଗ୍ର ତେଲେଙ୍ଗାନା ପରିବ୍ୟାପ୍ତ ଥିଲା। ଆହୁରି ମଧ୍ୟ ବାହାମାନୀ ରାଜଧାନୀ ବିଦାର ଏବଂ ବିଜୟନଗର ରାଜଧାନୀ ହାମ୍ପି ଗଜପତିଙ୍କ ଶାସନାଧୀନ ଥିଲା। ସେ ସମୟରେ ଗଜପତି କପିଳେନ୍ଦ୍ର ଦେବ ଥିଲେ ଭାରତବର୍ଷର ସର୍ବଶ୍ରେଷ୍ଠ ହିନ୍ଦୁ ସମ୍ରାଟ।

- Advertisement -

ଗଜପତି କପିଳେନ୍ଦ୍ର ଦେବ ସେ ସମୟରେ ସମଗ୍ର ଓଡ଼ିଶାକୁ ଏକତା ସୂତ୍ରରେ ବାନ୍ଧି ରଖି ରାଜ୍ୟକୁ ସର୍ବଶ୍ରେଷ୍ଠ ସାମରିକ ଶକ୍ତିରେ ରୂପାନ୍ତରିତ କରି ଦେଇଥିଲେ। ଏଥି ନିମନ୍ତେ ସେ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଆ ଭାଷାର ସହାୟତା ନେଇଥିଲେ। ମୁସଲମାନ ଶାସକମାନେ ଯେପରି ଇସଲାମର ଦ୍ୱାହି ଦେଇ ରାଜ୍ୟ ବିଜୟ ନିମନ୍ତେ ଅଗ୍ରସର ହେଉଥିଲେ, ଗଜପତି କପିଳେନ୍ଦ୍ର ଦେବ ଶ୍ରୀଜଗନ୍ନାଥଙ୍କ ସୁରକ୍ଷା ନିମନ୍ତେ ସମଗ୍ର ପାଇକକୁଳକୁ ଆହ୍ୱାନ ଦେଇଥିଲେ। ସେ ସମୟରେ ସମସ୍ତ ବୃତ୍ତିର ବ୍ୟକ୍ତି ସେନାରେ ଯୋଗଦେଇ ପାରୁଥିଲେ। ସିଂହାସନ ଆରୋହଣ କରିବା ପରେ ପ୍ରଥମେ ବଙ୍ଗଳାର ସୁଲତାନ ଶାମସୁଦ୍ଦିନ ଆବୁଲ ମୁଜାହିଦ ଅହମଦ ଶା ସମ୍ରାଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କଲେ। ତାହାର ଦମନ ନିମନ୍ତେ ଗଜପତି ନିଜର ବ୍ରାହ୍ମଣ ମନ୍ତ୍ରୀ ଗୋପୀନାଥ ମହାପାତ୍ରଙ୍କୁ ପଠାଇଥିଲେ ଏବଂ ଯୁଦ୍ଧରେ ବଙ୍ଗଳାର ସୁଲତାନ ଶୋଚନୀୟ ପରାସ୍ତ ବରଣ କରିଥିଲେ। ସେହି ସମୟରେ ତାଙ୍କ ସାମ୍ରାଜ୍ୟ ଗଙ୍ଗା ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିଲା। ୧୪୩୭ ମସିହାରେ ଗଙ୍ଗାସ୍ନାନ କରିବା ପରେ ସେଠାରେ ଗଙ୍ଗେଶ୍ୱର ମନ୍ଦିର ପ୍ରତିଷ୍ଠା କରିଥିଲେ। ଏ ଥିଲା ଉତ୍କଳ-ଗରିମା ପ୍ରତିଷ୍ଠାର ଆଦ୍ୟ ସୋପାନ।

କୌଣସି ରାଜ୍ୟ ବିଜୟ ପରେ ଗଜପତି ଯେଉଁ ସମସ୍ତ ମଣିମୁକ୍ତା ସ୍ୱର୍ଣ୍ଣ ଅଳଙ୍କାର ଆଣୁଥିଲେ, ତାହା ଇଷ୍ଟ ଦେବତା ଜଗନ୍ନାଥଙ୍କୁ ହିଁ ଅର୍ପଣ କରୁଥିଲେ। ଗଜପତି ଘୋଷଣା କରିଥିଲେ – ସ୍ୱୟଂ ଜଗନ୍ନାଥ ହେଉଛନ୍ତି ଉତ୍କଳର ସମ୍ରାଟ ଏବଂ ଗଜପତି ହେଉଛନ୍ତି ତାଙ୍କର ପ୍ରଥମ ସେବକ। ଧୀରେ ଧୀରେ ଗଜପତିଙ୍କର ବିଜୟଯାତ୍ରା ଅବ୍ୟାହତ ରହିଲା ଏବଂ ଓଡ଼ିଶା ସେ ସମୟରେ ସର୍ବଶ୍ରେଷ୍ଠ ହିନ୍ଦୁ ସାମ୍ରାଜ୍ୟରେ ପରିଣତ ହୋଇଗଲା, ଅତୀତରେ ଆମ ରାଜ୍ୟ ବିଭିନ୍ନ ନାମରେ ପରିଚିତ ଥିବାବେଳେ, ତାଙ୍କରି ସମୟରୁ ରାଜ୍ୟ ଓଡ଼ିଶା ନାମରେ ପରିଚିତ ହେଲା। ଗଜପତି କପିଳେନ୍ଦ୍ର ଦେବଙ୍କ ୧୪୪୩ ମସିହା ଜଗନ୍ନାଥ ମନ୍ଦିର ଶିଳାଲେଖରେ ‘ଓଡ଼ିଶା ରାଜ୍ୟ’ ଉଲ୍ଲେଖ ରହିଛି। ତାଙ୍କ ଶାସନକାଳକୁ ନେଇ ଏବେ ମଧ୍ୟ ଆମେ ଗର୍ବରେ ଉତ୍‌‌ଫୁଲ୍ଲିତ ହେଉ। ତାଙ୍କରି ସମୟରେ ଓଡ଼ିଆ ଥିଲା ରାଜଭାଷା। ତେଣୁ କପିଳେନ୍ଦ୍ର ଦେବ ହେଉଛନ୍ତି ଓଡ଼ିଆ ଅସ୍ମିତାର ଆଦ୍ୟ ଉନ୍ମେଷ।

ସୂର‌୍ୟ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଶାସନକାଳରେ ଓଡିଆ ଥିଲା ରାଜ୍ୟ ଶାସନର ଭାଷା। ଏହି କାଳଖଣ୍ଡରେ ଗୋଟାଏ ପ୍ରଚଣ୍ଡ ଅଭିଶାପ, ସାରସ୍ୱତ-ସାଂସ୍କୃତିକ କ୍ଷେତ୍ରରେ ବିପୁଳ ସମ୍ଭାବନାରେ ରୂପାନ୍ତରିତ ହୋଇଗଲା। ଏକାଦଶ-ଦ୍ୱାଦଶ ଶତାବ୍ଦୀରୁ ସମଗ୍ର ଉତ୍ତର ଭାରତରେ ମୁସଲମାନ ରାଜଶକ୍ତି ସୁଦୃଢ଼ ହେବାକୁ ଆରମ୍ଭ ହେଉଥିଲା। ଫଳରେ ମହାଭାରତୀୟ ଭାଷା ଓ ସାହିତ୍ୟ ରୂପେ ସଂସ୍କୃତ ଭାଷାର ପ୍ରାଧାନ୍ୟ କ୍ରମଶଃ ହ୍ରାସ ପାଇବାକୁ ଲାଗିଲା। ଧୀରେ ଧୀରେ ପାର୍ସୀ ଭାଷା ରାଜଭାଷା ରୂପେ ପ୍ରତିଷ୍ଠା ଅର୍ଜନ ଆରମ୍ଭ କଲା। ସାଧାରଣ ଲୋକେ ପାର୍ଶୀଭାଷାକୁ ରାଜଭାଷା ରୂପେ ସ୍ୱୀକାର କରି ନେଲେ, କିନ୍ତୁ ସାହିତ୍ୟ ନିମନ୍ତେ ଆଞ୍ଚଳିକ ଭାଷାକୁ ଢଳିଆସିଲେ। ଫଳରେ ଦେଶର ବିଭିନ୍ନ ପ୍ରାନ୍ତର ଆଞ୍ଚଳିକ ଭାଷାରେ ସମୃଦ୍ଧ ସାହିତ୍ୟମାନ ସୃଷ୍ଟି ହେଲା। ରାଜନୈତିକ ଓ ପ୍ରଶାସନିକ କାରଣରୁ ରାଜ୍ୟରେ ଓଡ଼ିଆ ଭାଷାର ସମ୍ପୂର୍ଣ୍ଣ ବିକାଶ ସମ୍ଭବ ହୋଇ ନ ଥିଲା। ଏହାର ମୁଖ୍ୟ କାରଣ ଥିଲା: ଭୌମକର ରାଜବଂଶ (ଅଷ୍ଟମ-ଦଶମ ଶତାବ୍ଦୀ), କେଶରୀ ରାଜବଂଶ (ଦଶମ-ଦ୍ୱାଦଶ ଶତାବ୍ଦୀ) ଏବଂ ଗଙ୍ଗ ରାଜବଂଶ (ଦ୍ୱାଦଶ -ପଞ୍ଚଦଶ ଶତାବ୍ଦୀ) ଶାସକମାନେ କେହି ଓଡ଼ିଆ ନ ଥିଲେ। ସେମାନେ ଦେଶର ଭିନ୍ନ ପ୍ରାନ୍ତରୁ ଆସି ଓଡ଼ିଶାକୁ ଶାସନ କରୁଥିଲେ; ଯଦିଓ ପରବର୍ତ୍ତୀ ସମୟରେ ସେମାନେ ସମୃଦ୍ଧ ଓଡ଼ିଶାର ବୃହତ୍‌‌ ଅଂଶରେ ପରିଣତ ହୋଇଗଲେ।

ଓଡ଼ିଶାର ଆଦିକବି ସାରଳା ଦାସ ହେଉଛନ୍ତି ଗଜପତି କପିଳେନ୍ଦ୍ର ଦେବଙ୍କର ସର୍ବଶ୍ରେଷ୍ଠ ଅବଦାନ। ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତ ଓଡ଼ିଆ ଭାଷା ସାହିତ୍ୟର ଆଦିପର୍ବ। ସାରଳାଙ୍କ ପୂର୍ବରୁ ଯେ ଓଡ଼ିଆ ସାହିତ୍ୟ ନ ଥିଲା ତାହା ନୁହେଁ, କିନ୍ତୁ ତାହା ଲୋକ ସାହିତ୍ୟରେ ଥିଲା, ଶୁଦ୍ଧ ଲିପିରେ ନ ଥିଲା। ସାରଳାଙ୍କ ସମୟରୁ ଲିପିର ପ୍ରବର୍ତ୍ତନ ହେଲା। ତାଳପତ୍ର ଲେଖନୀର ପ୍ରଭାବରେ ଲିପି ବର୍ତ୍ତୁଳାକାର ହେଲା। ସାରଳା ଦାସଙ୍କ ପାଇଁ ସଂସ୍କୃତ ଶିକ୍ଷା ସାମାଜିକ କାରଣରୁ ବାରଣ ଥିଲା ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରାୟ ନ ଥିଲା କହିଲେ ଚଳେ। ଓଡ଼ିଆ ଭାଷା ସାହିତ୍ୟର ଉନ୍ମେଷ ନିମନ୍ତେ ଏହା ଥିଲା ବରଦାନ ସଦୃଶ। କାରଣ ସଂସ୍କୃତ ବିଶାରଦମାନେ ମୁଖ୍ୟତଃ ରାଜ ଦରବାରର ପୃଷ୍ଠପୋଷକତା ହାସଲ କରୁଥିବାରୁ ସେମାନେ ଥିଲେ ସମ୍ଭ୍ରାନ୍ତ ସାଆନ୍ତ। ତେଣୁ ସେମାନେ ଆଞ୍ଚଳିକ ଭାଷା ପ୍ରତି ହୀନ ମନୋଭାବ ପୋଷଣ କରିବା ସ୍ୱାଭାବିକ। ସାରଳା ଦାସ ସଂସ୍କୃତ ଶିକ୍ଷା ନିମନ୍ତେ ଅଯୋଗ୍ୟ ଥିବାରୁ ସଂସ୍କୃତ ଭାଷାର ବ୍ୟାକରଣଗତ କଠୋର ନିମୟମାବଳୀ ସହିତ ପରିଚିତ ନ ଥିଲେ। କ୍ରମାଗତ ଲେଖନୀ ମାଧ୍ୟମରେ ସେ ଓଡିଆ ଭାଷାକୁ ଶୁଦ୍ଧତାର ଶୀର୍ଷରେ ଉପନୀତ କରାଇ ପାରିଥିଲେ। ମହାଭାରତ ଭଳି ମହାକାବ୍ୟ ଓଡ଼ିଆ ଭାଷାରେ ଲେଖା ଯାଇଥିବାରୁ ସମ୍ଭ୍ରାନ୍ତ ସାଆନ୍ତମାନେ ଏହାକୁ ନାପସନ୍ଦ କରି ନାକ ଟେକିଥିଲେ, କିନ୍ତୁ ଓଡ଼ିଶାର ସାଧାରଣ ଜନତା ସାରଳା ଦାସଙ୍କୁ ‘ଆଦିକବି’ ‘ଶୂଦ୍ରମୁନି’ ଆଖ୍ୟା ଦେଇ ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରୁଛନ୍ତି।

ସାରଳା ମହାଭାରତ ହେଉଛି ଓଡ଼ିଶା ସାରସ୍ୱତ-ସାଂସ୍କୃତିକ ଜଗତର ଅଭିନବ ବିପ୍ଳବ। ଏଥି ସହିତ ଓଡ଼ିଆ ଲିପି ସମୃଦ୍ଧ କରିବାରେ ଶୂଦ୍ରମୁନିଙ୍କର ଅବଦାନ ଏ ଜାତି ସବୁଦିନ ସ୍ମରଣ ରଖିବ। ସାଧାରଣ ଜନତାଙ୍କ ପାଇଁ ସରଳ ଭାଷାରେ ସାହିତ୍ୟ ସୃଷ୍ଟି କରିବାର ସେ ଯେଉଁ ପରଂପରାର ସୂତ୍ରପାତ କରିଥିଲେ, ତାଙ୍କ ଅନ୍ତେ ଅତିବଡ଼ୀ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ଏବଂ ବଳରାମ ଦାସ ଓଡ଼ିଆ ରାମାୟଣ ଏବଂ ଶ୍ରୀମଦ୍‌‌ଭଗବଦ୍‌ଗୀତା ରଚନା କରି ତାହାକୁ ସମୃଦ୍ଧ ଓ ଉଜ୍ଜଳ କରିଥିଲେ। ସେ ସମୟରେ ସମ୍ଭ୍ରାନ୍ତ ସାଆନ୍ତମାନଙ୍କ ଦୃଷ୍ଟିରେ ଓଡ଼ିଆରେ ମହାଭାରତ, ରାମାୟଣ ଏବଂ ଗୀତା ରଚନା କରିବା ଅପରାଧ ଭାବେ ବିବେଚନା କରାଯାଉଥିଲା। ଏଗୁଡ଼ିକ ସଂସ୍କୃତ ଭାଷାରେ ଥିବାରୁ ଏହା ଉପରେ ସେମାନଙ୍କର ଏକଚାଟିଆ ଅଧିକାର ରହିଛି ବୋଲି ସେମାନେ ଧରି ନେଇଥିଲେ। ଏପରିକି ଶୂଦ୍ରମୁନି ଓଡ଼ିଆ ମହାଭାରତ ରଚନା କରିବାବେଳେ ଗୀତା ଅଂଶ ବାଦ ଦେଇଥିଲେ। ଶୂଦ୍ରମାନେ ଓଡ଼ିଆରେ ଅଧ୍ୟୟନ କରିବା ପାଇଁ ଯୋଗ୍ୟ ବୋଲି ସେମାନଙ୍କର ଯୁକ୍ତି ଥିଲା। ଅନ୍ୟ ଅର୍ଥରେ ଯେଉଁମାନେ ଓଡ଼ିଆରେ ରଚନା କରୁଥିଲେ ସେମାନଙ୍କୁ ମଧ୍ୟ ଶୂଦ୍ର ବିବେଚନା କରାଯାଉଥିଲା। ସେଥି ନିମନ୍ତେ ବଳରାମ ଦାସ କୁଳୀନ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ ମଧ ଶୂଦ୍ର ଭାବେ ନିନ୍ଦିତ ହୋଇଥିଲେ।

ବିଡ଼ମ୍ବନା, ଗଜପତି କପିଳେନ୍ଦ୍ର ଦେବଙ୍କ ପ୍ରତି ଇତିହାସ ବହୁ ନିର୍ଦୟ ହୋଇଛି। ଦକ୍ଷିଣର ସମ୍ରାଟ ଏବଂ ସାମ୍ରାଜ୍ୟକୁ ଇତିହାସ ପ୍ରାଧାନ୍ୟ ଦେଇଥିବାବେଳେ, କପିଳେନ୍ଦ୍ର ଦେବଙ୍କ ପ୍ରତି ନିରବତା ଅବଲମ୍ବନ କରିଛି। ଆମ ରାଜ୍ୟର ଶିକ୍ଷିତବର୍ଗ ମଧ୍ୟ କପିଳେନ୍ଦ୍ରଙ୍କ କୃତିତ୍ୱ ସମ୍ପର୍କରେ ଅଜ୍ଞ ରହିଛନ୍ତି। ଆନନ୍ଦର କଥା, ଚଳିତ ବର୍ଷ ଆମ ରାଜ୍ୟର ସଂସ୍କୃତି ବିଭାଗ ତରଫରୁ ଉତ୍କଳ ଦିବସରୁ ଓଡ଼ିଆ ନବ ବର୍ଷ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯାଇଛି। ନୂତନ ପିଢ଼ିଙ୍କୁ ଓଡ଼ିଆମିର ଶ୍ରେଷ୍ଠତ୍ୱ ସମ୍ପର୍କରେ ଅବଗତ କରାଇବା ଏହାର ଆଭିମୁଖ୍ୟ। ଏହି କ୍ରମରେ ଶ୍ରେଷ୍ଠ ଓଡ଼ିଆମାନଙ୍କ ସମ୍ପର୍କରେ ବିଶେଷ ଆଲୋଚନା ହେଲେ ଏବଂ ଆସନ୍ତା ବର୍ଷ ଏହି ପକ୍ଷ ଯଦି ଗଜପତି କପିଳେନ୍ଦ୍ର ଦେବଙ୍କୁ ସମର୍ପଣ କରାଯାଏ, ତାହାହେଲେ ଏହା ପୂର୍ଣ୍ଣାଙ୍ଗ ହୋଇ ଗଣପର୍ବରେ ପରିଣତ ହୋଇଯିବ।

ଅଭୟଦ୍ବିବେଦୀ

ସାଳନ୍ଦୀ ନଗର, ଭଦ୍ରକ

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories