ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

ଆଠଗଡ :  ଅକ୍ଟୋବର ୩୧ ରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ପ୍ରଥମ ଦିବସରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ ଏବଂ ଉପଜିଲ୍ଲାପାଳ ଦୁର୍ନୀତି ନିବାରଣ ସଚେତନତା ନିମିତ୍ତ ଶପଥପାଠ କରିଥିଲେ। ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ଶପଥ ପାଠ କରାଇବା ସହିତ ପ୍ରତିଟି କାର୍ଯ୍ୟରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଶାସନକୁ ଅନୁପାଳନ ପୂର୍ବକ ଜନସାଧାରଣଙ୍କର ହିତ ପାଇଁ ଅଧିକାରୀ ଓ କର୍ମଚାରୀମାନେ ଉତ୍ସର୍ଗୀକୃତ ମନୋଭାବ ପୋଷଣ ସହ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଶପଥ ପାଠ କରାଯାଇଥିଲା। ଏତଦ୍‌‌ବ୍ୟତୀତ ନିଜର ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତ ମୂଳକ ସାଧୁତା ଓ ସଚ୍ଚୋଟତା ବଜାୟ ରଖି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିବାକୁ ସମସ୍ତ ଅଧିକାରୀ ଓ କର୍ମଚାରୀ ସଂକଳ୍ପ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ, ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଆଭିମୁଖ୍ୟ ଉପସ୍ଥାପନ କରିବା ସହ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ତହସିଲ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ।

Comments are closed.