ଭୁବନେଶ୍ବର : ବିଦ୍ୟା, କଳା, କବିତା, ସାହିତ୍ୟ, ଧନ ତଥା ରାଜସ୍ବ ଠାରୁ ଆଚରଣର ସଭ୍ୟତା ଅଧିକ ଜାଜ୍ବଲ୍ୟମାନ। ଆଚରଣ ସଭ୍ୟତାକୁ ପ୍ରାପ୍ତକରି ଜଣେ କାଙ୍ଗାଳ ବ୍ୟକ୍ତି ମଧ୍ୟ ରାଜାମାନଙ୍କ ହୃଦୟରେ ନିଜର ପ୍ରଭୁତ୍ବ ବିସ୍ତାର କରିପାରେ।ଏହି ସଭ୍ୟତା ଦର୍ଶନରୁ କଳା, ସାହିତ୍ୟ ଓ ସଙ୍ଗୀତକୁ ଅଦ୍ଭୁତ ସଫଳତା ପ୍ରାପ୍ତହୁଏ। ରାଗ ଅଧିକ ମୃଦୁ ହୋଇଯାଏ। ଜ୍ଞାନର ତୃତୀୟ ଶିବ-ନେତ୍ର ଫିଟିଯାଏ; ଚିତ୍ରକଳାର ମୌନ ରାଗ ମୁଖରିତ ହେଲା ପରି ଲାଗେ। ବକ୍ତା ଚୁପ୍ ହୋଇଯାଏ, ଲେଖକର ଲେଖନୀ ଥମ୍ କିନା ଅଟକିଯାଏ ଟ୍ଟ ମୂର୍ତ୍ତିକାର ସାମନାରେ ନୂଆ କପୋଳ, ନୂତନ ନୟନ ଓ ନୂଆ ଛବିର ଦୃଶ୍ୟ ହାଜର ହୋଇଯାଏ। ଆଚରଣର ସଭ୍ୟତାଭିତ୍ତିକ ଭାଷା ସଦା ବେଳେ ନିଶ୍ଚୁପ ରହେ। ଏହି ଭାଷାର ଶବ୍ଦକୋଷ ଶୁଦ୍ଧ ଶ୍ୱେତ ପତ୍ର ସଦୃଶ। ଏଥିରେ ନାମମାତ୍ର ପାଇଁ ଶବ୍ଦ ନାହିଁ। ଏ ସଭ୍ୟ ଆଚରଣ ନାଦକରି ମଧ୍ୟ ନିରବ। ବ୍ୟାଖ୍ୟା କରାଗଲେ ମଧ୍ୟ ବ୍ୟାଖ୍ୟାନ ଅନ୍ତରାଳରେ ଲୁକ୍କାୟିତ। ରାଗ ଗାନ କରାଯାଇ ବି ରାଗ ସୁର ମଧ୍ୟରେ ବିଲୀନହୁଏ। ମୃଦୁ ବଚନର ମିଠା ପଣରେ ଆଚରଣର ସଭ୍ୟତା ମୌନରୂପେ ପ୍ରକଟିତ ହୁଏ। ବିନମ୍ରତା, ଦୟା, ପ୍ରେମ, ପ୍ରୀତି ଓ ଉଦାରତା – ଏସବୁ ସଭ୍ୟ ଆଚରଣ ଭାଷାର ମୌନ ବ୍ୟାଖ୍ୟା। ମନୁଷ୍ୟ ଜୀବନରେ ମୌନ ବ୍ୟାଖ୍ୟାର ପ୍ରଭାବ ଚିରସ୍ଥାୟୀ। ଏତତ୍ ବ୍ୟତୀତ, ଏହା ଆତ୍ମାର ଏକ ଅଙ୍ଗ ମଧ୍ୟ ହୋଇଯାଏ।
ପ୍ରକାଣ୍ଡକାୟ ଆତ୍ମାର ଆଚରଣ ଦ୍ବାରା ମୌନରୂପୀ ସୁରଭି ସଦାସର୍ବଦା ବ୍ୟାପିଚାଲେ। ଏହାର ଉପସ୍ଥିତିରେ ମନ ଆଉ ହୃଦୟର ଋତୁ ବଦଳିଯାଏ। ମନରୂପୀ ବ୍ୟାଖ୍ୟାର ମହିମା ଏତେ ଶକ୍ତିଶାଳୀ, ଏତେ ଅର୍ଥପୂର୍ଣ୍ଣ ଓ ଏତେ ପ୍ରଭାବଶାଳୀ ଯେ ତା’ ସାମନାରେ ମାତୃଭାଷା, ସାହିତ୍ୟିକ ଭାଷା ଓ ଅନ୍ୟ ଦେଶମାନଙ୍କର ଭାଷା ସବୁକିଛି ପରିଲକ୍ଷିତ ହୁଏ। ଅନ୍ୟ କୌଣସି ଭାଷା ଦିବ୍ୟ ନୁହେଁଟ୍ଟ କେବଳ ଆଚରଣର ମୌନ ଭାଷା ହିଁ ଐଶ୍ୱରୀୟ। ମୌନ ବ୍ୟାଖ୍ୟା କିପରି ଆମ ହୃଦୟର କୋଣ ଅନୁକୋଣରେ ସୁନ୍ଦରତା ଭରିଦିଏ ତାହା ବିଚାର କରି ନିରୀକ୍ଷଣ କରିବା ଏକାନ୍ତ ଆବଶ୍ୟକ।
ଭଲ ପାଇବାର ଭାଷା ଶବ୍ଦହୀନ। ନେତ୍ର, କପୋଳ ଓ ମସ୍ତିଷ୍କର ଭାଷା ହିଁ ଶବ୍ଦରହିତ। ଜୀବନର ତତ୍ତ୍ବ ବି ଶବ୍ଦର ଊର୍ଦ୍ଧ୍ବରେ। ସଚ୍ଚୋଟ ଆଚରଣ – ପ୍ରଭାବ, ଶିଷ୍ଟାଚାର, ଅଚଳ ସ୍ଥିତ ସଂଯୁକ୍ତ ଆଚରଣ ନା ସାହିତ୍ୟର ଦୀର୍ଘ ବ୍ୟାଖ୍ୟାରେ ଗଢାଯାଇ ପାରେ, ନା ବେଦ ଶ୍ରୁତିଗୁଡ଼ିକର ମଧୁର ଉପଦେଶ ଦ୍ବାରା, ନା କୋରାନ ଓ ଧର୍ମ ଚର୍ଚ୍ଚା ଦ୍ବାରା ନା କେବଳ ସତ୍ସଙ୍ଗ ଦ୍ବାରା ଗଢାଯାଇ ପାରେ। ଜୀବନ-ଅରଣ୍ୟରେ ହଜିଯାଇଥିବା ପୁରୁଷ ଉପରେ ପ୍ରକୃତି ଓ ମନୁଷ୍ୟ ଜୀବନର ମୌନ ବ୍ୟାଖ୍ୟାର ପ୍ରୟାସ ଦ୍ବାରା ସୁନାର ତିଆରି ଛୋଟ ହାତୁଡ଼ିର ମୃଦୁମୃଦୁ ଚୋଟ ଭଳି ଆଚରଣର ରୂପ ଦୃଶ୍ୟମାନ ହୁଏ। ଆଚରଣର ସଭ୍ୟତା ଯେତେବେଳେ ଆସେ ସୁନୀଳ ଆକାଶରୁ ବେଦଧ୍ବନି ଭାସିଆସି ମନୁଷ୍ୟକୁ ଶୁଣାଯାଏ। ନରନାରୀ ପୁଷ୍ପବତ୍ ହସିଉଠନ୍ତି, ପ୍ରଭାତ ହୁଏ, ପ୍ରତ୍ୟୁଷର ଘଣ୍ଟା ନାଦ ନିନାଦିତ ହୁଏ, ନାରଦଙ୍କ ବୀଣାନାଦ ଝଙ୍କୃତ ହେଲା ଭଳି ଲାଗେ। ଧ୍ରୁବଙ୍କ ଶଙ୍ଖ ବାଦନ ଗୁଞ୍ଜରିତ ହୋଇ ଉଠେ। ପ୍ରହଲ୍ଲାଦଙ୍କ ନୃତ୍ୟ ଆରମ୍ଭ ହୋଇଯାଏ, ଶିବଙ୍କ ଡମ୍ବରୁ ବାଜୁଥାଏ ଓ ଶ୍ରୀକୃଷ୍ଣଙ୍କ ବଇଁଶୀର ଧୁନ ଆରମ୍ଭ ହୋଇଯାଏ। ଯେଉଁଠି ଏଭଳି ଶବ୍ଦ ସବୁ ଅଛି ଆଉ ଯେଉଁଠି ଏମିତି ପୁରୁଷ ରହନ୍ତି ସେଇଠି ହିଁ କେବଳ ଏପରି ଜ୍ୟୋତି ଥାଏ। ସେହି ଆଚରଣ ହିଁ ସଭ୍ୟତାର ସୁନାର ଦେଶ। ସେହି ଦେଶ ମନୁଷ୍ୟର ସ୍ବଦେଶ। ଘରେ ନ ପହଞ୍ଚିବା ପର୍ୟ୍ୟନ୍ତ ଶୋଇଯିବା ଭଲ ନୁହେଁ।
ତେବେ ସେ ଯାହାହେଉ, ଆମେ ଯେତେବେଳେ ନକାରାତ୍ମକ ବିଚାରଗୁଡ଼ିକୁ ସକାରାତ୍ମକ ବିଚାରରେ ପରିଣତ କରିଦେବା ଆମେ ସକାରାତ୍ମକ ଫଳ ନିଶ୍ଚୟ ପ୍ରାପ୍ତ କରିବା। ଏ ସଚରାଚର ଦୁନିଆରେ ଆମର କେଉଁଠି କିଛି ଇଚ୍ଛା ଥିଲେ ନିଜର ଆଚରଣକୁ ସକାରାତ୍ମକ ଭାବେ ରଖିବା ହେଉଛି ସର୍ବ ପ୍ରଥମ ସର୍ତ୍ତ। ଆମେ ଏକ ଦୁର୍ଲଭ ଜୀବନ ପ୍ରାପ୍ତ କରିଛେ, ୟାକୁ ସକାରାତ୍ମକ ବିଚାରଧାରା ଓ ସମସ୍ତଙ୍କ ସଙ୍ଗେ ଉତ୍ତମ ବ୍ୟବହାର ସହିତ ବଞ୍ଚିବା ଆବଶ୍ୟକ।
ନଗେନ୍ଦ୍ରନାଥ ପଟ୍ଟନାୟକ
ଲକ୍ଷ୍ମୀ ସାଗର କେନାଲ ରୋଡ, ଭୁବନେଶ୍ୱର



