ଆଜି ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା ଦେବ ଓସିଏ

କଟକ : ରବିବାର ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦେବ ଓସିଏ। ପ୍ରଥମଥର ଓସିଏ ଏପରି ପ୍ରଶଂସନୀୟ କାମ କରିବାକୁ ଯାଉଛି। ଏଥିପାଇଁ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର ମଞ୍ଚ ପ୍ରସ୍ତୁତ ହୋଇଛି। ଯାହାର ନାମ ରଖାଯାଇଛି ‘ଲିଜେଣ୍ଡାରୀ ବକ୍ସ’। ଏହି ବକ୍ସରେ ଓସିଏ ପକ୍ଷରୁ ସ୍ବତନ୍ତ୍ରଭାବେ ନିମନ୍ତ୍ରିତ ବ୍ୟକ୍ତି ବା କିମ୍ବଦନ୍ତୀ ବ୍ୟକ୍ତିମାନେ ବସି ମ୍ୟାଚ୍ ଦେଖିବେ। ସେମାନଙ୍କୁ ଓସିଏ ସମ୍ବର୍ଦ୍ଧନା ଦେବ। ଏହି ୬୦ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଥିବା କିଛି ନାମ ହେଲେ ପଦ୍ମ ପୁରସ୍କାର ବିଜେତା ସାହିତ୍ୟିକ, କବି, ସମାଜସେବୀ, କ୍ରୀଡ଼ାବିତ୍, କଳାକାର ଓ ଗଣମାଧ୍ୟମ ଜଗତର ନାମୀ ବ୍ୟକ୍ତିତ୍ବ। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଭୂଷଣ ଡ. ପ୍ରତିଭା ରାୟ, ପଦ୍ମଶ୍ରୀ ଡ. ହଳଧର ନାଗ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପଦ୍ମଶ୍ରୀ ଡ. କ୍ରିଷ୍ଣା ପଟେଲ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ପଦ୍ମଶ୍ରୀ ପ୍ରତିଭା ଶତପଥୀ, କ୍ରୀଡ଼ାବିତ୍ ପ୍ରଜ୍ଞାନ ଓଝା, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳ, ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ ମଲ୍ଲିକ, ମାଧୁରୀ ମେହେଟ୍ଟା, ରରା ପରୱିନ, ଅମିତ ରୋହିଦାସ, ଦୀପ୍ ଗ୍ରେସ୍ ଏକ୍କା, ପ୍ରବୋଧ ତିର୍କି, କିଶୋର ଜେନା, ଆର୍.ପି. ସିଂହ, ସସ୍ମିତା ମଲ୍ଲିକ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରବି କୁମାର, ଗଣେଶ ଜେନା, ପ୍ରମୋଦ ଭଗତ, ଅନୁରାଧା ବିଶ୍ବାଳ, ମିନତି ମହାପାତ୍ର; ସିନେ ତାରକା ଅପରାଜିତା ମହାନ୍ତି, ଜୟୀରାମ ସାମଲ, ମହାଶ୍ବେତା ରାୟ, ପ୍ରଶାନ୍ତ ନନ୍ଦ, ସିଦ୍ଧାନ୍ତ ମହାପାତ୍ର; ନାମୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସିବିକେ ମହାନ୍ତି, ଅଶୋକ ମହାପାତ୍ର ପ୍ରମୁଖ। ଏହାସହ ଗଣମାଧ୍ୟମ ଜଗତର କିଛି ପୁରୋଧାଙ୍କୁ ମଧ୍ୟ ଓସିଏ ‘ଲିଜେଣ୍ଡାରୀ ବକ୍ସ’ରେ ବସାଇ ସମ୍ବର୍ଦ୍ଧନା ଦେବାକୁ ନିଷ୍ପତ୍ତି ନେଇଛି। ସେମାନେ ହେଲେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଧରିତ୍ରୀର ସମ୍ପାଦକ ତଥାଗତ ଶତପଥୀ, ଅର୍ଗସ ନ୍ୟୁଜ୍ର ସମ୍ପାଦକ ସଞ୍ଜୟ କୁମାର ଜେନା, ଓଟିଭିର ନିର୍ଦେଶକ ଜାଗି ମଙ୍ଗତ ପଣ୍ଡା ପ୍ରମୁଖ। ଏମାନଙ୍କ ସହ ଡ. ଅଚ୍ୟୁତ ସାମନ୍ତ, ସୁବ୍ରତ ବାଗ୍ଚି, ଡ. ମନୋଜ ରଞ୍ଜନ ନାୟକ ପ୍ରମୁଖ ସମ୍ବର୍ଦ୍ଧିତ ହେବେ।
Comments are closed.